ଭୁବନେଶ୍ବ: ଟାଟା ଗ୍ରୁପ୍ର ପୂର୍ବତନ ମୁଖ୍ୟ ସ୍ବର୍ଗତଃ ରତନ ଟାଟା ଓଡ଼ିଶାକୁ ବହୁତ ଭଲ ପାଉଥିଲେ। ସେଥିପାଇଁ ନିଜ ଜୀବନ କାଳ ଭିତରେ ସେ ଅନେକ ଥର ଓଡ଼ିଶା ଆସିଥିଲେ। ଖଣିଜ ସମ୍ପଦ ବହୁଳ ରାଜ୍ୟ ଓଡ଼ିଶାରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ସେ ମନ ବଳାଇଥିଲେ। ପ୍ରଥମେ କାରଖାନାଟି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସ୍ଥାପନ ହେବ ବୋଲି ସ୍ଥିର ହୋଇଥିଲା। ୧୯୯୧ରେ ଟାଟା ଗ୍ରୁପ୍ର ନେତୃତ୍ବ ଭାର ଗ୍ରହଣ କରିବାର କିଛି ବର୍ଷ ମଧ୍ୟରେ ସେ ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିଲେ। ୧୯୯୫ ଡିସେମ୍ବର ୩୦ରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ ସହ ଗୋପାଳପୁର ଆସିଥିଲେ। ସେଠାରେ ଶ୍ରୀ ନରସିଂହ ରାଓ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ରାଜ୍ୟରେ ଶିଳ୍ପାୟନଠାରୁ ଆରମ୍ଭ କରି ବନ୍ଦର, ସୂଚନା ପ୍ରଯୁକ୍ତି, ବସ୍ତିବାସିନ୍ଦାଙ୍କ କଲ୍ୟାଣଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରତନ ଟାଟାଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି।
ଟାଟାଙ୍କ ଅମଳରେ ଟାଟା ଷ୍ଟିଲ୍ ପକ୍ଷରୁ ଯାଜପୁରର କଳିଙ୍ଗନଗରରେ ସ୍ଥାପନ କରାଯାଇଥିଲା ସମ୍ପୂର୍ଣ୍ଣ ନୂଆ ଇସ୍ପାତ କାରଖାନା ଯାହାର ଉତ୍ପାଦନ କ୍ଷମତା ଏବେ ବାର୍ଷିକ ୮ ନିୟୁତ ଟନ୍କୁ ବୃଦ୍ଧି ପାଇଛି। କମ୍ପାନିର ନିବେଶ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। କେବଳ ସେତିକି ନୁହେଁ ଟାଟା ଷ୍ଟିଲ୍ ପକ୍ଷରୁ ରାଜ୍ୟରେ ଢେଙ୍କାନାଳର ମେରାମଣ୍ଡଳୀସ୍ଥିତ ଭୂଷଣ ଷ୍ଟିଲ୍ ଓ ଯାଜପୁରରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)କୁ ମଧ୍ୟ ଅଧିଗ୍ରହଣ କରାଯାଇଛି। ଟାଟାଙ୍କ ସମୟରେ ଟାଟା ଷ୍ଟିଲ୍ ପକ୍ଷରୁ ଗୋପାଳପୁରରେ ଟାଟା ଷ୍ଟିଲ୍ ଏସ୍ଇଜେଡ୍ ସ୍ଥାପନ କରାଯାଇଥିଲା।
ଟାଟା ଷ୍ଟିଲ୍ ପକ୍ଷରୁ ଭଦ୍ରକର ଧାମରାଠାରେ ଏଲ୍ଆଣ୍ଡଟି ସହଯୋଗରେ ଧାମରା ବନ୍ଦର ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ କମ୍ପାନି ପ୍ରକଳ୍ପରୁ ନିଜର ଅଂଶଧନ ବିକ୍ରି କରି ବାହାରି ଆସିଥିଲା। ବର୍ତ୍ତମାନ ସେହି ବନ୍ଦର ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଛି। ଟାଟା ଷ୍ଟିଲ୍ ପକ୍ଷରୁ ବାଲେଶ୍ବରର ସୁବର୍ଣ୍ଣରେଖାଠାରେ ଏକ ନୂଆ ବନ୍ଦର ବିକାଶ କରାଯାଉଛି।
ଯେତେବେଳେ ଓଡ଼ିଶାରେ ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପ ବିକାଶ ପର୍ଯ୍ୟାୟରେ ଥିଲା, ସେହି ସମୟରେ ରାଜ୍ୟ ଉପରେ ରତନ ଟାଟା ଭରସା ପ୍ରକଟ କରିଥିଲେ। ତାଙ୍କ ସମୟରେ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍) ଭୁବନେଶ୍ବରରେ ଏହାର କ୍ୟାମ୍ପସ୍ ସ୍ଥାପନ କରିବା ସହ ତାହାର ସମ୍ପ୍ରସାରଣ ମଧ୍ୟ କରିଥିଲା। ଆତିଥେୟତା କ୍ଷେତ୍ରରେ ମଧ୍ୟ ଟାଟା ଗ୍ରୁପ୍ ନିଜର ଉପସ୍ଥିତି ଜାହିର କରିଥିଲା। ଜୟଦେବ ବିହାର ନିକଟରେ ଜିଞ୍ଜର ହୋଟେଲ୍ ସ୍ଥାପନ କରିବାଠାରୁ ଆରମ୍ଭ କରି ପାତ୍ରପଡ଼ାରେ ତାଜ୍ ଭିଭାନ୍ତା ହୋଟେଲ୍ ମଧ୍ୟ ସ୍ଥାପନ ହୋଇଥିଲା।
ରାଜ୍ୟର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଲାଗି ରତନ ଟାଟାଙ୍କ ପ୍ରତିବଦ୍ଧତା ରାଜ୍ୟରେ ଏକ କ୍ୟାନସର୍ ହସ୍ପିଟାଲ୍ ସ୍ଥାପନ କରିବା ଲାଗି ହୋଇଥିବା ବୁଝାମଣାରୁ ପ୍ରମାଣିତ ହେଉଛି। ଭୁବନେଶ୍ବରରେ ଏକ କ୍ୟାନସର୍ ହସ୍ପିଟାଲ୍ ସ୍ଥାପନ କରିବା ଲାଗି ଟାଟା ଟ୍ରଷ୍ଟ୍ ପକ୍ଷରୁ ଯେଉଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା, ସେହି କାର୍ଯ୍ୟକ୍ରମରେ ରତନ ଟାଟା ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ। ଜଣେ ପରୋପକାରୀ ଭାବେ ପରିଚିତ ରତନ ଟାଟାଙ୍କ ଜନ କଲ୍ୟାଣମୂଳକ କାର୍ଯ୍ୟ କାହାକୁ ଅଛପା ନାହିଁ। ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିବା ଲାଗି ଆରମ୍ଭ ହୋଇଥିବା ଜାଗା ମିସନ ସହ ସେ ଯୋଡ଼ି ହୋଇଥିଲେ। ନିଜେ ଗଞ୍ଜାମ ଆସି ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ବଣ୍ଟନ କରିଥିଲେ।