ଟେଲିକମ୍ କମ୍ପାନିଙ୍କ ଏଜିଆର୍ ମାମଲା: ଡଟ୍‌ ଉପରେ ବର୍ଷିଲେ ସୁପ୍ରିମ୍ କୋର୍ଟ

ମଧ୍ୟରାତ୍ରି ପୂର୍ବରୁ ଅର୍ଥ ଜମା ପାଇଁ ଡଟ୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟେଲିକମ୍ ବିଭାଗକୁ ଟେଲିକମ୍ କମ୍ପାନି ଗୁଡ଼ିକର ଏଜିଆର୍ ( ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ) ପ୍ରଦାନ ମାମଲାରେ ସୁପ୍ରିମ୍ କୋର୍ଟ ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତମାସ ୨୩ ତାରିଖରୁ ଏହି ରାଶି ଜମା କରିବାର ଶେଷ ତାରିଖ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କମ୍ପାନି ଗୁଡ଼ିକ ଉକ୍ତ ରାଶି ଜମା କରିନାହାନ୍ତି। ଏଥିପାଇଁ ସୁପ୍ରିମ୍ କୋର୍ଟ ଟେଲିକମ୍‌ କମ୍ପାନି ଏବଂ ସେମାନଙ୍କ ନିର୍ଦ୍ଦେଶକମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କାହିଁକି ହେବ ନାହିଁ ତାହାର ଜବାବ ରଖିବା ପାଇଁ କହିଛନ୍ତି। ପ୍ରାୟ୧.୪୭ ଲକ୍ଷ କୋଟି ଟଙ୍କାର ଏଜିଆର ଦାଖଲ ମାମଲାରେ ଆସନ୍ତା ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ସୁପ୍ରିମ୍ କୋର୍ଟ କହିଛନ୍ତି। ଏହି ମାମଲାରେ କମ୍ପାନିଙ୍କ ବିରୋ‌ଧରେ କଠୋର ନହେବା ପାଇଁ ଅଧିକାରୀ ସ୍ତରରେ ଦିଆଯାଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବା ପାଇଁ ମଧ୍ୟ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ଜେଲ୍ ପଠାଯିବ। ଏଜିଆର୍‌ ରାୟକୁ କାର୍ଯ୍ୟକାରୀ କରାଯାଇ ନଥିବାରୁ ସୁପ୍ରିମ କୋର୍ଟ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟ କିଏ କରୁଛି ତାହା ଆମେ ଜାଣିନାହୁଁ। ଦେଶରେ କ’ଣ କିଛି ଆଇନ ନାହିଁ। ତେଣୁ ଏଭଳି ଦେଶରେ ବାସ କରିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଭଲ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଦେଶରେ ଘଟଣା ଯେଭଳି ଘଟୁଛି ତାହା ଆମ ବିବେକକୁ ଦୋହଲାଇ ଦେଇଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ରିଭ୍ୟୁ ଆବେଦନକୁ ଆମେ ଖାରଜ କରି ସାରୁଛି ତଥାପି ଏପର୍ଯ୍ୟନ୍ତ ଟଙ୍କାଟିଏ ଜମା କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଏଜିଆର ରାୟରେ ସଂଶୋଧନ ପାଇଁ ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟା ଟେଲିସର୍ଭିସେସ୍ ଗତ ଜାନୁଆରିରେ ଆବେଦନ କରିଛନ୍ତି। ପୂର୍ବ ରାୟ ସମୀକ୍ଷା ପାଇଁ କରାଯାଇଥିବା ଆବଦେନକୁ ସୁପ୍ରିମ୍ କୋର୍ଟ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି। ଏଜିଆର ବାବଦରେ ଭୋଡାଫୋନ ଆଇଡିଆ ୫୦ ହଜାର କୋଟି ଟଙ୍କାରୁ ଅଧିକ, ଭାରତୀ ଏୟାରଟେଲ ୩୫,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ଟାଟା ଟେଲିସର୍ଭି‌ସେସ୍ ପାଖାପାଖି ୧୪ ହଜାର କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ରହିଛି। କେବଳ ରିଲାଏନ୍ସ ଜିଓ ଏ ବାବଦରେ ୬୦ କୋଟି ଟଙ୍କା ଜମା କରିଛି। ସୁପ୍ରିମ କୋର୍ଟଙ୍କ ଏଭଳି ରାୟ ଆସିବା ପରେ ଆଜି ଭୋଡାଫୋନ ଆଇଡିଆର ସେୟାର ମୂଲ୍ୟ ଷ୍ଟକ ବଜାରରେ ୨୨.୩୨ ପ୍ରତିଶତ ହ୍ରାସ ଘଟିଛି। ସୁପ୍ରିମ୍‌ କୋର୍ଟ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍‌, ଏମ୍‌ଟିଏନ୍‌ଏଲ୍‌, ବିଏସ୍‌ଏନ୍‌ଏଲ୍‌, ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଟାଟା ଟେଲିର ଏମ୍‌ଡିମାନଙ୍କୁ ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ହାଜର ହେବା ପାଇଁ ସୁପ୍ରିମ୍ କୋର୍ଟ ସମନ୍ କରିଛନ୍ତି। ବିଚାରପତି ଅରୁଣ ମିଶ୍ରା, ବିଚାରପତି ଏସ ଅବଦୁଲ ନଜିର୍ ଏବଂ ବିଚାରପତି ଏମ୍‌ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ପ୍ରବଳ ବିରକ୍ତି ପ୍ରକାଶ କରିଛନ୍ତି। ଟଙ୍କାଟିଏ ମଧ୍ୟ କମ୍ପାନିମାନେ ଜମା କରିନାହାନ୍ତି। ଏହା ଅର୍ଥ ବଳର ଫଳାଫଳ ନୁହେଁ କି? ଏହି ବ୍ୟବସ୍ଥାରେ ଏବଂ ଦେଶରେ ଆମେ କିଭଳି କାମ କରିବୁ? ସରକାରଙ୍କ ଜଣେ ଡେସ୍କ ଅଫିସର ଆମ ନିର୍ଦ୍ଦେଶକୁ ଅଟକାଇ ଦେଇଛନ୍ତି? କିଏ ସେହି ଡେସ୍କ ଅଫିସର? ସେ ‌ଏବେ କେଉଁଠି? ତାଙ୍କୁ ଏବେ ଡାକ। ଦେଶରେ କିଛି ଆଇନ ରହିଛି କି? ବୋଲି ଖଣ୍ଡପୀଠ ବିରକ୍ତ ହୋଇ କହିଥିଲେ। ଉଲ୍ଲେଖଯୋଗ୍ୟ, ଟେଲିକମ୍ କମ୍ପାନି ଗୁଡ଼ିକ ଏଜିଆର ପାଇଁ ସ୍ପେକ୍ଟ୍ରମ ବ୍ୟବହାର ବାବଦରେ ୩ରୁ ୫ ପ୍ରତିଶତ, ଲାଇସେନ୍ସ ଫି ବାବଦରେ ୮ ପ୍ରତିଶତ ପ୍ରଦାନ କରିଛନ୍ତି। ପ୍ରମୁଖ ସେବାକୁ ବିଚାରକୁ ନେଇ ଏଜିଆର ହିସାବ ହେବା ଉଚିତ ବୋଲି ଟେଲିକମ କମ୍ପାନି ଗୁଡ଼ିକ ଦାବି କରୁଥିବାବେଳେ ଏଥିରେ କମ୍ପାନିଙ୍କ ସମସ୍ତ ରାଜସ୍ବ ବିଚାରକୁ ନେବା ପାଇଁ ଡଟ୍ ମତ ଦେଉଛି। ଏହି ବିବାଦ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା। ଏହା ପରେ ସୁପ୍ରିମ କୋର୍ଟ ଡଟ୍ ସପକ୍ଷରେ ରାୟ ଦେଇଥିଲେ।

ମାର୍ଚ୍ଚ ୧୭ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ
ଆଦେଶ ପ୍ରତ୍ୟାହାର ନକଲେ ଡେସ୍କ ଅଫିସର ଜେଲ୍ ଯିବେ

ମଧ୍ୟରାତ୍ରି ପୂର୍ବରୁ ଅର୍ଥ ଜମା ପାଇଁ ଡଟ୍‌ର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଏଜିଆର୍ ବାବଦ ରାଶିକୁ ଆଜି ରାତି ୧୧ଟା ୫୯ ସୁଦ୍ଧା ଜମା କରିବା ପାଇଁ ଟେଲିକମ୍‌ କମ୍ପାନି ଗୁଡ଼ିକୁ ଟେଲିକମ୍ ବିଭାଗ (ଡଟ୍‌) ନିର୍ଦ୍ଦେଶ ଦେଇଛି। ‌ଟେଲିକମ୍ କମ୍ପାନି ଗୁଡ଼ିକ ଏହି ରାଶି ଏପର୍ଯ୍ୟନ୍ତ ଜମା କରି ନଥିବାରୁ ସୁପ୍ରିମ୍‌ କୋର୍ଟ ଆଜି କ୍ଷୁବ୍ଧ ହେବା ସହିତ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏପରିକି କମ୍ପାନିଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଥିବା ଅଧିକାରୀଙ୍କୁ ମଧ୍ୟ ଭର୍ତ୍ସନା କରିଥିଲେ। ଏହାପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଭଳି କମ୍ପାନିଙ୍କୁ ଡଟ୍ ନୋଟିସ ପ୍ରଦାନ କରିଛି ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର