ନୂଆଦିଲ୍ଲୀ: ବିଶ୍ବ ସୂଚନା ପ୍ରଯୁକ୍ତି ଦୁନିଆରେ ଛଟେଇ ଏକ ସ୍ବାଭାବିକ ଘଟଣାରେ ପରିଣତ ହୋଇଥିଲା। ଭାରତରେ କିଛି ଷ୍ଟାର୍ଟଅପ୍ ସଂସ୍ଥା ମଧ୍ୟରେ ସୀମିତ ଥିବା ଛଟେଇ ସମସ୍ୟା ଏବେ ପ୍ରମୁଖ ଆଇଟି କମ୍ପାନିରେ ପହଞ୍ଚିଛି। ଦେଶର ଅନ୍ୟତମ ବଡ଼ ଆଇଟି କମ୍ପାନି ଟିସିଏସ୍‌ ଏହାର ୨ ପ୍ରତିଶତ କର୍ମଚାରୀ କମ୍ କରିବା ଉପରେ ବିଚାର କରୁଛି, ଯାହାର ସଂଖ୍ୟା‌ ୧୨ ହଜାର ପାଖାପାଖି ହେବ ବୋଲି ଆକଳନ କରାଯାଇଛି।

Advertisment

୨୦୨୬ରେ କମ୍ପାନି ୧୨,୨୦୦ କର୍ମଚାରୀଙ୍କୁ ବିଦା କରିବ। ବିଶେଷ କରି ମଧ୍ୟମ ଓ ବରିଷ୍ଠ ଭୂମିକାରେ କାମ କରୁଥିବା କର୍ମଚାରୀମା‌ନେ ଏହା ଦ୍ବାରା ପ୍ରଭାବିତ ହେବେ। କମ୍ପାନି ନୂଆ ପ୍ରଯୁକ୍ତି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ନିବେଶ ବଢ଼ାଉଥିବା ବେଳେ କର୍ମଚାରୀ କମ୍ କରିବାକୁ ଯାଉଛି। ଟିସିଏସ୍‌ ପାଇଁ ଭାରତ ସମେତ ବିଭିନ୍ନ ଦେଶରେ ୬,୧୩,୦୦୦ କର୍ମଚାରୀ କାମ କରୁଛନ୍ତି। କମ୍ପାନି ଆଗାମୀ ଦିନରେ କରିବାକୁ ଥିବା ଛଟେଇ ସବୁ ଦେଶରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରଭାବିତ କରିବ। କିଛି ଦିନ ପୂର୍ବେ ଟିସିଏସ୍‌ ବିରୋଧରେ ଏକ ଅଭିଯୋଗ ଆସିଥିଲା ଯେ ୬୦୦ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବା ସତ୍ତ୍ବେ କମ୍ପାନି ସେମାନଙ୍କୁ ସାମିଲ କରୁନାହିଁ। ଏହି କର୍ମଚାରୀମାନଙ୍କ ପାଖରେ ୨-୧୮ ବର୍ଷ ପର୍ଯ୍ୟନ୍ତର ଅଭିଜ୍ଞତା‌ ରହିଛି। ଚାକିରିରେ ଯୋଗଦେବା ଅହେତୁକ ବିଳମ୍ବ ହେବାରୁ ଏକ ସଂଘ ଜରିଆରେ ସେମାନେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରମ ମନ୍ତ୍ରଣାଳୟ ତାହାର ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ତେବେ କର୍ମଚାରୀଙ୍କୁ ଚାକିରିରେ ଯୋଗଦେବା‌ ଲାଗି ସରକାର ବାଧ୍ୟ କରିନପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। 

ନିକଟରେ କମ୍ପାନିର ମୁଖ୍ୟ ବିତ୍ତ ଅଧିକାରୀ ସମିର ସେକ୍‌ସାରିଆ କହିଥିଲେ ଯେ କମ୍ପାନି ଏହାର କର୍ମଚାରୀଙ୍କ ବେତନ ବଢ଼ାଇବା ଉପରେ ଗୁରୁତ୍ବ ଦେଉଛି। କମ୍ପାନିରୁ ଚାକିରି ଛାଡ଼ୁଥିବା କର୍ମଚାରୀଙ୍କ ହାର ୧୩ ପ୍ରତିଶତରୁ ଅଧିକ ଭଳି ଚିନ୍ତାଜନକ ସ୍ଥିତିରେ ପହଞ୍ଚିବା ପରେ ସେ ଏଭଳି ବୟାନ ଦେଇଥ‌ିଲେ। ପ୍ରତିଭାବାନ କର୍ମଚାରୀଙ୍କୁ ନିଜ ପାଖର ରଖିବା ଲାଗି ଦରମା ବଢ଼ାଇବା ଉପରେ କମ୍ପାନି ବିଚାର କରୁଥିଲା।