ପେ‌‌ଟ୍ରୋଲ୍‌, ଡିଜେଲ୍‌ରୁ ଟିକସ ଆୟ: ଆଠ ମାସରେ ୧,୯୬,୩୪୨ କୋଟି

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଉଚ୍ଚ ସ୍ତରରେ ରହିବା କାରଣରୁ‌ ଦେଶ ଭିତରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଚଢ଼ା ଦାମ୍‌ରେ ବିକ୍ରି ହେଉଛି। ଗୋଟିଏ ପଟେ ଏହା ଗ୍ରାହକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଅନ୍ୟପଟେ ସରକାରଙ୍କ ରାଜସ୍ବ ଚିନ୍ତାକୁ ଏହା ହ୍ରାସ କରିବାରେ ସହାୟକ ହୋଇଛି। ପେଟ୍ରୋଲ୍‌ର ଖୁଚୁରା ଦାମ୍‌ରେ ପ୍ରାୟ ୬୨% ହେଉଛି ଟିକସ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଲଗାଇଛନ୍ତି। କେନ୍ଦ୍ର ଉତ୍ପାଦନ ଶୁଳ୍କ ଲଗାଇଥିବା ବେଳେ ରାଜ୍ୟ ସରକାର ଭାଟ୍ ଆଦାୟ କରୁଛନ୍ତି। ୨୦୨୦ର ଏପ୍ରିଲ୍‌ରୁ ନଭେମ୍ବର ଭିତରେ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରୁ ୧,୯୬,୩୪୨ କୋଟି ଟଙ୍କାର ଟିକସ ଆଦାୟ କରିଛନ୍ତି।

୨୦୧୯ର ଏହି ସମୟରେ ଏହାଠାରୁ ୪୮% କମ୍ ଅର୍ଥାତ ୧,୩୨,୮୯୯ କୋଟି ଟଙ୍କା ଆଦାୟ ହୋଇଥିଲା। କରୋନା ମହାମାରୀ ପ୍ରଭାବ ଯୋଗୁଁ ଚଳିତ ବର୍ଷ ଏହି ଆଠ ମାସ ଭିତରେ ଡିଜେଲ୍ ବିକ୍ରି ୧୦ ନିୟୁତ ଟନ୍ କମ୍ ରହିଛି। ଏହା ସତ୍ତ୍ବେ କେନ୍ଦ୍ରର ଉତ୍ପାଦନ ଶୁଳ୍କ ଆଦାୟ ୪୮% ବଢ଼ିଛି। ଏହି ସମୟରେ ୪୪.୯ ନିୟୁତ ଡିଜେଲ୍ ବିକ୍ରି ହୋଇଥିବା ବେଳେ ୧୭.୪ ନିୟୁତ ଟନ୍ ପେଟ୍ରୋଲ୍ ବିକ୍ରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନ ଭାଗ ଗ୍ରହଣ କରିବା ବେଳକୁ ଏକ ଲିଟର ପେଟ୍ରୋଲ୍‌ରେ ଉତ୍ପାଦନ ଶୁଳ୍କ ପରିମାଣ ୯ ଟଙ୍କା ୪୮ ପଇସା ଓ ଡିଜେଲ୍‌ରେ ୩ ଟଙ୍କା ୫୬ ପଇସା ଥିଲା। ୨୦୧୪ରୁ ୨୦୧୬ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍‌ରେ ଉତ୍ପାଦନ ଶୁଳ୍କ ୯ ଥର ବଢ଼ାଇଛନ୍ତି। ଗତବର୍ଷ କେନ୍ଦ୍ର ସରକାର ଦୁଇ ଥରରେ ପେଟ୍ରୋଲ୍‌ରେ ଉତ୍ପାଦନ ଶୁଳ୍କ ୧୩ ଟଙ୍କା ବଢ଼ାଇଥିବା ବେଳେ ଡିଜେଲ୍‌ରେ ୧୬ ଟଙ୍କା ବଢ଼ାଇଛନ୍ତି। ମୋଟ ଉପରେ ଏବେ ଏକ ଲିଟର ପେଟ୍ରୋଲ୍‌ରୁ ୩୨ ଟଙ୍କା ୯୮ ପଇସା ଓ ଡିଜେଲ୍‌ରୁ ୩୧ ଟଙ୍କା ୮୩ ପଇସାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଆଦାୟ କରାଯାଉଛି।

ଏକ ଲିଟର ପେଟ୍ରୋଲ୍‌ ମୂଲ୍ୟରେ କେନ୍ଦ୍ର ସରକାର ଲଗାଇଥିବା ଟିକସ ଭାଗ ୩୯ ପ୍ରତିଶତ ରହିଥିବା ବେଳେ ଡିଜେଲ୍‌ରେ ୪୨.୫ ପ୍ରତିଶତ ରହିଛି। ୨୦୧୪-୧୫ରେ ତୈଳରୁ ୯୯ ହଜାର କୋଟି ଟଙ୍କାର ଉତ୍ପାଦନ ଶୁଳ୍କ ଆଦାୟ କରାଯାଇଥିଲା। ୨୦୧୬-୧୭ରେ ତାହା ବହୁ ଗୁଣ ବୃଦ୍ଧି ପାଇ ୨,୪୨,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ‌ସରକାର ପେଟ୍ରୋଲ୍ ଓ ଡିଜେଲ୍‌ରୁ ମୋଟ ୨,୩୯,୫୯୯ କୋଟି ଟଙ୍କାର ରାଜସ୍ବ ଆୟ କରିଥିଲେ। ‌

ସମ୍ବନ୍ଧିତ ଖବର