୨୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଡ ପେମେଣ୍ଟ୍‌ ଉପରୁ ଶୁଳ୍କ ଛାଡ଼

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାରକୁ ବୃଦ୍ଧି କରିବା ପାଇଁ ସରକାର ଆଜି ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିଟିଜାଲ କାରବାରରେ ସରକାର ମର୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଚାର୍ଜକୁ ଆସନ୍ତା ଜାନୁଆରି ପହିଲାରୁ ୨ ବର୍ଷ ପର୍ଯ୍ୟନ୍ତ ଛାଡ଼ କରିବେ। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ର ଆଇନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ସରକାର ବ୍ୟାଙ୍କ ଓ ବ୍ୟବସାୟୀଙ୍କୁ ଏମ୍‌ଡିଆର୍‌ ଚାର୍ଜ ବାବଦ ରାଶି ଭରଣା କରିବେ। ଡେବିଟ୍‌ କାର୍ଡ, ଆଧାର ମାଧ୍ୟମରେ ହେଉଥିବା ଅର୍ଥ ପୈଠ(ଏଇପିଏସ୍‌), ୟୁପିଆଇ(ଭିମ୍‌ ଆପ୍‌) ମାଧ୍ୟମରେ ଅର୍ଥ ପୈଠ କରିଲେ ସରକାର ଏହି ଚାର୍ଜକୁ ଭରଣା କରିବେ ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି। ୨ ବର୍ଷ ପାଇଁ ଏହି ଚାର୍ଜ ବାବଦରେ ସରକାରଙ୍କୁ ୨୫୧୨ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ। ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୫୦ କୋଟି ଟଙ୍କା ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୬୨ କୋଟି ଟଙ୍କା ବହନ କରିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର