ନୂଆଦିଲ୍ଲୀ, ୧୦/୧: ତାଇୱାନ କମ୍ପାନି ୱିସଟ୍ରନ କର୍ପୋରେସନ ପକ୍ଷରୁ ବେଙ୍ଗାଲୁରୁ ନିକଟରେ ସ୍ଥାପନ ହୋଇଥିବା ଆଇଫୋନ କାରଖାନାକୁ ଭାରତୀୟ କମ୍ପାନି ଟାଟା କିଣିବ। ଏଥିପାଇଁ ଗତ କିଛିମାସ ହେଲା କଥାବାର୍ତ୍ତା ଚାଲିଛି। ତେବେ ଉକ୍ତ କାରଖାନା କ୍ରୟ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବା ନେଇ ଆଶା କରାଯାଉଛି। ଏଥିସହ ଜଡ଼ିତ ବ୍ୟକ୍ତିଙ୍କ ମନ୍ତବ୍ୟକୁ ଉଦ୍ଧାର କରି ବୁମବର୍ଗ ଉକ୍ତ ରିପୋର୍ଟ ପ୍ରକାଶ କରିଛି।
ଉକ୍ତ ଅଧିଗ୍ରହଣ ଶେଷହେଲେ ଟାଟା ଗ୍ରୁପ୍ ହେବ ଦେଶର ପ୍ରଥମ ଆଇଫୋନ ନିର୍ମାତା। ଯଦି ମାର୍ଚ୍ଚ ସୁଦ୍ଧା ଟାଟା ଇଲେକ୍ଟ୍ରୋନିକ୍ସ ୱିସଟ୍ରନ କାରଖାନାକୁ ଅଧିଗ୍ରହଣ କରିବାରେ ସକ୍ଷମ ହୁଏ ତା’ହେଲେ ୨୦୨୩ ଏପ୍ରିଲ ପହିଲାରୁ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶି ପାଇବାକୁ ଉକ୍ତ କାରଖାନା ଯୋଗ୍ୟ ହେବ।

Advertisment

ଟାଟା ୱିସଟ୍ରନର ଉକ୍ତ କାରଖାନାକୁ ଅଧିଗ୍ରହଣ କରିଲେ ଭାରତ ପାଇଁ ଏହା ବଡ଼ ସଫଳତା ହେବ। ଏହାବ୍ୟତୀତ ଆଇଫୋନ ଉତ୍ପାଦନ ପାଇଁ ଚୀନ ଉପରେ ଆପଲ୍‌ କରୁଥିବା ନିର୍ଭରଶୀଳତା ହ୍ରାସ ପାଇବ। ବେଙ୍ଗାଲୁରୁର ପୂର୍ବ ଦିଗରେ ପ୍ରାୟ ୫୦ କିମି ଦୂରରେ ୱିସଟ୍ରନର ଆଇଫୋନ କାରଖାନା ରହିଛି। ଏଠାରେ ଆଇଫୋନ ଉତ୍ପାଦନ ପାଇଁ ରହିଥିବା ୮ଟି ଯାକ ଲାଇନ ସହିତ କାରଖାନାର ୧୦ ହଜାର କର୍ମଚାରୀ ଓ ଇଞ୍ଜିନିୟରମାନଙ୍କୁ ମଧ୍ୟ ଟାଟା ନିଜ ଅଧୀନକୁ ନେବ।

ଏହି କାରବାର ସହିତ ସିଧାସଳଖ ଜଡ଼ିତ ନଥିଲେ ମଧ୍ୟ ଏକ ସାକ୍ଷାତକାରରେ ଟିସିଏସର ପରିଚାଳନା ମୁଖ୍ୟ ତଥା ଟାଟା ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନଙ୍କ ଭାଇ ଏନ୍‌ ଗଣପତି ସୁବ୍ରମଣ୍ୟମ କହିଛନ୍ତି ଭାରତକୁ ଇଲେକ୍ଟ୍ରୋନିକ୍ସ ଓ ମାଇକ୍ରୋଇଲେକ୍ଟ୍ରୋନିକ୍ସ କେନ୍ଦ୍ରରେ ପରିଣତ କରିବାରେ ଟାଟାର ଏହି ପଦକ୍ଷେପ ସହାୟକ ହେବ। ଉଲ୍ଳେଖଯୋଗ୍ୟ, ଆପଲର ଆଇଫୋନ ସାଧାରଣତଃ ତାଇୱାନ କମ୍ପାନି ୱିସଟ୍ରନ ଏବଂ ଫକ୍ସକନ ନିର୍ମାଣ କରିଥାନ୍ତି।