୨୦୨୨-୨୩ରେ ୪୦,୦୦୦ ନୂଆ ନିଯୁକ୍ତି ଦେବ ଟିସିଏସ

ଚନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ କମି ଆସୁଥିବାବେଳେ ଅର୍ଥନୀତି ପୁଣି ଅଭିବୃଦ୍ଧି ପଥକୁ ଫେରିବା ଆରମ୍ଭ କରିଛି । ଏହା ସହିତ ତାଳ ଦେଇ ନିଯୁକ୍ତି ବଜାରରେ ମଧ୍ୟ ଉତ୍ସାହ ଫେରୁଛି । ଦେଶର ବୃହତ୍ତମ ଆଇଟି କମ୍ପାନି ଟିସିଏସ୍ ଚଳିତ ଆର୍ଥକ ବର୍ଷରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି ।

କମ୍ପାନି ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ବି ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଆଇଟି ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଯ଼ୋଗୁଁ କମ୍ପାନି ଧାର୍ୟ୍ୟ ଲକ୍ଷ୍ୟଠାରେ ଢେର ଅଧିକ ସଂଖ୍ୟକ ପ୍ରାୟ ୧ ଲକ୍ଷ କ୍ୟାମ୍ପସ ନିଯୁକ୍ତି ପ୍ରଦାନ କରିଥିଲା । କେବଳ ୪ର୍ଥ ତିନିମାସରେ କମ୍ପାନି ୩୫ ହଜାର ନିଯୁକ୍ତି ପ୍ରଦାନ କରିଥିଲା । ଏହାକୁ ମିଶାଇ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ଏବେ ୫,୯୨,୧୨୫ ରହିଛି । ୨୦୨୧ (ଜାନୁଆରି ରୁ ଡିସେମ୍ବର) ରେ କମ୍ପାନି ପ୍ରାୟ ୪୦୧୬୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ।
କରୋନା ମହାମାରୀ ପ୍ରଭାବରୁ ଅନ୍ୟ ଶିଳ୍ପକ୍ଷେତ୍ରଗୁଡ଼ିକରେ ଅଭିବୃଦ୍ଧି କମିଥିବାବେଳେ ଆଇଟି କ୍ଷେତ୍ରରେ ଅଭିବୃଦ୍ଧି ବଢିଛି । ଅଧିକ ଲୋକ ଡିଜିଟାଇଜେସନକୁ ଗ୍ରହଣ କରୁଥିବାରୁ ଏପରି ହେଉଛି ବୋଲି କୁହାଯାଉଛି । କେବଳ ଟିସିଏସ ନୁହେଁ, ଅନ୍ୟ କମ୍ପାନିମାନେ ବି ଚଳିତ ଆର୍ଥିକ ବର୍ଷରେ ଅଧିକ ନିଯୁକ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର