ନୂଆଦିଲ୍ଲୀ: ପ୍ରଯୁକ୍ତି ଦୁନିଆରେ ଦ୍ରୁତ ଗତିରେ ପରିବର୍ତ୍ତନର ଧାରା ଜାରି ରହିଥିବା ବେଳେ ଅଦରକାରୀ ମନେ ହେଉଥିବା ପଦଗୁଡ଼ିକୁ କମ୍ପାନିଗୁଡ଼ିକ ଉଚ୍ଛେଦ କରୁଛନ୍ତି। ସେଥିରେ କାମ କରୁଥିବା କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି। ଚଳିତ ବର୍ଷ ଛଟେଇ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ୧ ଲକ୍ଷ ସ୍ତର ଅତିକ୍ରମ କରିଛି। କିଛି କମ୍ପାନି ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ଛଟେଇ ଆରମ୍ଭ କରିଦେଲେଣି। ଆଇବିଏମ୍ ଏହାର ପ୍ରୋଗ୍ରାମର, ସେଲ୍ସ ଓ ସପୋର୍ଟ ଷ୍ଟାଫ୍ ସଂଖ୍ୟା କମ୍ କରୁଛି। ସ୍ବାସ୍ଥ୍ୟକ୍ଷେତ୍ରର ଷ୍ଟାର୍ଟଅପ୍ ଡୋଜି ୪୦ କର୍ମଚାରୀଙ୍କୁ ବିଦା କରିଛି। ୱିଟ୍ରାନ୍ସଫର ଏହାର ୭୫ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ସିସ୍କୋ ଏହାର ୬୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି। ଫେବ୍ରୁଆରିରେ ଏହା ୪୦୦୦ କର୍ମଚାରୀଙ୍କୁ ବିଦା କରିଥିଲା।
ମାଇକ୍ରୋସଫ୍ଟର ଏକ୍ସବକ୍ସ ଡିଭିଜନ୍ରେ ୬୫୦ କର୍ମଚାରୀଙ୍କୁ ବିଦା କରାଯାଇଛି। ଏହା ପୂର୍ବରୁ କମ୍ପାନି ୧୯୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। କ୍ବାଲ୍କମ୍ ଓ ଡେଲ୍ ଭଳି ବିଶ୍ବସ୍ତରୀୟ କମ୍ପାନି ମଧ୍ୟ ଛଟେଇ ଜାରି ରଖିଛନ୍ତି। ଗତବର୍ଷ ୧୨୫୦ କର୍ମଚାରୀଙ୍କୁ ବିଦା କରିଥିବା କ୍ବାଲ୍କମ୍ ଆଉ ୨୨୬ କର୍ମଚାରୀଙ୍କୁ ଛଟେଇ କରିଛି। ଅନ୍ୟ ପକ୍ଷରେ ଅନଲାଇନ୍ ଶିକ୍ଷାଦାନ ପ୍ଲାଟଫର୍ମ ଅନଡେମି ଏହାର ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି। ସାମସଙ୍ଗ୍ ଏହାର ୩୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବା ଉପରେ ବିଚାର କରୁଛି। ପିଡବ୍ଲୁସିର ଆମେରିକା ଶାଖା ୧୮୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଡିଜ୍ନି ଓ ପାରାମାଉଣ୍ଟ ଗ୍ଲୋବାଲ୍ ମଧ୍ୟ କର୍ମଚାରୀ ଛଟେଇ କରିଛନ୍ତି।