ଜୟପୁର: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୫୫ତମ ବୈଠକରେ ଆଜି କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରିଟେଲର ଓ ଅନ୍ୟମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଗିଫ୍ଟ ଭାଉଚରକୁ ଜିଏସ୍‌ଟି ପରିସର ବାହାରେ ରଖାଯାଇଛି। ବ୍ୟବସାୟ ପ୍ରତିଷ୍ଠାନ କିଣୁଥିବା ୟୁଜଡ୍‌ ବା ପୁରୁଣା କାର୍‌ (ଇଭି ସମେତ) ଉପରେ ୧୨ ପ୍ରତିଶତ ପରିବର୍ତ୍ତେ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ ପାଇଁ ନିଷ୍ପତ୍ତି ହୋଇଛି। ମାର୍ଜିନରେ ବିକ୍ରି କରାଯାଉଥିବା ଏବଂ ଡେପ୍ରିସିଏସନ୍ ଦାବି କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଏହି କାର୍‌ କିଣିଲେ ଉକ୍ତ ହାରରେ ଜିଏସ୍‌ଟି ଦେବାକୁ ପଡ଼ିବ। ବିକ୍ରି ମୂଲ୍ୟ ଓ କ୍ରୟ ମୂଲ୍ୟ ଥିବା ପାର୍ଥକ୍ୟ ଉପରେ ଏହି ୧୮ ପ୍ରତିଶତ ଟିକସ ଲାଗିବ। କିନ୍ତୁ କୌଣସି ବ୍ୟକ୍ତି ସେମାନଙ୍କ ପୁରୁଣା ଯାନ ବିକିଲେ ବା କିଣିଲେ ତାହା ଉପରେ ୧୨ ପ୍ରତିଶତ ଜିଏସ୍‌ଟି ପୂର୍ବବତ୍‌ ଆଦାୟ କରାଯିବ। ନୂଆ ଇଭି ଉପରେ ୫ ପ୍ରତିଶତ ଜିଏସ୍‌ଟି ଆଦାୟ ହେବ ବୋଲି ‌ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। 

Advertisment

ଜିଏସ୍‌ଟି ପରିଷଦର ୫୫ତମ ବୈଠକ
ଫର୍ଟିଫାଏଡ୍‌ ଚାଉଳ ଜିଏସ୍‌ଟି ୫%କୁ କମିଲା
ସ୍ବାଦ ଅନୁସାରେ ପପକର୍ନ ଉପରେ ଟିକସ
ଏସିସି ବ୍ଲକ୍‌ ଉପରେ ଟିକସ ୧୨%କୁ ହ୍ରାସ
ଜିନ୍‌‌ ଥେରାପି ଜିଏସ୍‌ଟିମୁକ୍ତ
ଋଣ ଜରିମାନା ଉପରେ ଟିକସ ଛାଡ଼

ପପକର୍ନ ଉପରେ ଜିଏସ୍‌ଟି ଫ୍ଲେବର ବା ସ୍ବାଦର ପ୍ରକାର ଅନୁସାରେ ୫ ପ୍ରତିଶତ, ୧୨ ପ୍ରତିଶତ ଏବଂ ୧୮ ପ୍ରତିଶତ ହାରରେ ଆଦାୟ କରାଯିବ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଅଟୋକ୍ଲେଭଡ୍‌ ଏରେଟେଡ୍‌ କଂକ୍ରିଟ୍ (ଏଏସି) ବ୍ଲକ୍‌ ଯେଉଁଥିରେ ୫୦ ପ୍ରତିଶତରୁ ଅଧିକ ଫ୍ଲାଏ ଆସ୍‌ ରହିଛି ତାହାର ଜିଏସ୍‌ଟିକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି। ଫର୍ଟଫାଏଡ୍‌ ରାଇସ୍‌ କର୍ଣ୍ଣେଲ ବା ପୋଷକ ତତ୍ତ୍ବ ଥିବା ଚାଉଳ ଯେଉଁଥିପାଇଁ ବ୍ୟବହାର କରାଯାଉ ନା କାହିକି ତାହା ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବରୁ ଏହି ଟିକସରେ ରହିଥିବା ଜଟିଳତାକୁ ଦୂର କରାଯାଇଛି। ସେହିଭଳି ରେଡି-ଟୁ-ଇଟ୍ ପପକର୍ନ ଯଦି ବିନା ପ୍ୟାକେଜିଂରେ ଲୁଣ ଏବଂ ମସଲା ସହ ବିକ୍ରି କରାଯାଏ ତାହା ଉପରେ ୫ ପ୍ରତିଶତ ଆଦାୟ ହେବ। ପ୍ୟାକେଜିଂ ଏବଂ ଲେବେଲିଂ ହେଲେ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯିବ। ସୁଗାର କୋଟେଡ୍‌ ହେଲେ ତାହା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯିବ।  ଜିନ୍ ଥେରାପିକୁ ଜିଏସ୍‌ଟିମୁକ୍ତ କରାଯାଇଛି। ଋଣ ନେଇଥିବା ବ୍ୟକ୍ତିଙ୍କ ଉପରେ ବ୍ୟାଙ୍କ ଲଗାଉଥିବା ଜରିମାନା ରାଶି ଉପରେ କୌଣସି ଜିଏସ୍‌ଟି ଦେବାକୁ ହେବନାହିଁ। ବିମାନ ଇନ୍ଧନ (ଏଟିଏଫ୍‌)କୁ ଜିଏସ୍‌ଟି ପରିସରକୁ ଆଣିବା ଲାଗି ବୈଠକରେ କୌଣସି ସହମତି ପ୍ରକାଶ ପାଇନାହିଁ।  

