ଖେଳନା ଶୁଳ୍କବୃଦ୍ଧିକୁ ବିରୋଧ, ବଜେଟରେ ଆମଦାନି ଶୁଳ୍କ ୨୦୦% ବଢ଼ାଇଛନ୍ତି ଅର୍ଥମନ୍ତ୍ରୀ

କୋଲକାତା: ବଜେଟ୍‌ରେ ଖେଳନାର ଆମଦାନି ଶୁଳ୍କ ୨୦୦ ପ୍ରତିଶତ ବୃଦ୍ଧି କରାଯାଇଥିବାରୁ ଏହାକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରିଛନ୍ତି। ଏଥିଯୋଗୁ ଖେଳନା ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହେବ ଏବଂ ଲକ୍ଷ ‌ଲକ୍ଷ ଲୋକ ସେମାନଙ୍କ ଜୀବିକା ହରାଇବେ ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଶୁଳ୍କ ବୃଦ୍ଧି ପ୍ରତିବାଦରୋ ଆଜି ଲକ୍ଷାଧିକ ପାଇକାରୀ ଖେଳଣା ବ୍ୟବସାୟୀ ଧର୍ମଘଟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବଜେଟରେ କେନ୍ଦ୍ର ସରକାର ଖେଳଣା ଉପରେ ଆମଦାନି ଶୁଳ୍କ ୨୦ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷରୁ ଏହାକୁ ଲାଗୁ କରାଯିବ। ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ସ୍ଥାନୀୟ ନିର୍ମାତାଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଖେଳଣା ଆମଦାନି ଉପରେ ଏତେମାତ୍ରାରେ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି ବୋଲି ଯୁକ୍ତି ଦର୍ଶାଉଛନ୍ତି। ଖେଳନା ଉପରେ ଆମଦାନି ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏହା ଖେଳନା ବ୍ୟବସାୟୀଙ୍କୁ ପ୍ରଭାବିତ କରିବ ଏବଂ ବେକାରି ବୃଦ୍ଧି କରିବ। ଖେଳନା ଉପରେ ଆମଦାନି ଶୁଳ୍ପ ୨୦୦ ପ୍ରତିଶତ ବୃଦ୍ଧି ଶିଳ୍ପ ପାଇଁ ଏକ ଧକ୍କା ସଦୃଶ। ଅଧିକ ଦାମ ଦେଇ ଖେଳଣା କିଣିବାକୁ ସାଧାରଣ ଗ୍ରାହକ ସକ୍ଷମ ହେବେନାହିଁ। ତେଣୁ ଖେଳନା ଉପରେ ଆମଦାନି ଶୁଳ୍କକୁ ପୂର୍ବଭଳି ୨୦ ପ୍ରତିଶତ ସ୍ତରରେ ରଖିବାକୁ ଦାବି କରାଯାଇଛି। ଏଥିପାଇଁ ଦିନିକିଆ ପ୍ରତୀକ ଧର୍ମଘଟ ଆଜି କରାଯାଇଛି ବୋଲି ପଶ୍ଚିମବଙ୍ଗ ଏକ୍ସମ୍ ଆସୋସିଏସନର ଯୁଗ୍ମ ସମ୍ପାଦକ ମୋହିତ ବନ୍ଥିଆ କହିଛନ୍ତି। ଧର୍ମଘଟ ଯୋଗୁ ସହରର କେନିଂ ଷ୍ଟ୍ରିଟ୍ ସ୍ଥିତ ପାଇକାରୀ ବଜାର ଖାଁ ଖାଁ ଦେଖାଯାଇଥିଲା। ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୋଲକାତା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସଂଘର ପ୍ରତିନିଧିମାନେ ଅର୍ଥମନ୍ତ୍ରୀଙ୍କୁ ଭେଟିବେ ବୋଲି ଶ୍ରୀ ବନ୍ଥିଆ କହିଛନ୍ତି।

ସମ୍ବନ୍ଧିତ ଖବର