ଟେସ୍‌ଲା ସହ ସହବନ୍ଧନ କରିବନି ଟାଟା, ଏକା ନିର୍ମାଣ କରିବ ବିଦ୍ୟୁତ୍‌ ଯାନ

ନୂଆଦିଲ୍ଲୀ : ବିଦ୍ୟୁତ୍ ଯାନ ନିର୍ମାଣ ପାଇଁ ଭାରତର ଟାଟା ମୋଟର୍ସ ଆମେରିକାର ଟେସ୍‌ଲା ସହିତ ସହଯୋଗିତା ସ୍ଥାପନ କରିବ ବୋଲି ପୂର୍ବରୁ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା। କିନ୍ତୁ ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌। ଟେସ୍‌ଲା ସହିତ ଏଥିପାଇଁ କୌଣସି କଥାବାର୍ତ୍ତା ହୋଇନାହିଁ। କମ୍ପାନି ନିଜେ ଭାରତରେ ‌ଇଲେକ୍‌ଟ୍ରିକ ଯାନ ନିର୍ମାଣ ବ୍ୟବସାୟ କରିବ ବୋଲି ସେ କହିଛନ୍ତି। ଟାଟା ପୂର୍ବରୁ ବ୍ରିଟିସ୍‌ର ବିଳାସପୂର୍ଣ୍ଣ କାର୍‌ କମ୍ପାନି ଜାଗୁଆର ଆଣ୍ଡ୍ ଲ୍ୟାଣ୍ଡ ରୋଭରକୁ କିଣିସାରିଛି। ତେଣୁ ଏହି ଦୁଇ କମ୍ପାନିର ବିଦ୍ୟୁତ୍‌ ଯାନ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଯୋଜନା ରହିଛି। ଏହି ଦୁଇ କମ୍ପାନି ବ୍ରାଣ୍ଡ୍‌ରେ ନିର୍ମିତ କାର୍‌ ଗୁଡ଼ିକର ବ୍ୟବସାୟ ବି ଏବେ ଭଲ ହେଉଛି।

ତେବେ ଭାରତରେ ଇଲେକ୍ଟ୍ରିକ୍ ଯାନ ବ୍ୟବସାୟର ବଳିଷ୍ଠ ଯୋଜନା ଟାଟା ପ୍ରସ୍ତୁତ କରିଛି। ନେକ୍ସନ ମିନି ଏସୟୁଭିର ଇଲେକ୍ଟ୍ରିକ୍ ଭର୍ସନ ଗାଡ଼ି ଗ୍ରାହକଙ୍କ ମଧ୍ୟରେ ଭଲ ଆଦୃତି ହାସଲ କରିଛି। ଅନ୍ୟପଟରେ ଜାଗୁଆର ଆଣ୍ଡ ଲ୍ୟାଣ୍ଡରୋଭର ମଧ୍ୟ ଆସନ୍ତା ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ୍ କାର ନିର୍ମାତା ହେବାର ଲକ୍ଷ୍ୟ ରଖିଛି। ଜାଗୁ୍ଆର୍ ଆଣ୍ଡ୍ ଲ୍ୟାଣ୍ଡରୋଭର ପକ୍ଷରୁ ନିର୍ମିତ ସବୁ ବିଦ୍ୟୁତ୍‌ କାର୍‌ ଭାରତରେ ଉପଲବ୍ଧ ହେବ ବୋଲି ଟାଟା ସନ୍ସ ମୁଖ୍ୟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଟେସ୍‌ଲା ଭାରତରେ ଏହାର କମ୍ପାନି ପଞ୍ଜୀକରଣ କରିସାରିଛି। ଏହାର ନାମ ଟେସ୍‌ଲା ମୋଟର୍ସ ଇଣ୍ଡିଆ ଆଣ୍ଡ୍‌ ଏନର୍ଜି ପ୍ରାଇଭେଟ ଲିମିଟେଡ୍‌ ରହିଛି।

ସମ୍ବନ୍ଧିତ ଖବର