୭୦ ଟଙ୍କାର ପେଟ୍ରୋଲ୍‌ରେ ୫୦ ଟଙ୍କା ଟିକସ

ଟିକସ ନଥିଲେ ୨୧-୨୨ ଟଙ୍କାରେ ମିଳନ୍ତା ପେଟ୍ରୋଲ୍‌, ଡିଜେଲ୍‌

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୨୦ ଡଲାର ଭଳି ନିମ୍ନ ସ୍ତରକୁ ଖସିଯାଇଥିଲେ ମଧ୍ୟ ତାହାର ଲାଭ ଗ୍ରାହକଙ୍କୁ ମିଳୁନାହିଁ। ସରକାର ନିୟମିତ ବ୍ୟବଧାନରେ ଟିକସ ବଢ଼ାଇବାରେ ବ୍ୟସ୍ତ। ଏବେ ୭୦-୭୧ ଟଙ୍କାରେ ବିକ୍ରି ହେଉଥିବା ଏକ ଲିଟର ପେଟ୍ରୋଲ୍ ଉପରେ ସରକାର ପ୍ରାୟ ୫୦ ଟଙ୍କାର ଟିକସ ଆଦାୟ କରୁଛନ୍ତି ଯାହା ବିଶ୍ବର ଯେକୌଣସି ଦେଶ ତୁଳନାରେ ସର୍ବାଧିକ। କରୋନା ସଙ୍କଟ ଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ତେଲ ଏବଂ ମଦ ଉପରେ ଟିକସ ବଢ଼ାଇ ସେମାନଙ୍କ ରାଜକୋଷ ଭର୍ତି କରିବାକୁ ଉଦ୍ୟମ କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା…

ଟିକସ ନଥିଲେ ୨୧-୨୨ ଟଙ୍କାରେ ମିଳନ୍ତା ପେଟ୍ରୋଲ୍‌, ଡିଜେଲ୍‌
ନୂଆଦିଲ୍ଲୀ : ବର୍ତ୍ତମାନ ପେଟ୍ରୋଲ୍ ପମ୍ପ୍‌ରେ ବିକ୍ରି ହେଉଥିବା ଲିଟର ପିଛା ପେଟ୍ରୋଲ୍‌ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୫୦ ଟଙ୍କାର ଟିକସ ଲଗାଇଛନ୍ତି। ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍‌ ୭୧ ଟଙ୍କା ୨୬ ପଇସାରେ ବିକ୍ରି ହେଉଛି। ଏହା ଉପରେ ମୋଟ ୪୯ ଟଙ୍କା ୪୨ ପଇସାର ଟିକସ ଲଗାଯାଇଛି। କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ଓ ରାଜ୍ୟ ସରକାର ୧୬ ଟଙ୍କା ୪୪ ପଇସାର ଟିକସ ଆଦାୟ କରୁଛନ୍ତି। ଟିକସ ନଥିଲେ ଗ୍ରାହକମାନେ ୨୧ ଟଙ୍କା ୮୪ ପଇସାରେ ଏକ ଲିଟର ପେଟ୍ରୋଲ୍ କିଣିପାରନ୍ତେ। ଟିକସ ଲାଗୁଥିବାରୁ ଲୋକମାନେ ଚାରି ଗୁଣା ଅଧିକ ଦାମ୍‌ରେ ତେଲ କିଣିବାକୁ ବାଧ୍ୟ ହେଉଛନ୍ତି।

