ତେଲରୁ ଏବେ ଟିକସ କମିବନି, ଭିତ୍ତିଭୂମି ବିକାଶ ଲାଗି ପାଣ୍ଠି ଯୋଗାଡ଼ ହେଉଛି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ନିକଟ ଭବିଷ୍ୟତରେ ହ୍ରାସ ପାଇବାର କମ୍ ସମ୍ଭାବନା ରହିଛି। କାରଣ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତେଲରୁ ସଂଗ୍ରହ କରାଯାଉଥିବା ଟିକସରେ କୌଣସି ହ୍ରାସ ହେବାର ନାହିଁ। ରାଜସ୍ବ ଆୟ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସରକାର ଟିକସ କମ୍ କରିବାକୁ ଚାହୁନାହାନ୍ତି। ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଶସ୍ତା ହେବ ତେବେ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍ ଦାମ୍‌ କମ୍ ହୋଇପାରେ ବୋଲି କୁହାଯାଉଛି।

କରୋନା ମହାମାରୀର ଦ୍ବିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିର ଗତି ବଢ଼ାଇବା ଲାଗି ଅତିରିକ୍ତ ବ୍ୟୟ କରିବା ଉପରେ ସରକାର ‌ଜୋର ଦେଉଛନ୍ତି। ଏଭଳି ସମୟରେ ତେଲ ଟିକସ ହ୍ରାସ କଲେ ପାଣ୍ଠି ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିବ। ସେଥିପାଇଁ ଟିକସ କାଟ ବିଷୟରେ ବିଚାର କରାଯାଉନାହିଁ। ଯଦି ତେଲର ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ହ୍ରାସ କରାଯିବ ତେବେ ବିତ୍ତୀୟ ନିଅଣ୍ଟ ଉପରେ ତାହାର ୦.୫୮% ଓ ଦରଦାମ୍ ଉପରେ ମାତ୍ର ୦.୨% ପ୍ରଭାବ ପଡ଼ିବ।

ସେଥିପାଇଁ ସରକାର ଟିକସ ହ୍ରାସ କରିବାକୁ ଚାହୁନାହାନ୍ତି। ନିକଟ‌ରେ ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଥିଲେ ଯେ ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଡ଼ କରିବା ଲାଗି ପେ‌ଟ୍ରୋଲ୍ ଓ ଡିଜେଲ୍‌ରେ ଟିକସ ବୃଦ୍ଧି କରାଯାଇଛି। ଲୋକମାନଙ୍କ କୋଭିଡ୍ ଟିକାକରଣ ବ୍ୟୟକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବହନ କରିଛନ୍ତି। ଏବାବଦରେ ୪୦,୦୦୦-୪୧,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଖାଦ୍ୟ ଓ ସାର ସବ୍‌ସିଡି ପାଇଁ ମଧ୍ୟ ସରକାରଙ୍କ ପାଖରେ ଆବଶ୍ୟକ ପରିମାଣର ପାଣ୍ଠି ରହିଛି। ଟିକା ବାବଦରେ ଅତିବେଶିରେ ୫୦୦୦-୬୦୦୦ କୋଟି ଟଙ୍କା ଅଧିକ ବ୍ୟୟ ହୋଇପାରେ ବୋଲି ଆକଳନ କରାଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ତେଲରୁ କେନ୍ଦ୍ର ସରକାର ୩.୩୫ ଲକ୍ଷ କୋଟି ଟଙ୍କା ହାସଲ କରିଛନ୍ତି। ଗତବର୍ଷ କରୋନା ମହାମାରୀ ବ୍ୟାପିବା ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ଯେତେବେଳେ ୨୦-୩୦ ଡଲାର ଭଳି ନିମ୍ନ ସ୍ତରକୁ ଖସିଆସିଥିଲା ସେତେବେଳେ ସରକାର ପେଟ୍ରୋଲ୍ ଓ ଡିଜେଲ୍‌ରେ ଟିକସ ୧୦ ଟଙ୍କାରୁ ଅଧିକ ଲେଖାଏଁ ବଢ଼ାଇଥିଲେ। ଫଳରେ ପେଟ୍ରୋଲ୍ ଉପରେ କେନ୍ଦ୍ରୀୟ ଟିକସ ପରିମାଣ ପ୍ରାୟ ୩୨-୩୩ ଟଙ୍କାକୁ ଓ ଡିଜେଲ୍‌ରେ ୩୧-୩୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ଅଶୋଧିତ ତେଲ ଦାମ୍ ହ୍ରାସ ପାଇବାର କୌଣସି ଲାଭ ଗ୍ରାହକଙ୍କୁ ମିଳିନଥିଲା। ଚଳିତ ବର୍ଷ ଏହି ଦାମ୍ ୭୫ ଡଲାର ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଥିବା ବେଳେ ସରକାର ଆଉ ବଢ଼ାଇଥିବା ଟିକସ କମ୍ କରୁନାହାନ୍ତି। ତେଣୁ ଦେଶର ପ୍ରାୟ ସବୁ ସ୍ଥାନରେ ଲୋକମାନଙ୍କୁ ଲିଟର ପିଛା ୧୦୦ରୁ ଅଧିକ ଟଙ୍କା ଦେଇ ପେଟ୍ରୋଲ୍ କିଣିବାକୁ ପଡ଼ୁଛି। ଡିଜେଲ୍ ଦାମ୍ ମଧ୍ୟ ୧୦୦ ଟଙ୍କା ପାଖାପାଖି ରହିଛି। ଏହାକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଛି। କିନ୍ତୁ ତେଲ ଦରବୃଦ୍ଧିର ମୁକାବିଲା ଲାଗି ସରକାର କୌଣସି ଯୋଜନା ରଖିଥିବା ଭଳି ମନେ ହେଉନି। ଗ୍ରାହକମାନଙ୍କ ଲାଗି ଏକ ଆଶ୍ବସ୍ତି ଖବର ହେଉଛି ଗତ ଚାରି ଦିନ ହେଲାଣି ତୈଳ ଦର ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧିତ ଖବର