ଦେଢ଼ ଲକ୍ଷ ଟେଲିକମ ଚାକିରି ପ୍ରତି ବିପଦ

ନୂଆଦିଲ୍ଲୀ: ଦେଶର ଟେଲିକମ୍‌ (ଦୂରସଂଚାର) କ୍ଷେତ୍ର ଏବେ ଋଣ ବୋଝ ତଳେ ଚାପି ହୋଇଗଲାଣି। ଅନେକ କଂପାନିର କ୍ଷତି ବଢ଼ିଚାଲିଛି। ଏଭଳି ପରିସ୍ଥିତି ଯୋଗୁଁ ଏହି କ୍ଷେତ୍ର ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଥିବା ଦେଢ଼ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି।

ମୋବାଇଲ୍‌ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ଉପରେ ୮ ଲକ୍ଷ କୋଟି ଟଙ୍କାର ଋଣ ବୋଝ ରହିଛି। କେତେକ କଂପାନି ମାଗଣା ସେବା ପ୍ରଦାନ କରୁଥିବାରୁ ଅନ୍ୟ କଂପାନିଗୁ୍‌ଡ଼ିକ ବିପୁଳ ପରିମାଣର କ୍ଷତି ସହୁଛନ୍ତି। କ୍ଷତି କମ୍‌ କରିବା ପାଇଁ ଏହି କଂପାନିଗୁଡ଼ିକ କାରବାର ସଙ୍କୁଚିତ କରିବା ଉପରେ ବିଚାର କରୁଛନ୍ତି। ଟେଲିକମ୍‌ କ୍ଷେତ୍ରର ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ଚଳିତ ବର୍ଷ ଏପ୍ରିଲ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ସତର୍କ କରାଯାଇଥିଲା।

ଋଣ ବୋଝ ତଳେ ଟେଲିକମ୍‌ କଂପାନିଗୁଡ଼ିକ ଏଭଳି ଚାପି ହୋଇଯାଇଛନ୍ତି ଯେ ନିଜର କାରବାରକୁ ବଞ୍ଚାଇବା ପାଇଁ ସେମାନଙ୍କ ପାଖରେ ଖର୍ଚ କାଟ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ହିଁ ନାହିଁ। ଟେଲିକମ୍‌ କଂପାନିଗୁଡ଼ିକ ମଧ୍ୟରେ ଯଦି ମିଶ୍ରଣ ହେବ ତେବେ ୨୦,୦୦୦-୨୫,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହେବ। ମିଶ୍ରଣ ହେବାକୁ ଥିବା ଉଭୟ କଂପାନିଙ୍କୁ ଚୁକ୍ତି ସଫଳତାର ସହିତ ଲାଗୁ କରିବା ପାଇଁ ନିଜର ୧୦୦୦-୧୫୦୦ ପାଖାପାଖି କର୍ମଚାରୀଙ୍କୁ ବିଦା କରିବାକୁ ପଡ଼ିବ।
ଟେଲିକମ୍‌ ଶିଳ୍ପର ଗତିବିଧି ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ଏହି କ୍ଷେତ୍ରରେ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁଁ ପରୋକ୍ଷ ଭାବେ ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ଥିବା ୧,୨୫,୦୦୦ ଚାକିରି ପ୍ରତି ବିପଦ ସୃଷ୍ଟି ହେବ।
ଉଲ୍ଲେଖଯୋଗ୍ୟ, ନିଯୁକ୍ତି ପ୍ରଦାନ କରିବାରେ ଟେଲିକମ୍‌ କ୍ଷେତ୍ର ପଞ୍ଚମ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ୨୦ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହି କ୍ଷେତ୍ରର ଅବଦାନ ୬.୫% ରହିଛି।

ସମ୍ବନ୍ଧିତ ଖବର