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଷଦର ବୈଠକରେ ବୀମା ଉପରେ ଜିଏସ୍‌ଟି ହ୍ରାସ ନେଇ ଆଜି କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଏହି ପ୍ରସଙ୍ଗରେ ରହିଥିବା ଆଉ କିଛି ସମସ୍ୟାର ସମାଧାନ କରିବାକୁ ହେବ। ବୀମା ଉପରେ ଜିଏସ୍‌ଟି ହ୍ରାସ ପାଇଁ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିଗୋଷ୍ଠୀ (ଜିଓଏମ୍‌)କୁ ଏହା ଉପରେ ଅଧିକ ଆଲୋଚନା ପାଇଁ ଦାୟିତ୍ବ ଦିଆଯାଇଛି। ଶ୍ରୀ ଚୌଧୁରୀ କହିଛନ୍ତି, ବ୍ୟକ୍ତିଗତ, ଗୋଷ୍ଠୀ କିମ୍ବା ବରିଷ୍ଠ ନାଗରିକଙ୍କ ବୀମା ପଲିସି ଉପରେ ଜିଏସ୍‌ଟି ହ୍ରାସ ପାଇଁ ନିଷ୍ପତ୍ତି ନେବା ନିମନ୍ତେ ଆଉ ଥରେ ଜିଓଏମ୍‌ ବୈଠକର ଆବଶ୍ୟକତା ରହିଛି। କିଛି ସଦସ୍ୟ ଅଧିକ ଆଲୋଚନା ପାଇଁ ମତ ଦେଇଥିଲେ। ଜିଓଏମ୍‌ର ବୈଠକ ଆସନ୍ତା ଜାନୁଆରିରେ ହେବ ‌ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଜିଏସ୍‌ଟି ପରିଷଦ ଦ୍ବାରା ଗଠିତ ଜିଓଏମ୍‌ର ବୈଠକ ଗତ ନଭେମ୍ବରରେ ହୋଇଥିଲା। ଟର୍ମ ଲାଇଫ୍‌ ଇନସ୍ୟୁରାନ୍ସ ପ୍ରିମିୟମ ଉପରୁ ଜିଏସ୍‌ଟି ଛାଡ଼ ପାଇଁ ଜିଓଏମ୍‌ରେ ସହମତି ପ୍ରକାଶ ପାଇଥିଲା। ଏଥିସହିତ ବରିଷ୍ଠ ନାଗରିକମାନେ ସ୍ବାସ୍ଥ୍ୟ ବୀମା ପାଇଁ ପ୍ରଦାନ କରୁଥିବା ପ୍ରିମିୟମ ଉପରୁ ମଧ୍ୟ ଜିଏସ୍‌ଟି ଛାଡ଼ ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ଏହାବ୍ୟତୀତ ବରିଷ୍ଠ ନାଗରିକଙ୍କ ବ୍ୟତୀତ ଅନ୍ୟମାନଙ୍କ ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ପାଇଁ ପ୍ରଦାନ କରାଯାଉଥିବା ଜିଏସ୍‌ଟିକୁ ମଧ୍ୟ ଛାଡ଼ କରାଯିବା ପ୍ରସ୍ତାବ ରହିଛି। କିନ୍ତୁ ୫ ଲକ୍ଷ ଟଙ୍କାରୁ ଅଧିକ ସ୍ବାସ୍ଥ୍ୟ ବୀମା ପାଇଁ ପ୍ରଦାନ କରାଯାଉଥିବା ୧୮ ପ୍ରତିଶତ ଜିଏସ୍‌ଟି ଜାରି ରହିବ ବୋଲି କୁହାଯାଉଛି।