ବୈଷୟିକ ତ୍ରୁଟି : ଷ୍ଟେଟ୍‌ ବ୍ୟାଙ୍କର କୋର୍‌ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କରେ ଆଜି କେତେକ ବୈଷୟିକ ତ୍ରୁଟି ଯୋଗୁଁ କୋର ବ୍ୟାଙ୍କିଙ୍ଗ ସେବା ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହା ଦ୍ୱାରା ସାଧାରଣ ବ୍ୟାଙ୍କ ନେଣଦେଣ ଓ ଅନଲାଇନ ବ୍ୟାଙ୍କିଙ୍ଗ ସେବା ବ୍ୟାହତ ହୋଇଛି । ତେବେ ଏଟିଏମ୍‌ ଓ ପିଓଏସ୍‌ (ପଏଣ୍ଟସ ଅଫ ସର୍ଭିସ) ସେବା ପ୍ରଭାବିତ ହୋଇନଥିବା ଜଣାଯାଇଛି ।

ଏହି ବୈଷୟିକ ତ୍ରୁଟି ସଂପର୍କରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯିବା ସହ ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି କୁହାଯାଇଛି ।
ଏକ ଟ୍ଵିଟ୍‌ କରି ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଅକ୍ଟୋବର ୧୩ ତାରିଖରେ ଆମର କୋର୍‌ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି । ଖୁବଶୀଘ୍ର ଆମ ସେବା ସ୍ୱାଭାବିକ ହେବ । ଏହି ତ୍ରୁଟି ଦ୍ୱାରା ଏଟିଏମ ଓ ପିଓଏସ (ପଏଣ୍ଟସ ଅଫ ସର୍ଭିସ) ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଙ୍କିଙ୍ଗ୍‌ ଚ୍ୟାନେଲ ପ୍ରଭାବିତ ହୋଇଛି ।

ଏହା ପୂର୍ବରୁ ଆଜି ଷ୍ଟେଟ୍‌ ବ୍ୟାଙ୍କର ସେବା ମିଳିବାରେ ସମସ୍ୟା ହେଉଥିବା କଥା ଅନେକ ଗ୍ରାହକ ଟ୍ଵିଟ୍‌ କରି ଅଭିଯୋଗ କରିଥିଲେ । ବିଶେଷ କରି ଷ୍ଟେଟ୍‌ ବ୍ୟାଙ୍କର ଅନଲାଇନ୍‌ ବ୍ୟାଙ୍କିଙ୍ଗ ସେବା ଓ ଏସବିଆଇ ୟୋନୋ ଆପ ଠିକ ଭାବେ ଚାଲୁନଥିବା ଅଭିଯୋଗ ହୋଇଥିଲା । ଏହା ପରେ ଏସବିଆଇ ପକ୍ଷରୁ ବାଧ୍ୟହୋଇ ଏହି ସ୍ପଷ୍ଟୀକରଣ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର