ଭୁବନେଶ୍ବର: ଲିଜ୍ ପ୍ରଦତ୍ତ ଖଣିଜ ଅଞ୍ଚଳରୁ ପିଛିଲା ଭାବେ ଟିକସ ଆଦାୟ କରିବା ପାଇଁ ଖଣି ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ଅନୁମତି ଅନୁସାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ଠାରୁ ଓଡ଼ିଶା ଆପାତତଃ ୩୧,୨୨୭ କୋଟି ଟଙ୍କା ପାଇବାର ସମ୍ଭାବନା ରହିଛି। ୨୦୦୫ ଏପ୍ରିଲ୍ ପରଠାରୁ ପ୍ରାୟ ୧୮-୧୯ ବର୍ଷ ପାଇଁ କମ୍ପାନି ଏହି ଟିକସ ଦେଇପାରେ। ତେବେ କିସ୍ତି ଆକାରରେ କମ୍ପାନି ୧୨ ବର୍ଷ ଭିତରେ ସେହି ଟଙ୍କା ଦେଇପାରିବ। ଏହା ବ୍ୟତୀତ ଚଳିତ ଆର୍ଥିକ ବର୍ଷଠାରୁ ନୂଆ ଅତିରିକ୍ତ ଟିକସ ଆକାରରେ ରାଜ୍ୟ ସରକାର ବାର୍ଷିକ ୧୨ ହଜାର କୋଟି ଟଙ୍କା ପାଇବାର ସମ୍ଭାବନା ରହିଛି। ଟାଟା ଷ୍ଟିଲ୍ଠାରୁ ପିଛିଲା ଟିକସ ଭାବେ ୧୭ ହଜାର କୋଟି ଟଙ୍କା ମିଳିବ। ଏହି ସମସ୍ତ ଟିକସ ରାଜ୍ୟ ରାଜକୋଷକୁ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରଭାବରେ ଓଡ଼ିଶାକୁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି। କିନ୍ତୁ ଯଦି ଏମସିଏଲ୍ ଏକାକୀ ଏତେ ଟଙ୍କା ଦେବାର ସମ୍ଭାବନା ରହିଛି, ତାହା ବିଚାରକୁ ନେଲେ ବାସ୍ତବରେ ରାଜ୍ୟକୁ ଆକଳନଠାରୁ ଯଥେଷ୍ଟ ଅଧିକ ଟଙ୍କା ମିଳିବା େବାଲି କୁହାଯାଇପାରିବ।
କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ପି ଏମ୍ ପ୍ରସାଦଙ୍କ ସୂଚନା ଅନୁସାରେ ଖଣି ଟିକସକୁ ନେଇ ସୁପ୍ରିମ୍କୋର୍ଟ ଦେଇଥିବା ରାୟ ଦ୍ବାରା ଦୁଇ ସହାୟକ କମ୍ପାନି ଏମ୍ସିଏଲ୍ ଓ ସେଣ୍ଟ୍ରାଲ୍ କୋଲ୍ଫିଲ୍ଡ ଲିମିଟେଡ୍ (ସିସିଏଲ୍) ପ୍ରଭାବିତ ହେବା ଆଶଙ୍କା ରହିଛି। ଯେହେତୁ ୨୦୦୫ ଏପ୍ରିଲ୍ ୧ରୁ ବକେୟା ଖଣି ଟିକସ ଅସୁଲ କରିବାର ଅଧିକାର ରାଜ୍ୟଗୁଡ଼ିକୁ ଦିଆଯାଇଛି, ତେଣୁ ସେହି ହିସାବରେ ଏମ୍ସିଏଲ୍କୁ ୩୧,୨୨୭ କୋଟି ଟଙ୍କା ଓ ସିସିଏଲ୍କୁ ମାତ୍ର ୩୬୪ କୋଟି ଟଙ୍କା ଦେବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରସାଦ କହିଛନ୍ତି ଯେ ଓଡ଼ିଶାରେ ‘ଓଡ଼ିଶା ଗ୍ରାମୀଣ ଭିତ୍ତିଭୂମି ଓ ସାମାଜିକ-ଅର୍ଥନୈତିକ ବିକାଶ ନିୟମ, ୨୦୦୪’କୁ ୨୦୦୫ଠାରୁ ଲାଗୁ କରାଯାଇଛି। ପ୍ରତିବାଦ ହେବାରୁ ପ୍ରଥମ ଚାରି ମାସ କମ୍ପାନି ସେହି ଟିକସ ଦେଇଥିଲା। ମାତ୍ର ଏହି ନିୟମ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ଓ ସେହି ମାମଲାକୁ ଓଡ଼ିଶା ସରକାର ହାରିଯାଇଥିଲେ। ତେଣୁ ରାଜ୍ୟ ସରକାର ନେଇଥିବା ଟଙ୍କା ଫେରାଇ ଦେଇଥିଲେ। ଏହାପରେ ଆମେ ଉକ୍ତ ଟଙ୍କା ଆମର ଯେଉଁ ଗ୍ରାହକ (ସଂସ୍ଥା)ମାନଙ୍କଠାରୁ ସଂଗ୍ରହ କରିଥିଲୁ, ସେମାନଙ୍କୁ ଫେରାଇ ଦେଇଥିଲୁ। ଏବେ ସୁପ୍ରିମ୍କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ଯଦି ରାଜ୍ୟଗୁଡ଼ିକ ଲାଗୁ କରିବେ ତେବେ ଆମେ ପୁଣି ଥରେ ଆମ ଗ୍ରାହକମାନଙ୍କଠାରୁ ସେହି ଟଙ୍କା ମାଗିବୁ। ଆମ ଉପରେ ଟିକସର ଯେଉଁ ବୋଝ ସୃଷ୍ଟି ହେବ ତାହାର ୭୦-୭୫ ପ୍ରତିଶତ ରାଶି ଆମେ ଗ୍ରାହକଙ୍କଠାରୁ ଆଣିବୁ। ଯେଉଁମାନଙ୍କ ସହିତ ଦୀର୍ଘକାଳୀନ ଇନ୍ଧନ ଯୋଗାଣ ବୁଝାମଣା ସ୍ବାକ୍ଷରିତ ହୋଇଛି, ସେମାନଙ୍କଠାରୁ ଏହି ଟଙ୍କା ସଂଗ୍ରହ କରାଯିବ। ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କଠାରୁ ୨୪-୨୫ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇପାରିବ। ତେଣୁ ମୋଟ ଉପରେ ଦେଖିଲେ ସୁପ୍ରିମ୍କୋର୍ଟଙ୍କ ରାୟ ଦ୍ବାରା ଆମକୁ ୬୦୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରସାଦଙ୍କ ଆକଳନ ସତ ହେଲେ ରାଜ୍ୟରେ ବିଦ୍ୟୁତ୍ ଦର ବଢ଼ିବା ଆଶଙ୍କା ଦେଖାଦେବ। କାରଣ ଏମ୍ସିଏଲ୍ଠାରୁ ଏନ୍ଟିପିସି ଭଳି ଯେଉଁ ବିଦ୍ୟୁତ୍ ଉତ୍ପାଦନକାରୀମାନେ କୋଇଲା କିଣିଛନ୍ତି, େସମାନେ ଟଙ୍କା ଗଣିବେ। ଯାହା ଦ୍ବାରା ସେମାନଙ୍କ ଉପରେ ଅତିିରିକ୍ତ ଆର୍ଥିକ ଚାପ ସୃଷ୍ଟି ହେବ। ଏହି କମ୍ପାନିଗୁଡ଼ିକ ଗ୍ରିଡ୍କୋ ସହ ଦୀର୍ଗକାଳୀନ ବିଦ୍ୟୁତ୍ କ୍ରୟ ଚୁକ୍ତି ସ୍ବାକ୍ଷର କରି ପାଇକାରୀ ଦରରେ ବିଦ୍ୟୁତ୍ ଯୋଗାଉଛନ୍ତି। ଗ୍ରିଡ୍କୋ ସେହି ବିଜୁଳିକୁ ବଣ୍ଟନ କମ୍ପାନି (ଡିସ୍କମ୍)ଙ୍କୁ ଦେଉଛି। ଯଦି ଉତ୍ପାଦନକାରୀମାନେ ଦର ବଢ଼ାଇବେ ତାହାର ପ୍ରଭାବ ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ପଡ଼ିପାରେ ବୋଲି ଆଶଙ୍କା ଘନୀଭୂତ ହୋଇଛି। ଚଳିତ ବର୍ଷ ଜୁଲାଇରେ ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟ ଦେଇ ଲିଜ୍ ପ୍ରଦତ୍ତ ଖଣି ଅଞ୍ଚଳ ଉପରେ ଟିକସ ଲାଗୁ କରିବାର ଅଧିକାର ରାଜ୍ୟଗୁଡ଼ିକର ରହିଛି ବୋଲି କହିଥିଲେ। ତାହାକୁ ପିଛିଲା ଭାବେ ଲାଗୁ ନ କରିବାକୁ କେନ୍ଦ୍ର ସରକାର ଓ ଖଣି କମ୍ପାନିଗୁଡ଼ିକ ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରିଥିଲେ ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟଗୁଡ଼ିକ ୨୦୦୫ ଏପ୍ରିଲ୍ ପରଠାରୁ ଟିକସ ଦାବି ଉପସ୍ଥାପନ କରିପାରିବେ। ଟିକସ ଦାବିକୁ ୨୦୦୬ରୁ ଲାଗୁ କରାଯିବ ଏବଂ କମ୍ପାନିଗୁଡ଼ିକ ୧୨ ବର୍ଷ ମଧ୍ୟରେ ବିଭିନ୍ନ କିସ୍ତିରେ ସେହି ଟଙ୍କା ଦେଇପାରିବେ।