କଳିଙ୍ଗନଗରରେ ନିବେଶ କରିବ ଟାଟା

ଦେଶରେ ୮୦୦୦ କୋଟି ଖଟାଇବ, ଖଣିର ସମ୍ପ୍ରସାରଣ କରିବ

ନୂଆଦିଲ୍ଲୀ/ଭୁବନେଶ୍ବର : ଟାଟା ଗ୍ରୁପ୍‌ର ଇସ୍ପାତ କଂପାନି ଟାଟା ଷ୍ଟିଲ୍‌ ଭାରତରେ ଥିବା ଏହାର କାରଖାନାଗୁଡ଼ିକରେ ୮୦୦୦ କୋଟି ଟଙ୍କା ନିବେଶ କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କରିଛି। ଏହାର ସିଂହ ଭାଗ ଅଂଶ ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା କଳିଙ୍ଗନଗର କାରଖାନାରେ ବିନିଯୋଗ କରାଯିବ। ଟାଟା ଷ୍ଟିଲ୍‌ର ସିଇଓ ଟି ଭି ନରେନ୍ଦ୍ରନ ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ନରେନ୍ଦ୍ରନ କହିଛନ୍ତି ଯେ ୨୦୨୧-୨୨ ଲାଗି ଆମର ଯେଉଁ ପୁଞ୍ଜି ବ୍ୟୟ ଯୋଜନା ରହିଛି ତାହା ମୁଖ୍ୟତଃ କଳିଙ୍ଗନଗର କାରଖାନର ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିବା, ଖଣି କାର୍ଯ୍ୟର ସମ୍ପ୍ରସାରଣ ଓ ରିସାଇକଲିଂ ବ୍ୟବସାୟରେ ବ୍ୟବହାର କରାଯିବ।

ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନାର ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ ସେଥିପାଇଁ ଅଧିକ କଞ୍ଚାମାଲ ଦରକାର ପଡ଼ିବ। ସେହି ଆବଶ୍ୟକତା ପୂରଣ କରିବା ଲାଗି କଂପାନି ଏହାର ଖଣି କାର୍ଯ୍ୟ ବ୍ୟାପକ କରିବାକୁ ଚାହୁଛି। କଳିଙ୍ଗନଗର କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୮ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ କଂପାନି କାର୍ଯ୍ୟ କରୁଛି। କିଛି ଦିନ ପୂର୍ବେ ଶ୍ରୀ ନରେନ୍ଦ୍ରନ ସୂଚନା ଦେଇଥିଲେ ଯେ ଟାଟା ଷ୍ଟିଲ୍‌ ଏହାର ୟୁରୋପୀୟ ବ୍ୟବସାୟରେ ୩,୦୦୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛି। ରିସାଇକଲିଂ ବ୍ୟବସାୟ ସମ୍ପର୍କରେ ସେ କହିଛନ୍ତି ଯେ କଂପାନି ସ୍କ୍ରାପ୍ ବ୍ୟବସାୟ ଲାଗି ଭିନ୍ନ ମଡେଲ୍‌ ଉପରେ କାମ କରୁଛି। ଏହା ସହଯୋଗିତା ଭିତ୍ତିରେ ସ୍ଥାପନ କରାଯିବ। ଆମ ଭାଗ ଆମେ ବ୍ୟୟ କରିବୁ। ସହଯୋଗୀ ସଂସ୍ଥା ସହ ମିଶି ଏହି ବ୍ୟବସ୍ଥା ସ୍ଥାପନ କରାଯିବ। ସେମାନେ ବ୍ୟବସ୍ଥା ଗଠନ କରିବେ ଏବଂ ଆମେ ଇସ୍ପାତର ଗୁଣାତ୍ମକ ମାନ ଓ ବିକ୍ରିର ପରିଚାଳନା କରିବୁ। ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଅଧିକ ସ୍କ୍ରାପ୍ ଉପଲବ୍ଧ ଥିବାରୁ କଂପାନି ସେହି ଅଞ୍ଚଳ ଉପରେ ନଜର ରଖିଛି। ଯେଉଁଠାରେ ଅଧିକ ସ୍କ୍ରାପ୍ ମିଳିବ ଟାଟା ଷ୍ଟିଲ୍‌ ସେଠାରେ ଏହାର ସ୍କ୍ରାପ୍ ବ୍ୟବସ୍ଥା ସ୍ଥାପନ କରିବ। ସମ୍ପୂର୍ଣ୍ଣ ଟିମ୍ ଏହା ଉପରେ କାର୍ଯ୍ୟ କରିବ। ଟାଟା ଷ୍ଟିଲ୍ ଏହାର ପ୍ରଥମ ଇସ୍ପାତ ରିସାଇକଲ୍ କାରଖାନା ହରିୟାଣାର ରୋହତକ୍‌ରେ କାର୍ଯ୍ୟକ୍ଷମ କରିଛି। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୦.୫ ଏମ୍‌ଟିପିଏ। ଆରତି ଗ୍ରିନ୍‌‌ ଟେକ୍ ନାମକ ସଂସ୍ଥା ସହଯୋଗରେ କଂପାନି ଏହି କାରଖାନା ସ୍ଥାପନ କରିଛି।

ଗତ କିଛି ଦିନରେ ଓଡ଼ିଶାର ଖଣିଜ ଓ ଧାତବ କ୍ଷେତ୍ର ବେଶ ଚଳଚଞ୍ଚଳ ହୋଇପଡ଼ିଛି। ନିକଟରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ଏନ୍ ମିତ୍ତଲ ଓ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍‌ର ମୁଖ୍ୟ ନବୀନ ଜିନ୍ଦଲ ଓଡ଼ିଶା ଗସ୍ତ କରି ରାଜ୍ୟ ସରକାରଙ୍କ ସହ ନିଜ ସଂସ୍ଥାର ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ମିତ୍ତଲ ପାରାଦୀପ ଓ କେନ୍ଦ୍ରାପଡ଼ା ଗସ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। କରୋନା ମହାମାରୀର ପ୍ରଭାବ ଦୂର ହେଉଥିବା ବେଳେ ଧାତବ ବଜାର ବେଶ ସକ୍ରିୟ ରହିଥିବାରୁ କଂପାନିଗୁଡ଼ିକ ନିଜ କ୍ଷମତା ବଢ଼ାଇବା ଉପରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର