ଭୁବନେଶ୍ବର: ଓଡ଼ିଶାରେ ଟେଲିକମ୍ କମ୍ପାନିଙ୍କ ମାସିକ ଆୟ ପ୍ରାୟ ୬୮୮ କୋଟି ଟଙ୍କା ରହିଛି। ଗତବର୍ଷ ଜୁଲାଇରେ ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକ ମୋବାଇଲ ଶୁଳ୍କ ବୃଦ୍ଧି କରିବା ପରେ ସେମାନଙ୍କ ଆୟ ବଢ଼ିଛି। ୨୦୨୪ ମସିହାର ଅକ୍ଟୋବର-ଡିସେମ୍ବର ଅବଧିରେ ରାଜ୍ୟରେ ଟେଲିକମ୍ କମ୍ପାନିଗୁଡ଼ିକର ମୋଟ ଆୟ ୨୦୬୪.୮ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଟେଲିକମ୍ ସେବା ପ୍ରଦାନକାରୀଙ୍କ ରାଜସ୍ବ ଓଡ଼ିଶାରେ ୨୦୦୦ କୋଟି ଟଙ୍କା ଟପିଛି। ରାଷ୍ଟ୍ରାୟତ୍ତ କମ୍ପାନି ବିଏସ୍ଏନ୍ଏଲ୍ ସମେତ ଘରୋଇ କମ୍ପାନି ଜିଓ, ଏୟାଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟା ଟେଲିସର୍ଭିସେସ୍ ରାଜ୍ୟରେ ଟେଲିକମ୍ ବ୍ୟବସାୟ କରୁଛନ୍ତି। ଟ୍ରାଇର ଆର୍ଥିକ ରିପୋର୍ଟରୁ ଏହା ଜଣାଯାଇଛି ଯେ ଓଡ଼ିଶାରେ ୨୦୨୪ ମସିହାର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଟେଲିକମ୍ କମ୍ପାନିଗୁଡ଼ିକ କରିଥିବା ମୋଟ ୨୦୬୪ କୋଟି ଆୟ ମଧ୍ୟରୁ ଜିଓର ରାଜସ୍ବ ସର୍ବାଧିକ ୧୦୧୫.୮୪ କୋଟି ରହିଛି। ଏହା ପଛକୁ ଏୟାରଟେଲ୍ର ରାଜସ୍ବ ୮୧୮.୬୮ କୋଟି, ବିଏସ୍ଏନ୍ଏଲ୍ର ରାଜସ୍ବ ୧୭୩.୨୯ କୋଟି, ଭୋଡାଫୋନ ଆଇଡିଆର ୫୨.୭୮ କୋଟି ଏବଂ ଟାଟା ଟେଲିସର୍ଭିସେସ୍ର ଆୟ ୪.୨୧ କୋଟି ଟଙ୍କା ରହିଛି। ଅର୍ଥାତ୍ ଟେଲିକମ୍ କମ୍ପାନିଙ୍କ ମାସିକ ହାରାହାରି ଆୟ ପ୍ରାୟ ୬୮୮ କୋଟି ଟଙ୍କାରେ ପହଞ୍ଚିଛି।
ଘରୋଇ କମ୍ପାନିଗୁଡ଼ିକ ଗତବର୍ଷ ଜୁଲାଇରେ ଶୁଳ୍କ ବୃଦ୍ଧି କରିବାର ପୂର୍ବ ତ୍ରୟମାସ ଅର୍ଥାତ୍ ୨୦୨୪ ଏପ୍ରିଲ-ଜୁନ୍ର ଆର୍ଥିକ ରିପୋର୍ଟ ଉପରେ ନଜର ପକାଇଲେ ଜଣାଯାଏ ଯେ ଜିଓର ରାଜସ୍ବ ୮୮୨.୬୨ କୋଟି, ଏୟାରଟେଲର ରାଜସ୍ବ ୬୦୯.୨୨ କୋଟି, ବିଏସ୍ଏନ୍ଏଲ୍ର ରାଜସ୍ବ ୧୦୫.୬୩ କୋଟି, ଭୋଡାଫୋନ ଆଇଡିଆର ରାଜସ୍ବ ୫୧.୯୧ କୋଟି ଏବଂ ଟାଟା ଟେଲିସର୍ଭିସେସ୍ର ରାଜସ୍ବ ୪.୫୧ କୋଟି ଟଙ୍କା ରହିଥିଲା। ଅର୍ଥାତ୍ ଦରବୃଦ୍ଧି ହେବାର ପୂର୍ବ ତ୍ରୟମାସ ଅର୍ଥାତ୍ ଏପ୍ରିଲ-ଜୁନ ଅବଧିରେ ଓଡ଼ିଶାରେ ଟେଲିକମ୍ କମ୍ପାନିଙ୍କ ମୋଟ ରାଜସ୍ବ ୧୭୬୪.୪୧ କୋଟି ଟଙ୍କା ରହିଥିଲା। ଏହାର ଠିକ୍ ପର ତ୍ରୟମାସ ଅର୍ଥାତ୍ ୨୦୨୪ ଜୁଲାଇ-ସେପ୍ଟେମ୍ବର ଅବଧିରେ ଟେଲିକମ୍ କମ୍ପାନିଙ୍କ ରାଜସ୍ବ ପ୍ରାୟ ୧୮୯୨ କୋଟିରେ ପହଞ୍ଚିଥିଲା। କିନ୍ତୁ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଏହା ୨୦୬୪.୮ କୋଟି ଟଙ୍କାରେ ପହଞ୍ଚିଛି। ଜୁଲାଇରେ ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକ ଦରବୃଦ୍ଧି କରିଥିଲେ ମଧ୍ୟ ଅଧିକାଂଶ ଗ୍ରାହକ ଏହା ପୂର୍ବରୁ ୩ ମାସ କିମ୍ବା ଅଧିକ ସମୟ ପାଇଁ ରିଚାର୍ଜ କରିଥିଲେ। ତେଣୁ ସବୁ ଗ୍ରାହକଙ୍କ ଉପରେ ଶୁଳ୍କବୃଦ୍ଧିର ପ୍ରତିଫଳନ ୨୦୨୪ ଅକ୍ଟୋବର-ଡିସେମ୍ବରରେ ହିଁ ଦେଖାଦେଇଥିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିପାଇଁ ୨୦୨୪ ଏପ୍ରିଲ-ଜୁନ୍ ତୁଳନାରେ ଅକ୍ଟୋବର-ଡିସେମ୍ବରରେ ଟେଲିକମ କମ୍ପାନିଙ୍କ ରାଜସ୍ବ ଓଡ଼ିଶାରେ ପ୍ରାୟ ୩୦୦ କୋଟି ଟଙ୍କା ବଢ଼ିଛି। ଅର୍ଥାତ୍ ଟେଲିକମ୍ କମ୍ପାନିଗୁଡ଼ିକ ମାସିକ ୧୦୦ କୋଟି ଟଙ୍କା ଅଧିକ ଆୟ କରିବାକୁ ସମର୍ଥ ହୋଇଛନ୍ତି। ଏଥିଯୋଗୁ ଓଡ଼ିଶାରେ ଗ୍ରାହକ ପିଛା ମାସିକ ହରାହାରି ରାଜସ୍ବ (ଏଆର୍ପିୟୁ) ୨୦୨୪ ଅକ୍ଟୋବର-ଡିସେମ୍ବର ଅବଧିରେ ୧୭୨ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଓଡ଼ିଶାରେ ଜଣେ ବ୍ୟକ୍ତି ମାସକୁ ୧୭୨ ଟଙ୍କା ମୋବାଇଲ ଫୋନ ସେବା ବାବଦରେ ଖର୍ଚ୍ଚ କରୁଛି। ଗତବର୍ଷ ଜୁଲାଇରେ ଶୁଳ୍କ ବୃଦ୍ଧି ପୂର୍ବରୁ ରାଜ୍ୟରେ ଗ୍ରାହକ ପିଛା ହାରାହାରି ରାଜସ୍ବ ୨୦୨୪ ଏପ୍ରିଲ-ଜୁନ ସମୟରେ ୧୫୩ ଟଙ୍କା ରହିଥିଲା। ଅର୍ଥାତ୍ ଗ୍ରାହକମାନେ ମାସିକ ଅଧିକ ୧୯ ଟଙ୍କା ଫୋନ୍ ସେବା ବାବଦରେ ଖର୍ଚ୍ଚ କରୁଛନ୍ତି।