ଓଡ଼ିଶାରୁ ଟେଲିକମ୍‌ କଂପାନିଙ୍କ ଆୟ ୧,୨୨୮ କୋଟି: ଜିଓ, ଏୟାରଟେଲ୍‌ ଭାଗରେ ଅଧିକ

୧୦୦ ଟଙ୍କାରୁ ସରକାର ନେଉଛନ୍ତି ୩୫ ଟଙ୍କା: ସୁନିଲ ମିତ୍ତଲ

ଭୁବନେଶ୍ବର, ୩୦/୮(ଇମିସ): ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍‌)ରେ ଓଡ଼ିଶାରେ ଚାରି ଟେଲିକମ୍ କଂପାନି ୧୨୨୮ କୋଟି ଟଙ୍କାର ରାଜସ୍ବ ଆୟ କରିଛନ୍ତି। ଆୟ କରିବାରେ ଜିଓ ଶୀର୍ଷ ସ୍ଥାନରେ ଥିବା ବେଳେ ଏୟାରଟେଲ୍‌ ଦ୍ବିତୀୟ, ଭୋଡାଫୋନ୍ ଆଇଡିଆ ତୃତୀୟ ଓ ବିଏସ୍‌ଏନ୍‌ଏଲ୍‌ ଚତୁର୍ଥ ସ୍ଥାନରେ ରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପ୍ରକାଶ କରିଥିବା ସଦ୍ୟତମ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଆଲୋଚ୍ୟ ତିନି ମାସରେ ଜିଓ ୬୪୨.୭୧ କୋଟି ଟଙ୍କା, ଏୟାରଟେଲ୍‌ ୪୬୭.୨୨ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆ ୫୮.୬୨ ‌କୋଟି ଟଙ୍କା ଓ ବିଏସ୍‌ଏନ୍‌ଏଲ୍‌ ୫୪.୭୦ କୋଟି ଟଙ୍କା ଆୟ କରିଛି। ରାଜସ୍ବ ତଥ୍ୟରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଓଡ଼ିଶା ବଜାରରେ ଜିଓ ଏବଂ ଏୟାରଟେଲ୍ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି। ଅନ୍ୟ ଦୁଇ କଂପାନି ପ୍ରତିଯୋଗିତାଠାରୁ ବହୁ ଦୂରରେ ରହିଛନ୍ତି।

ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି ଯେ ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍ ତିନି ମାସରେ କେବଳ ଜିଓ (୪.୯%) ଏବଂ ଏୟାରଟେଲ୍‌(୩.୭%)ର ରାଜସ୍ବ ବଢ଼ିଛି। ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍‌ର ରାଜସ୍ବ ହ୍ରାସ ପାଇଛି। ମୋଟ ରାଜସ୍ବରେ ଜିଓର ସିଂହ ଭାଗ ୫୨.୩ ପ୍ରତିଶତ ରହିଥିବା ବେଳେ ଏୟାରଟେଲ୍‌ର ୩୮ ପ୍ରତିଶତ, ଭୋଡାଫୋନ୍ ଆଇଡିଆର ୪.୮ପ୍ରତିଶତ ଓ ବିଏସ୍‌ଏନ୍‌ଏଲ୍‌ର ୪.୫ ପ୍ରତିଶତ ରହିଛି।
ଓଡ଼ିଶ‌ାରେ ମୋବାଇଲ୍ ସେବା ପ୍ରଦାନ କରୁଥିବା ଚାରି ପ୍ରମୁଖ କଂପାନି ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ବାବଦରେ ଏହି ତିନି ମାସସେ ୧୧୦୩ କୋଟି ଟଙ୍କା ଦେଇଥିବା ବେ‌ଳେ ଲାଇସେନ୍ସ ଫି’ ପାଇଁ ୮୩୧ କୋଟି ଟଙ୍କା ଓ ସ୍ପେକ୍ଟ୍ରମ୍ ଫି’ ଲାଗି ୪୧.୩୬ କୋଟି ଟଙ୍କା ଦେଇଛନ୍ତି। ଜିଓ ୬୩୭.୩୯ କୋଟି ଟଙ୍କାର ଏଜିଆର୍‌ ଦେଇଥିବା ବେଳେ ଏୟାରଟେଲ୍‌ ୩୭୭.୨୦ କୋଟି ଟଙ୍କା ଦେଇଛି। ଏହି ଦୁଇ କଂପାନି ଲାଇସେନ୍ସ ଫି’ ବାବଦରେ ଯଥାକ୍ରମେ ୫୦.୯୯ କୋଟି ଟଙ୍କା ଓ ୩୦.୧୮ କୋଟି ଟଙ୍କା ଦେଇଥିବା ବେଳେ ସ୍ପେକ୍ଟ୍ରମ୍ ଫି’ ବାବଦରେ ଯଥାକ୍ରମେ ୨୪.୦୩ କୋଟି ଟଙ୍କା ଓ ୧୪.୦୪ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାରେ ରିଲାଏନ୍ସ ଜିଓ ପ୍ରାୟ ୧.୫ କୋଟି ଗ୍ରାହକ ଥିବା ବେଳେ ଏୟାରଟେଲ୍‌ର ୧.୧୧ କୋଟି, ବିଏସ୍‌ଏନ୍‌ଏଲ୍‌ର ୬୪ ଲକ୍ଷ ଏବଂ ଭୋଡାଫୋନ୍ ଆଇଡଆର ୨୧.୮୯ ଲକ୍ଷ ଗ୍ରାହକ ରହିଛନ୍ତି।

୪ କଂପାନି ଗଣିଲେ ୧୧୦୩ କୋଟି ଏଜିଆର୍‌

୧୦୦ ଟଙ୍କାରୁ ସରକାର ନେଉଛନ୍ତି ୩୫ ଟଙ୍କା: ସୁନିଲ ମିତ୍ତଲ

ନୂଆଦିଲ୍ଲୀ: ଟେଲିକମ୍ ଶିଳ୍ପର ଦୁର୍ଦ୍ଦଶା ଲାଗି ଚଢ଼ା ହାରର ଟିକସକୁ ଦାୟୀ କରି ଏୟାରଟେଲ୍‌ର ମୁଖ୍ୟ ସୁନିଲ ମିତ୍ତଲ କହିଛନ୍ତି ଯେ ଆମେ ଆୟ କରୁଥିବା ପ୍ରତି ୧୦୦ ଟଙ୍କାରୁ ସରକାର ୩୫ ଟଙ୍କା ନେଉଛନ୍ତି। ଦରକାର ପଡ଼ିଲେ କଂପାନି ସେବାର ଦାମ୍ ବଢ଼ାଇବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକର ଗ୍ରାହକ ପିଛା ହାରାହାରି ଆୟ ୨୦୦ ଟଙ୍କାରୁ କମ୍ ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ତାହା ୨୦୦ ଟଙ୍କା ସ୍ତର ଟପିଯିବ। ପର୍ଯ୍ୟାୟକ୍ରମେ ତାହା ୩୦୦ ଟଙ୍କାରେ ପହଞ୍ଚିବ ବୋଲି ସେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର