ଭୁବନେଶ୍ବର: ରାଜ୍ୟ ଅର୍ଥନୀତିରେ ଖଣିଜ ଓ ଧାତବ ଶିଳ୍ପର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ରାଜସ୍ବ ସଂଗ୍ରହରେ ଏହି କ୍ଷେତ୍ର ଆଗରେ ରହୁଛି। ଚଳିତ ବର୍ଷ ଖଣି କାର୍ଯ୍ୟକଳାପରୁ ରାଜ୍ୟ ସରକାର ୪୭,୪୬୭.୯୩ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଲୁହାପଥର, କୋଇଲା ଓ ବକ୍ସାଇଟ୍‌ ଭଳି ପ୍ରମୁଖ ଖଣିଜ ପଦାର୍ଥରୁ ୪୬,୫୬୭.୨୮ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଲଘୁ ଖଣିଜରୁ ୯୦୦.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି। ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ତଥ୍ୟ ଅନୁସାରେ ୨୦୧୪-୧୫ରେ ଖଣି ରାଜସ୍ବ ପରିମାଣ ମାତ୍ର ୫୩୩୫.୦୫ କୋଟି ଟଙ୍କା ଥିଲା। ୨୦୧୮-୧୯ ପରଠାରୁ ଏହି କ୍ଷେତ୍ରରୁ ରାଜସ୍ବ ସଂଗ୍ରହ ହଠାତ୍‌ ତ୍ବରାନ୍ବିତ ହୋଇଥିଲା। ସେହିବର୍ଷ ୧୦,୦୩୯.୫୯ କୋଟି ଟଙ୍କାର ଖଣି ରାଜସ୍ବ ସଂଗ୍ରହ କରାଯାଇଥିଲା। ୨୦୨୧-୨୨ରେ ସର୍ବାଧିକ ୪୯,୮୫୯.୧୨ କୋଟି ଟଙ୍କାର ଖଣିଜ ରାଜସ୍ବ ସଂଗ୍ରହ କରାଯାଇଥିଲା, ଯାହା ଏକ ରେକର୍ଡ ହୋଇରହିଛି। ପରବର୍ତ୍ତୀ ବର୍ଷ ୨୦୨୨-୨୩ରେ ତାହା ୩୮,୦୭୫.୦୪ କୋଟି ଟଙ୍କାକୁ ହ୍ରାସ ପାଇଥିଲା ଏବଂ ୨୦୨୩-୨୪ରେ ୪୬,୩୯୬.୨୭ କୋଟି ଟଙ୍କା ଖଣି ରାଜସ୍ବ ସଂଗ୍ରହ ହୋଇଥିଲା। 

Advertisment

‌ତେବେ କେବଳ ଖଣି ନୁହେଁ, ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ଟିକସ ଆଦାୟ ବଢ଼ାଇବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଜୋର୍‌ ଦେଉଛନ୍ତି। ବାଣିଜ୍ୟିକ ଟିକସ ଭାବେ ୪୪,୩୯୪.୬୬ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିବର୍ଷ ୨୮,୧୭୪.୮୭ କୋଟି ଟଙ୍କାର ଜିଏସ୍‌ଟି, ୧୫,୯୬୯.୮୮ କୋଟି ଟଙ୍କାର ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ଓ ୨୫୦ କୋଟି ଟଙ୍କାର ବିକ୍ରି କର ସଂଗ୍ରହ କରିବା ଲକ୍ଷ୍ୟ ରଖିଛି। ସେହିପରି ଯାନ ଟିକସ ବାବଦରେ ୩୦୩୩.୬୮ କୋଟି ଟଙ୍କା, ୪୬୩୪.୬୮ କୋଟି ଟଙ୍କାର ବିଦ୍ୟୁତ୍‌ ଶୁଳ୍କ, ଶିଳ୍ପରୁ ୧୨୯୬.୩୫ କୋଟି ଟଙ୍କାର ଜଳ କର ଏବଂ ଜଳସେଚନରୁ ୨୫.୩୨ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜମି ରାଜସ୍ବ ବାବଦରେ ୯୮୦ କୋଟି ଟଙ୍କା, ୨୬୧୦.୩୬ କୋଟି ଟଙ୍କାର ଜମି ପଞ୍ଜୀକରଣ ଶୁଳ୍କ, ୯୭୫୩.୬୩ କୋଟି ଟଙ୍କାର ଅବକାରୀ ଶୁଳ୍କ ସଂଗ୍ରହ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।