ନୂଆଦିଲ୍ଲୀ: ବର୍ତ୍ତମାନ ସୁଧ ହାର ନିମ୍ନ ସ୍ତରରେ ଥିବାରୁ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକମାନଙ୍କୁ ଉଚିତ ରିଟର୍ଣ୍ଣ ମିଳୁନାହିଁ। ଯାହା କିଛି ସୁଧ ଜରିଆରେ ଆୟ ହେଉଛି ସେଥିରୁ ମଧ୍ୟ ଟିକସ କାଟି ନିଆଯାଉଛି। ଏହା ଗ୍ରାହକଙ୍କୁ ବହୁତ ବାଧୁଛି। ବିଶେଷ କରି ବରିଷ୍ଠ ନାଗରିକମାନେ ଏହି ଟିକସ ବ୍ୟବସ୍ଥା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ସରକାର ଏହି ଟିକସ ବ୍ୟବସ୍ଥାର ପୁନର୍ବିଚାର କରିବା ଦରକାର ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଇକୋରାପ୍ ରିପୋର୍ଟରେ କୁହାଯାଇଛି। ଆଜି ଜାରି ହୋଇଥିବା ଏହି ରିପୋର୍ଟରେ ଷ୍ଟେଟ୍ ବ୍ୟାଙ୍କର ଅର୍ଥନୀତିଜ୍ଞ ଜଣାଇଛନ୍ତି ଯେ ବରିଷ୍ଠ ନାଗରିକମାନେ ବ୍ୟାଙ୍କ ଜମାରୁ ମିଳୁଥିବା ସୁଧକୁ ନେଇ ଗୁଜୁରାଣ ମେଣ୍ଟାଉଛନ୍ତି। ସେମାନେ ପାଉଥିବା ସୁଧରୁ ଟିଡିଏସ୍ କାଟି ନିଆଯାଉଛି। ତେଣୁ ଏଭଳି ଗ୍ରାହକମାନଙ୍କୁ ବିଯୁକ୍ତାତ୍ମକ ରିଟର୍ଣ୍ଣ ମିଳୁଛି। ଏବେ ସାଧାରଣ ଗ୍ରାହକମାନଙ୍କ ଖାତାରେ ୪୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସୁଧ ଜମା କରିବା ବେଳେ ଟିଡିଏସ୍ କଟାଯାଉଛି। ବରିଷ୍ଠ ନାଗରିକଙ୍କ ଖାତାରେ ୫୦ ହଜାର ଟଙ୍କାରୁ ଅଧିକ ସୁଧ ଜମା କରିବା ବେଳେ ଟିଡିଏସ୍ କଟାଯାଉଛି। ବରିଷ୍ଠ ନାଗରିକମାନଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ଏହି ସୀମା ବଢ଼ାଇବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ଜମା ସୁଧ ଉପରୁ ଟିକସ ଉଚ୍ଛେଦ କରିବା ଲାଗି ଏହା ଉପଯୁକ୍ତ ସମୟ। ଯଦି ତାହା କରାନଯିବ ତେବେ ଟିକସ ହିସାବ ଲାଗି ଯେଉଁ ସୀମା ରହିଛି ତାହାକୁ ଅତିକମ୍ରେ ବରିଷ୍ଠ ନାଗରିକମାନଙ୍କ ଲାଗି ବଢ଼ାଇବାକୁ ରିପୋର୍ଟରେ ନିବେଦନ କରାଯାଇଛି। ବୟସ ଭିତ୍ତିରେ ସୁଧ ହାର ନିର୍ଧାରଣ କରିବା ପଥରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟ କରିବା ଦରକାର ବୋଲି ମଧ୍ୟ ରିପୋର୍ଟରେ ପରାମର୍ଶ ଦିଆଯାଇଛି।
ଦେଶରେ ବ୍ୟାଙ୍କ ଜମା ଖାତା ସଂଖ୍ୟା ୨୦୭ କୋଟି ପାଖାପାଖି ରହିଛି। ଋଣ ନେଉଥିବା ଗ୍ରାହକଙ୍କ ସଂଖ୍ୟା ହେଉଛି ୨୭ କୋଟି। ବ୍ୟାଙ୍କରେ ୧୫୧ ଲକ୍ଷ କୋଟି ଟଙ୍କାର ଜମା ରାଶି ରହିଛି। ସେଥିରୁ ୧୦୨ ଲକ୍ଷ କୋଟି ଟଙ୍କା ହେଉଛି ଖୁଚୁରା ଜମା ଯାହା ସାଧାରଣ ଲୋକ ଓ ବରିଷ୍ଠ ନାଗରିକମାନେ ରଖିଛନ୍ତି। ମହାମାରୀ ବ୍ୟାପିବା ପରେ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟତା ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିପୁଳ ପରିମାଣର ନଗଦ ରାଶି ବଜାରରେ ଉପଲବ୍ଧ କରାଯାଇଛି। ଏଥି ସହିତ ସୁଧ ହାର ମଧ୍ୟ ନିମ୍ନ ସ୍ତରରେ ରହିଛି। ନିକଟ ଭବିଷ୍ୟତରେ ସୁଧ ବଢ଼ିବାର ସମ୍ଭାବନା ମଧ୍ୟ କମ୍ ରହିଛି। ଏହାକୁ ଦୃଷ୍ଟିରେ ରଖି ଜମା ସୁଧ ଆୟ ଉପରେ ଟିକସ ବ୍ୟବସ୍ଥାର ପୁନବିର୍ଚାର କରାଯିବା ଦରକାର। ବୟସ ଆଧାରରେ ଜମାରାଶି ଉପରେ ସୁଧ ନିର୍ଧାରଣ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଅଟକାଉଥିବା ନିୟମକୁ ବଦଳାଇବା ଦିଗରେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟ କରିବା ଦରକାର ବୋଲି ମଧ୍ୟ ରିପୋର୍ଟରେ ପରାମର୍ଶ ଦିଆଯାଇଛି।
ଭାରତରେ ଥିବା ବ୍ୟାଙ୍କଗୁଡ଼ିକରେ ୪୪% ଜମା ରାଶି କାସା (ଚଳନ୍ତୀ ଜମା ଓ ସଞ୍ଚୟ ଜମା) ଆକାରରେ ରହିଛି। ସେଥିରୁ ଏକ ପଞ୍ଚମାଂଶ ହେଉଛି ଚଳନ୍ତୀ ଜମା ଯାହାକୁ ବ୍ୟବସାୟୀମାନେ ବ୍ୟବହାର କରିଥାନ୍ତି। ବ୍ୟାଙ୍କର ମୋଟ ମିଆଦୀ ଜମା (ଟର୍ମ ଡିପୋଜିଟ୍)ରେ ୪ କୋଟିରୁ ଅଧିକ ବରିଷ୍ଠ ନାଗରିକଙ୍କ ଜମା ରହିଛି। ସେହି ଜମାରାଶିରୁ ମିଳୁଥିବା ସୁଧକୁ ନେଇ ବରିଷ୍ଠ ନାଗରିକମାନେ ସେମାନଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ସେମାନଙ୍କ ଅଧିକାଂଶ ଖର୍ଚ୍ଚ ସ୍ଥାୟୀ ପ୍ରକାର। ବରିଷ୍ଠ ନାଗରିକଙ୍କ ଖର୍ଚ୍ଚର ୨୦% ସ୍ଥାୟୀ ଖର୍ଚ୍ଚ ବର୍ଗରେ ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ମିଳୁଥିବା ସୁଧ ଉପରୁ ଟିକସ କାଟିବା ନିଷ୍ପତ୍ତିର ପୁନର୍ବିଚାର କରିବା ଆବଶ୍ୟକତା ରହିଛି ବୋଲି ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିଭିନ୍ନ କାରଣ ଯୋଗୁଁ ବ୍ୟାଙ୍କଗୁଡ଼ିକ ଉପରେ ଚାପ ରହିଛି। ବ୍ୟାଙ୍କଗୁଡ଼ିକ ଲାଗି ମାର୍ଜିନ ବଜାୟ ରଖିବା ବେଶ କଷ୍ଟକର ହୋଇପଡ଼ିଛି।