ଟିକସ ଆଦାୟ ୩୯ ହଜାର କୋଟି ଟପିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟିକସ ଆଦାୟ ପରିମାଣ ଚଳିତ ଆର୍ଥିକ ବର୍ଷରେ ୩୯ ହଜାର କୋଟି ଟଙ୍କାରୁ ଅଧିକ ହେବ। ଅବକାରୀ, ଖଣି ଓ ପରିବହନ କ୍ଷେତ୍ରରୁ ଟିକସ ଆଦାୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବାରୁ ଟିକସ ଓ ଅଣ ଟିକସ ଆଦାୟ ଲକ୍ଷ୍ୟ ସହଜରେ ହାସଲ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି। ୨୦୧୮-୧୯ରେ ମୋଟ ୧,୦୦,୨୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ସରକାର ବଜେଟ୍‌ରେ ଘୋଷଣା କରିଛନ୍ତି। ଗତ ଜୁଲାଇ ଶେଷ ସୁଦ୍ଧା ୯୯୯୭.୧୦ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି। ଟିକସ ଓ ଅଣ ଟିକସ ରାଜସ୍ୱ ସହିତ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଓ ବିଭିନ୍ନ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ନିଜର ରାଜସ୍ୱ ଆୟ ଭାବେ ଗଣିଥାନ୍ତି। ୨୦୧୭-୧୮ରେ ରାଜ୍ୟ ସରକାର ୮୪,୭୯୩ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିଲେ। ସେଥିରେ ଟିକସ ଓ ଅଣ ଟିକସ ରାଜସ୍ୱ ଭାଗ ୩୫,୯୧୧ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଓଡ଼ିଶା ସରକାର କେନ୍ଦ୍ରୀୟ ଟିକସରୁ ନିଜ ଭାଗ ବାବଦରେ ୩୬,୫୮୫.୯୩ କୋଟି ଟଙ୍କା, ୪୦୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ, ୧୮୦୦ କୋଟି ଟଙ୍କାର ପରିବହନ ରାଜସ୍ୱ ଓ ୭୨୫୦ କୋଟି ଟଙ୍କାର ଖଣି ଓ ଧାତବ ରାଜସ୍ୱ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୧୧୪୬.୯୬ କୋଟି ଟଙ୍କାର ଅବକାରୀ ରାଜସ୍ୱ, ୫୭୧.୪୦ କୋଟି ଟଙ୍କାର ପରିବହନ ରାଜସ୍ୱ ଓ ୩୧୪୨ କୋଟି ଟଙ୍କାର ଖଣି ଓ ଧାତବ ରାଜସ୍ୱ ଆଦାୟ ହୋଇସାରିଲାଣି। ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ କେନ୍ଦ୍ରୀୟ ଟିକସର ଅଂଶ ଭାବେ ୨୫୪୭.୮୭ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ଭାବେ ୩୩୯୩.୩୫ କୋଟି ଟଙ୍କା ଓଡ଼ିଶାକୁ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର