ନୂଆଦିଲ୍ଲୀ: ଭାରତରେ ଟେଲିକମ ସେବା କ୍ଷେତ୍ରରେ ଅନେକ ଉନ୍ନତି ଆସିଛି । ଟେଲିଡେନସିଟି ବା ଟେଲିକମ ସେବାର ପ୍ରସାର ବଢିଛି । ପୂର୍ବର ଲାଣ୍ଡଲାଇନ ସେବା ଠାରୁ ଆରମ୍ଭ କରି ଏବେ ଦେଶରେ ୪ଜି ଯୁଗ ଚାଲିଛି । ଆଗକୁ ୫ଜି ଆସିବ ବୋଲି ସରକାର ଓ ଟେଲିକମ କମ୍ପାନିମାନେ କହିଲେଣି । କିନ୍ତୁ ଦେଶରେ ୪ଜି ସେବା ଆରମ୍ଭ ହୋଇଥିଲେ ମଧ୍ୟ ସେବାମାନରେ ଅନେକ ଅବନତି ହୋଇଥିବା ଦେଖାଯାଇଛି । ଆପଣ କଥା ହେଉଥିବା ବେଳେ ହଠାତ୍ କଲ୍ ଡ୍ରପ ହୋଇଯାଉଛି । ଏପରି ଅବନତିକୁ ନେଇ ଟ୍ରାଇ ଓ ସରକାର ଚିନ୍ତା ପ୍ରକଟ କରିବା ସହ କମ୍ପାନିମାନଙ୍କୁ ଅନେକ ଥର ତାଗିଦ କରିଛନ୍ତି । ଏହାର କାରଣ ହେଉଛି ଉପଭୋକ୍ତା ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ତାହାକୁ ତାଳଦେଇ ଟେଲିକମ କମ୍ପାନିମାନେ ନିଜର ଭିତ୍ତିଭୂମି ବିଶେଷକରି ଟାଓ୍ଵାର ସଂଖ୍ୟା ବଢାଉନାହାନ୍ତି ।
କଲଡ୍ରପକୁ ନେଇ ଉପଭୋକ୍ତାମାନଙ୍କ ବାରମ୍ବାର ଅଭିଯୋଗ ପରେ ଖୋଦ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିରେ ସୁଧାର ପାଇଁ ଟେଲିକମ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟେଲିକମ ବିଭାଗ ଓ ଟ୍ରାଇ ପକ୍ଷରୁ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶ କରି ସେବାମାନରେ ଉନ୍ନତି ଆଣିବାକୁ କମ୍ପାନିମାନଙ୍କୁ କୁହାଯାଇଥିଲା । ବୋଧହୁଏ ଏହାର ସୁଫଳ ମିଳିବାକୁ ଯାଉଛି । କାରଣ ଭିତ୍ତିଭୂମି କ୍ଷେତ୍ରରେ ଟେଲିକମ କମ୍ପାନିମାନେ ପ୍ରାୟ ୭୪ ହଜାର କୋଟି ନିବେଶ କରିବାକୁ ଘୋଷଣା କରିଛନ୍ତି । ରିଲାଏନ୍ସ ଜିଓ ପ୍ରାୟ ୧ ଲକ୍ଷ ଟାଓ୍ଵାର ସ୍ଥାପନ କରିବାକୁ ୫୦ ହଜାର କୋଟି ନିବେଶ କରିବ । ଏୟାରଟେଲ ମଧ୍ୟ ପୂର୍ବରୁ ୧୬ ହଜାର କୋଟି ନିବେଶ କରିଥିବାବେଳେ ଆଗକୁ ଆଉ ୨୪ ହଜାର କୋଟି ନିବେଶ କରିବ ।