ନୂଆଦିଲ୍ଲୀ: ସୁସ୍ଥକର ଜୀବନଯାପନ ଲାଗି ଭଲ ନିଦ୍ରା କେତେ ଜରୁରୀ ତାହାର ଗୁରୁତ୍ବ ବିଷୟରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମୋତେ ୩୦ ବର୍ଷ ହୋଇଥିଲା ମୁଁ ଭାବୁଥିଲି ଅଧିକ ଶୋଇବା ହେଉଛି ଅଳସୁଆମି ଓ ଅନାବଶ୍ୟକ ମଧ୍ୟ। ସେତେବେଳେ କିଏ କେତେ କମ୍ ଶୋଉଛି ତାହା ଆମେ ଆଲୋଚନା କରୁଥିଲୁ। କିଏ କହୁଥିଲା ୫ ଘଣ୍ଟା, କିଏ ୬ ଘଣ୍ଟା ଶୋଉଥିବା କହୁଥିଲେ। କିଏ କିଏ କହୁଥିଲେ ମୁଁ ଶୋଉନାହିଁ। ସେମାନଙ୍କ କଥା ଶୁଣିବା ବେଳେ ମୁଁ ଭାବୁଥିଲି ସେମାନେ କେତେ ଭଲ। ମୁଁ ବି କମ୍ ଶୋଇବାକୁ ଚେଷ୍ଟା କରିବି। ମାତ୍ର ୨୦୨୦ରେ ଆଲଜାଇମର୍ ରୋଗରେ (ଏକ ପ୍ରକାର ସ୍ମୃତି ଶକ୍ତି ହରାଇବା ଅବସ୍ଥା) ପୀଡ଼ିତ ମୋ ବାପାଙ୍କ ଦେହାନ୍ତ ହେବା ପରେ ଶୋଇବାକୁ ନେଇ ରହିଥିବା ମୋର ଧାରଣା ସମ୍ପୂର୍ଣ୍ଣ ବଦଳିଯାଇଥିଲା ବୋଲି ଗେଟ୍ସ କହିଛନ୍ତି।
ଏବେ ମୁଁ କେତେ ସମୟ ଶୋଉଛି ତାହା ଜାଣିବାକୁ ଚାହୁଛି। ଏବେ ଜାଣିପାରୁଛି ଯେ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବା ଲାଗି ଯୁବାବସ୍ଥାରେ ମଧ୍ୟ ଭଲ ନିଦ ଜରୁରୀ ଥିଲା। ନିଦ୍ରା ସହ ଆଲଜାଇମର ଭଳି ରୋଗର ସିଧାସଳଖ ସମ୍ପର୍କ ରହିଥିବା ସେ କହିଛନ୍ତି। ଏବେ ବିଲ୍ ଗେଟ୍ସ ଦିନକୁ ସାତରୁ ଆଠ ଘଣ୍ଟା ଶୋଇବା ପାଇଁ ପ୍ରୟାସ କରୁଛନ୍ତି। କେତେ ଘଣ୍ଟା ଭଲ ଓ ଗାଢ଼ ନିଦ ହୋଇଛି ତାହା ସେ ଜାଣିବାକୁ ମଧ୍ୟ ଚାହୁଛନ୍ତି।