ମୁମ୍ବାଇ : ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାର ଇଣ୍ଡିଆକୁ କିଣିବା ପରେ ଏହାର ନବକଳେବର କରିବାକୁ ଯୋଜନା କରୁଛି ଟାଟା ଗ୍ରୁପ୍ । ଏହି ବିମାନସେବା କମ୍ପାନିର ଖର୍ଚ୍ଚ କାଟ କରି ଏହାକୁ ଲାଭଜନକ କରିବାକୁ ଯୋଜନା କରାଯାଉଛି । ଏଥିପାଇଁ ପୂର୍ବରୁ ଟାଟା ଅଧିନରେ ଥିବା ଶସ୍ତା ବିମାନ ସେବା କମ୍ପାନି ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ ପାଇଁ ଯୋଜନା କରାଯାଉଛି । ଏହି ମିଶ୍ରଣ ଫଳରେ ଖର୍ଚ୍ଚ କାଟ କରିବା ସହ ଏକ ବୃହତ ବିମାନ ସେବା କମ୍ପାନି ଗଠନର ପରିକଳ୍ପନା କରୁଛି ଟାଟା ଗ୍ରୁପ । ଏଥିପାଇଁ ବିଗତ କିଛି ଦିନ ହେଲା ଉଭୟ ଏୟାର ଏସିଆ ଓ ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଆଲୋଚନା ଚାଲିଛି ।

Advertisment

ଏୟାର ଏସିଆରେ ଟାଟା ଗ୍ରୁପର ପ୍ରାୟ ୮୪ ପ୍ରତିଶତ ଅଂଶଧନ ରହିଛି । ଏଣୁ ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ ଟାଟା ଗ୍ରୁପର ପାଇଁ ସେତେଟା କଷ୍ଟକର ହେବ ନାହିଁ । ଅନ୍ୟପକ୍ଷରେ ଭିସ୍ତାରା ଓ ଏୟାର ଇଣ୍ଡିଆର ସିଡ୍ୟୁଲ (ଉଡ଼ାଣ ସୂଚୀ) ମଧ୍ୟରେ ତାଳମେଳ ପାଇଁ ଉଦ୍ୟମ କରାଯାଉଛି । ଭିସ୍ତାରାରେ ଟାଟା ୫୧ ପ୍ରତିଶତ ଓ ୪୯ ପ୍ରତିଶତ ସିଂଗାପୁର ଏୟାରଲାଇନ୍ସ ପାଖରେ ରହିଛି । ଟାଟା ଗ୍ରୁପର ଗୋଟିଏ ବିମାନ ସେବା କମ୍ପାନି ଗଠନ କରି ତା ମଧ୍ୟରେ ଏସବୁ ଏୟାରଲାଇନ୍ସକୁ ସାମିଲ କରିବାର ସମ୍ଭାବନା ରହିଛି ।