ସେହିପରି, ଦିଲ୍ଲୀରେ ଏକ ଲିଟର ଡିଜେଲ୍‌ର ଦାମ୍ ୬୯ ଟଙ୍କା ୩୯ ପଇସା ରହିଛି। ଏହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୪୮ ଟଙ୍କା ୯ ପଇସାର ଟିକସ ଲଗାଇଛନ୍ତି। କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସାର ଟିକସ ନେଉଥିବା ବେଳେ ରାଜ୍ୟ ସରକାର ୧୬ ଟଙ୍କା ୨୬ ପଇସାର ଟିକସ ଲାଗୁ କରିଛନ୍ତି। ଯଦି ଟିକସ ନଥାନ୍ତା ତେବେ ଏକ ଲିଟର ଡିଜେଲ୍‌କୁ ଗ୍ରାହକମାନେ ୨୧ ଟଙ୍କା ୩୦ ପଇସାରେ କିଣିପାରନ୍ତେ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ଏବେ ୨୦ ଡଲାର ପାଖାପାଖି ରହିଛି। ଏକ ବ୍ୟାରେଲ ୧୫୮ ଲିଟର ସହ ସମାନ। ଆନ୍ତର୍ଜାତିକ ବଜାରରେ ତେଲ କାରବାର ଡଲାରରେ ହୋଇଥାଏ। ଏକ ଡଲାର ଦାମ୍ ଏବେ ୭୫ ଟଙ୍କା ପାଖାପାଖି ରହିଛି। ଭାରତୀୟ ମୁଦ୍ରା ହିସାବରେ ୨୦ ଡଲାର ଏବେ ୧୫୦୦ ଟଙ୍କା ସହ ସମାନ। ତେଣୁ, ଏକ ଲିଟର ଅଶୋଧିତ ତେଲ କିଣିବାକୁ ତେଲ କଂପାନିଗୁଡ଼ିକୁ ମାତ୍ର ୯ ଟଙ୍କା ୪୯ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି। ବହୁ ମାସ ପୂର୍ବରୁ କେନ୍ଦ୍ର ସରକାର ତୈଳ ଦର ନିର୍ଧାରଣ ପ୍ରକ୍ରିୟାକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିଛନ୍ତି। ତେଲ କଂପାନିଗୁଡ଼ିକ ଅଶୋଧିତ ତେଲର ୧୫ ଦିନର ହାରାହାରି ଦାମ୍ ଏବଂ ଡଲାର-ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ପ୍ରତିଦିନ ତେଲ ଦରରେ ସଂଶୋଧନ କରୁଛନ୍ତି। ଏହି ନିୟମ ପ୍ରଚଳନରେ ଅଛି। କିନ୍ତୁ କରୋନା ସଙ୍କଟ ଆରମ୍ଭ ହେବାର ପରବର୍ତୀ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅପରିବର୍ତିତ ରହିଥିଲା। ଅଶୋଧିତ ତେଲ ଦରରେ ଯେଉଁଭଳି ହ୍ରାସ ଘଟିଛି ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଦିଆଯାଇନାହିଁ। ଯେତେବେଳେ ଦର ହ୍ରାସର ସୁଯୋଗ ସୃଷ୍ଟି ‌ହୋଇଥାଏ ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବଢ଼ାଇ ଦିଅନ୍ତି। ଫଳରେ ଗ୍ରାହକମାନେ ଶସ୍ତାରେ ପେଟ୍ରୋଲ୍ କିମ୍ବା ଡିଜେଲ୍‌ କିଣିବାରୁ ବଞ୍ଚିତ ହୋଇଥାନ୍ତି। ଏହା ପ୍ରଥମ ଥର ଘଟିନାହିଁ। ଏହା ପୂର୍ବରୁ କେନ୍ଦ୍ର ସରକାର ଅନେକ ଥର ଏଭଳି ଉତ୍ପାଦନ ଶୁଳ୍କ ବଢ଼ାଇଛନ୍ତି। ଗତକାଲି ହଠାତ୍‌ ପେଟ୍ରୋଲ୍‌ ଉପରେ ଟିକସ ୧୦ ଟଙ୍କା ଓ ଡିଜେଲ୍ ଉପରେ ୧୩ ଟଙ୍କା ବଢ଼ାଇଥିଲେ। ଏହାର ପ୍ରଭାବରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ର ବିକ୍ରି ମୂଲ୍ୟରେ ଟିକସର ଭାଗ ପ୍ରାୟ ୭୦ ପ୍ରତିଶତ ସ୍ତରରେ ପହଞ୍ଚିଯାଇଛି। ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କାର୍ଯ୍ୟ ଆରମ୍ଭ କରିବା ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଟିକସକୁ ୧୨ ଥର ବୃଦ୍ଧି କରାଯାଇଛି। ମାତ୍ର ଦୁଇ ଥର ଟିକସ ହ୍ରାସ କରାଯାଇଛି। ୨୦୧୪ ଏପ୍ରିଲ୍ ପରେ ପେଟ୍ରୋଲ୍‌ରେ ଟିକସ ପରିମାଣ ୨୪୮ ପ୍ରତିଶତ ଓ ଡିଜେଲ୍‌ରେ ୭୯୪ ପ୍ରତିଶତ ବଢ଼ିଛି। ସେହି ସମୟରେ ରାଜ୍ୟ ସରକାରଗୁଡ଼ିକ କିନ୍ତୁ ପେଟ୍ରୋଲ୍ ଉପରେ ଭାଟ୍ ୫୪ ପ୍ରତିଶତ ଓ ଡିଜେଲ୍‌ରେ ୧୮୪ ପ୍ରତିଶତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର