ନୂଆଦିଲ୍ଲୀ : ୫ଜି ସ୍ପେକ୍ଟ୍ରମ ନିଲାମ ବାବଦ ପ୍ରଥମ ପର୍ଯ୍ୟାୟ ଦେୟ ବାବଦରେ ସରକାର ପ୍ରାୟ ୧୭୮୭୫ କୋଟି ଟଙ୍କା ପାଇଛନ୍ତି । ରିଲାଏନ୍ସ ଜିଓ, ଭୋଡାଫୋନ ଆଇଡିଆ ୨୦ଟି କିସ୍ତିରେ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏକମାତ୍ର କମ୍ପାନି ଭାବେ ଭାରତୀ ଏୟାରଟେଲ ଆଗୁଆ କିଛି କିସ୍ତି ବାବଦ ଅର୍ଥ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି । କମ୍ପାନି ଏକାଥରକେ ୮୩୧୨ କୋଟି ଟଙ୍କା ପ୍ରଦାନ କରି ଆସନ୍ତା ୪ ବର୍ଷର କିସ୍ତି ପ୍ରଦାନ କରିଦେଇଛି । ଜିଓ ୭୮୭୪ କୋଟି ଟଙ୍କା ପ୍ରଦାନ କରିଛି ।

Advertisment

ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ଏହାପରେ ଅଗଷ୍ଟ ୧୬ ସୁଦ୍ଧା ଅର୍ଥ ପ୍ରଦାନ କରିବାକୁ ନିଲାମ ଜିତିଥିବା ୪ ଟେଲିକମ କମ୍ପାନିମାନଙ୍କୁ ଚିଠି ଲେଖିଥିଲା ଟେଲିକମ ମନ୍ତ୍ରାଳୟ । ଏହି ତାରିଖକୁ ମାନି ଟେଲିକମ କମ୍ପାନିମାନେ ପ୍ରଥମ କିସ୍ତି ଅର୍ଥପ୍ରଦାନ କରିଛନ୍ତି ।

୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲା । ଏଥିରେ ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ବି ଏଥିରେ ଅଂଶଗ୍ରହଣ କରିଥିଲା ।  ଜିଓ ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖରିଦ କରାଯାଇଛି । ଭାରତୀ ଏୟାରଟେଲ ୪୩୦୮୪ କୋଟି ଟଙ୍କା ମୂଲ୍ୟରେ ମୋଟ ୧୯,୮୬୭ ମେଗାହଜର ସ୍ପେକ୍ଟ୍ରମ ଖରିଦ କରିଛି । ଭୋଡାଫୋନ ୧୮୭୯୯ ଓ ଅଦାନୀ ୨୧୨ କୋଟି ଟଙ୍କା ବିନିମୟରେ ୪୦୦ ମେଗାହଜର ସ୍ପେକ୍ଟ୍ରମ କିଣିଛି ।