ଚିନ୍ତା ବଢ଼ାଇଲାଣି ଟିକସ ଆୟ, ଆଦାୟ ୭୦ ହଜାର କୋଟି କମିବ

ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରଙ୍କୁ ରାଜସ୍ବ ଆଦାୟରେ ଝଟ୍‌କା ମିଳିବ। ଚଳିତ ଆର୍ଥିକ ବର୍ଷରେ ସରକାର ୧୨ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଆୟ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ରଖିଛନ୍ତି। ବର୍ଷ ଶେଷ ହେବାକୁ ଆଉ ତିନି ସପ୍ତାହ ବାକି ଥିବା ବେଳେ ମାତ୍ର ୮.୪ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ହୋଇଛି। ତେଣୁ ଚଳିତ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ଟିକସ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହେବେ ବୋଲି କୁହାଯାଉଛି। ଏଥର ଟିକସ ଆୟ ୭୦ ହଜାର କୋଟି ଟଙ୍କା କମ୍ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୨୦୧୮ ଏପ୍ରିଲ୍‌ରୁ ୨୦୧୯ ଜାନୁଆରି ମଧ୍ୟରେ ସରକାର ୭.୮୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ କରିଥିଲେ। ଆୟକର ଏବଂ କର୍ପୋରେଟ୍ ଟିକସ ଆକାରରେ ଅଧିକ ରାଜସ୍ବ ଆୟ ହେଉଛି। ଏହା ବ୍ୟତୀତ ସମ୍ପତ୍ତି ଟିକସ, ଇଷ୍ଟେଟ୍‌ ଟିକସ, ଉପହାର ଟିକସ, ପୁଞ୍ଜି ଲାଭ ଟିକସ ବାବଦରେ ମଧ୍ୟ ସରକାର ମୋଟା ଅଙ୍କର ରାଜସ୍ବ ଆୟ କରୁଛନ୍ତି।

୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୨ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ ହୋଇଥିଲା। ଏବର୍ଷ ବଜେଟ୍‌ରେ ସରକାର ଆକଳନ କରିଥିଲେ ଯେ ଏହି ଟିକସ ଆୟ ପରିମାଣ ୧୧.୫ ଲକ୍ଷ କୋଟି ଟଙ୍କା ହେବ। ପ୍ରାରମ୍ଭିକ ମାସଗୁଡ଼ିକରେ ଟିକସ ଆଦାୟ ଉତ୍ସାହଜନକ ରହିବା ଯୋଗୁ ସରକାର ବଜେଟ୍ ଲକ୍ଷ୍ୟକୁ ସଂଶୋଧିତ କରି ଜଣାଇଥିଲେ ଯେ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। କିଛି ଦିନ ପରେ ନିର୍ବାଚନ ହେବାକୁ ଯାଉଥିବାରୁ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଜନ କଲ୍ୟାଣମୂଳକ ଯୋଜନା ଘୋଷଣା କରିଛନ୍ତି। ସେହି ସବୁ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ବିପୁଳ ପରିମାଣର ପାଣ୍ଠିର ଆବଶ୍ୟକତା ରହିଛି। ଯେହେତୁ ସରକାରଙ୍କ ଆୟର ପ୍ରମୁଖ ଉତ୍ସ ହେଉଛି ଟିକସ, ତେଣୁ ସେହି ଆୟ କମିଲେ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ିଯାଏ। ଟିକସ ବ୍ୟତୀତ ଲାଭଜନକ ସରକାରୀ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର କରି ମଧ୍ୟ ସରକାର ମୋଟା ଅଙ୍କର ରାଜସ୍ବ ଆୟ କରିଥାନ୍ତି। ଚଳିତ ବର୍ଷର ପୁଞ୍ଜି ପ୍ରତ୍ୟାହାର ଯୋଜନା ଏତେଟା ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନାହିଁ। ଟିକସ ଆୟ କମ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ସରକାରଙ୍କ ପାଇଁ ଏକ ଖୁସି ଖବର ମଧ୍ୟ ରହିଛି। ତାହା ହେଉଛି ଅଧିକ ମାତ୍ରାରେ ଟିକସଦାତା ଆୟକର ରିଟର୍ଣ୍ଣ ଫାଇଲ୍‌ କରୁଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୧ ମାସରେ ୬.୪ କୋଟି ଟିକସଦାତା ରିଟର୍ଣ୍ଣ ଫାଇଲ୍ କରିଛନ୍ତି। ଚଳିତ ମାର୍ଚ ଶେଷ ସୁଦ୍ଧା ସେମାନଙ୍କ ସଂଖ୍ୟା ୭.୬ କୋଟି ଟପିଯିବ ବୋଲି ଅନୁମାନ କରାଯାଉଛି। ବିପୁଳ ପରିମାଣର ଆୟ କରି ଟିକସ ଦେଉନଥିବା ଟିକସଦାତାଙ୍କ ପାଖକୁ ଆୟକର ବିଭାଗ ଘନ ଘନ ନୋଟିସ୍‌ ଜାରି କରିବା ପରେ ଆୟକର ରିଟର୍ଣ୍ଣ ଦାଖଲ ପରିମାଣ ବଢ଼ିଛି।

ସମ୍ବନ୍ଧିତ ଖବର