୬୮ବର୍ଷ ପରେ ଏୟାର୍‌ ଇଣ୍ଡିଆ ଫେରି ପାଇଲା ଟାଟା

ନୂଆଦିଲ୍ଲୀ: ଦୀର୍ଘ ୬୮ବର୍ଷ ପରେ ଜାତୀୟ ବିମାନ ପରିବହନ ‘ଏୟାର୍‌ ଇଣ୍ଡିଆ’ର ଚୂଡ଼ାନ୍ତ ନିଲାମ ଧରିବାରେ ‘ଟାଟା ସନ୍ସ୍‌’ ସଫଳ ହୋଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଲୁଣ ଠାରୁ ଆରମ୍ଭ କରି ‘ସଫ୍ଟୱେର୍‌’ ନିର୍ମାଣ କରୁଥିବା ‘ଟାଟା ସନ୍ସ୍‌’ କମ୍ପାନିସମୂହ ସେପ୍ଟେମ୍ବର ୧୫ ତାରିଖରେ ଏୟାର୍‌ ଇଣ୍ଡିଆର ଚୂଡ଼ାନ୍ତ ନିଲାମ ପାଇଁ କାଗଜପତ୍ର ଦାଖଲ କରିଥିଲା। ଏହି ନିଲାମ ଧରିବାରେ‌ ସେ ଅଗ୍ରଣୀ ଥିବା ଜଣାପଡ଼ିଛି।

‘ଏୟାର୍‌ ଇଣ୍ଡିଆ’ ନିଲାମ ଧରିବା ଲାଗି ‘ସ୍ପାଇସ୍‌ଜେଟ୍‌’ର ପୃଷ୍ଠପୋଷକ ଅଜୟ ସିଂହ ମଧ୍ୟ ଆବେଦନ କରିଥିଲେ। କିନ୍ତୁ, ‘ଏୟାର୍‌ ଇଣ୍ଡିଆ’କୁ ଅକ୍ତିଆର କରିବା ଲାଗି ‘ଟାଟା ସନ୍ସ୍‌’ ଅଧିକ ମୂଲ୍ୟ ଉଲ୍ଲେଖ କରିଥିବା କଥା ସରକାରୀ ସୂତ୍ରରୁ ପ୍ରକାଶ।

Image Courtesy of Mumbai Mirror

‘ଏୟାର୍‌ ଇଣ୍ଡିଆ’ ନିଲାମ ପାଇଁ ସରକାର ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଏକ ରିପୋର୍ଟରୁ ସୂଚନା ମିଳିବା ପରେ ଆଜି ଉପରୋକ୍ତ ଖବର ଶୁଣିବାକୁ ମିଳୁଛି। ‘ଫ୍ୟୁଚର୍‌ କ୍ୟାସ୍‌ ଫ୍ଲୋ ପ୍ରୋଜେକ୍ସନ୍‌’, ‘ବ୍ରାଣ୍ଡ୍‌ ଭେଲ୍ୟୁ ଏବଂ ବିଦେଶୀ ବିମାନ ବନ୍ଦରରେ ‘ସ୍ଲଟ୍‌’କୁ ଆଧାର କରି ସରକାର ଏଥିପାଇଁ ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଧାର୍ଯ୍ୟ କରିଥିଲେ।

Image Courtesy of India Today

ସରକାରୀ କମିଟି ନିର୍ଦ୍ଧାରଣ କରିଥିବା ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଠାରୁ ‘ଟାଟା ସନ୍ସ’ ୩,୦୦୦ କୋଟି ଟଙ୍କା ଅଧିକ ମୂଲ୍ୟର ନିଲାମପତ୍ର ଦାଖଲ କରିଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି। ଋଣଗ୍ରସ୍ତ ‘ଏୟାର୍‌ ଇଣ୍ଡିଆ’କୁ ଅଧିକ ମୂଲ୍ୟ ଦେଇ ନିଲାମରେ ନେବା ପାଇଁ ଆଗ୍ରହୀ ଆବେଦନକାରୀଙ୍କ ମଧ୍ୟରେ ‘ଟାଟା ସନ୍ସ’ ଅଗ୍ରଣୀ ଥିବା କଥା ପୂର୍ବରୁ ବହୁ ରିପୋର୍ଟରୁ ଜଣାପଡ଼ିଥିଲା।

‘ଏୟାର୍‌ ଇଣ୍ଡିଆ’ ପାଇଁ ‘ଟାଟା ସନ୍ସ୍‌’ ଖୁବ୍‌ ବ୍ୟାକୁଳ ଥିବା କଥା ‘ଏୟାର୍‌ ଇଣ୍ଡିଆ’ର ପୂର୍ବତନ ନିର୍ଦେଶକ ଜିତେନ୍ଦ୍ର ଭାର୍ଗବ ‘ବ୍ଲୁମ୍‌ବର୍ଗ ଟିଭି’କୁ କହିଥିଲେ।

ସମ୍ବନ୍ଧିତ ଖବର