ନୂଆଦିଲ୍ଲୀ: ଲୋକମାନେ ବ୍ୟବହାର କରୁଥିବା ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ୧ ପ୍ରତିଶତ ଟିକସ ଲଗାଇଛନ୍ତି। ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୧ ପ୍ରତିଶତ ଟିସିଏସ୍ (ଉତ୍ସରୁ ଟିକସ ସଂଗ୍ରହ) ଲାଗୁ କରାଯାଇଛି। ଏହି ଟିକସ ଚଳିତ ବର୍ଷ ଜାନୁଆରି ୧ରୁ ଲଗାଇବାର ଯୋଜନା ଥିଲା। ମାତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ବିଳମ୍ବ ହୋଇଥିବାରୁ ତାହା ଏପ୍ରିଲ୍ ୨୨ରୁ ଲାଗୁ କରାଯାଇଛି।
ବୋର୍ଡ ଦେଇଥିବା ସୂଚନା ଅନୁସାରେ ବିଳାସପୂର୍ଣ୍ଣ ହାତଘଣ୍ଟା, କଳାକୃତି, ପୁରାତନ ସାମଗ୍ରୀ, ଚିତ୍ରକଳା, ସ୍ଥାପତ୍ୟ କଳା, ୟଟ୍, ରୋଇଂ ବୋଟ୍, କାନୋଇ, ହେଲିକପ୍ଟର, ଚଷମା, ହାଣ୍ଡ୍ବ୍ୟାଗ୍, ପର୍ସ, ଜୋତା, ସଂଗ୍ରହ କରାଯାଉଥିବା କଏନ୍ ଓ ଷ୍ଟାମ୍ପ୍, ସ୍ପୋର୍ଟସ୍ଓୟାର, ଗଲ୍ଫ କିଟ୍, ସ୍କି ଓୟାର, ହୋମ୍ ଥିଏଟର, ଦୌଡ଼ କିମ୍ବା ପୋଲୋ ଉଦ୍ଦେଶ୍ୟରେ କିଣା ଯାଉଥିବା ଘୋଡ଼ା ଉପରେ ଏହି ଟିକସ ଲଗାଯିବ। ଯଦି ଏହି ସାମଗ୍ରୀଗୁଡ଼ିକୁ କିଣିବାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ, ତେବେ ତାହା ଉପରେ ୧ ପ୍ରତିଶତ ଟିକସ ଗଣିବାକୁ ପଡ଼ିବ।
ଆୟକର ନିୟମର ଧାରା ୨୦୬ସି ଅନୁସାର ଏହି ଟିକସ ଲଗାଯାଇଛି। ଦେଶରେ ବିକ୍ରି ହେଉଥିବା ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡ଼ି, ବିଦେଶ ଯାତ୍ରା, ବିଦେଶରୁ ଆସୁଥିବା ରେମିଟାନ୍ସ ଅର୍ଥ ଓ ବିଦେଶ ଟୁର୍ ପ୍ୟାକେଜ୍ ଉପରୁ ଟିସିଏସ୍ ସଂଗ୍ରହ କରାଯାଉଥିଲା। ଏବେ ସେହି ତାଲିକାରେ ଆହୁରି ଅନେକ ବିଳାସପୂର୍ଣ୍ଣ ସାମଗ୍ରୀ ନାମ ଯୋଡ଼ାଯାଇଛି।
ଏ ସମ୍ପର୍କରେ ସରକାର କହିଛନ୍ତି ଯେ ୨୦୨୪ ବଜେଟ୍ ଘୋଷଣା ଅନୁସାରେ ଏହା ଦେଖାଯାଉଛି ଧନୀକ ବର୍ଗର ଲୋକମାନେ ବିଳାସପୂର୍ଣ୍ଣ ଜିନିଷ କିଣିବାରେ ଖର୍ଚ୍ଚ ବଢ଼ାଇଛନ୍ତି। ସେହିଭଳି ଖର୍ଚ୍ଚ ଉପରେ ନଜର ରଖିବା ଏବଂ ଦେଶର ଟିକସଦାତା ପରିସରକୁ ବ୍ୟାପକ କରିବା ଲାଗି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ଜିନିଷ ଉପରେ ୧ ପ୍ରତିଶତର ଟିସିଏସ୍ ଲଗାଯାଇଛି।