ଭ୍ରାମ୍ୟମାଣ ଏଟିଏମ୍ ବ୍ୟବସ୍ଥା କର,ବ୍ୟାଙ୍କଗୁଡ଼ିକୁ କହିଲେ ସରକାର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ, କୃଷି, ମତ୍ସ୍ୟଚାଷ, ପଶୁପାଳନ, କୁକୁଡ଼ା ଚାଷ ପାଇଁ ଋଣ ଦିଅ

ଭୁବନେଶ୍ବର: ପ୍ରାୟ ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି। ସେହି ସମୟରେ ଲୋକମାନେ ବ୍ୟାଙ୍କିଙ୍ଗ ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଟଙ୍କା ଉଠାଣକୁ ନେଇ ସମସ୍ୟା ରହୁଛି। ସେହି ସମସ୍ୟାର ସମାଧାନ ଲାଗି ବ୍ୟାଙ୍କଗୁଡ଼ିକ ନିଜ ପାଖରେ ସ୍ବତନ୍ତ୍ର ଭାବେ କିଛି ପରିମାଣର ଭ୍ରାମ୍ୟମାଣ ଏଟିଏମ୍‌ ରଖିବାର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଲୋକସେବା ଭବନରେ ଅନୁଷ୍ଠିତ ୧୫୮ତମ ଓ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକରେ ଯୋଗ ଦେଇ ସେ କହିଛନ୍ତି, ବ୍ୟାଙ୍କଗୁଡ଼ିକ ଏଭଳି ଭ୍ରାମ୍ୟମାଣ ଏଟିଏମ୍‌ର ବ୍ୟବସ୍ଥା କରିବା ଦରକାର ଯେଉଁଥିରେ ଆଧାରକୁ ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ।

ଏହା ହେଲେ ବିଭିନ୍ନ ସଙ୍କଟମୟ ସ୍ଥିତିରେ ଲୋକମାନେ ସୁବିଧାରେ ଟଙ୍କା ଉଠାଇପାରିବେ। ବୈଠକରେ ସାମିଲ ହୋଇଥିବା ଅର୍ଥ ବିଭାଗର ପ୍ରମୁଖ ସଚିବ ‌ଅଶୋକ କୁମାର ମିନା ମଧ୍ୟ ଶ୍ରୀ ପୂଜାରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପ୍ରତି ବ୍ୟାଙ୍କ ତିନିଟି ଲେଖାଏଁ ଭ୍ରାମ୍ୟମାଣ ଏଟିଏମ୍ ରଖିବେ। ସେଗୁଡ଼ିକ ସାଧାରଣ ଏବଂ ଅସାଧାରଣ ପରିସ୍ଥିତିରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ଲାଗି ମୂତୟନ କରାଯିବା ଦରକାର ବୋଲି ସେ କହିଛନ୍ତି। ଋଣ ପ୍ରଦାନ ବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏମ୍‌ଇ)କୁ ପ୍ରାଥମିକତା ଦେବା ଲାଗି ଶ୍ରୀ ପୂଜାରୀ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଆର୍ଥିକ ସହାୟତା ଦେବା ପାଇଁ ସେ କହିଛନ୍ତି। ପଶୁପାଳନ, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଦୁଗ୍ଧ ଉତ୍ପାଦନ କୁକୁଡ଼ାଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମାନୁଫାକ୍‌ଚରିଂ କ୍ଷେତ୍ରକୁ ଅଧିକ ଋଣ ଯୋଗାଇ ଦେବା ଲାଗି ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବ୍ୟାଙ୍କ ଶାଖା ସଂଖ୍ୟା ବହୁତ କମ୍ ରହିଛି। ବ୍ୟାଙ୍କ ନଥିବା ପଞ୍ଚାୟତଗୁଡ଼ିକରେ ଶୀଘ୍ର ଶାଖା ଖୋଲିବା ଲାଗି ବ୍ୟବସ୍ଥା କରିବାକୁ ଶ୍ରୀ ତ୍ରିପାଠୀ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଏସ୍‌ଏଚ୍‌ଜିଗୁଡ଼ିକୁ ଅତିକମ୍‌ରେ ଦୁଇ ଲକ୍ଷ ଟଙ୍କା ଦେବା ଏବଂ ଯେଉଁ ଏସ୍‌ଏଚ୍‌ଜିଗୁଡ଼ିକୁ ଋଣ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଶୀଘ୍ର ଋଣ ଦେବା ଲାଗି ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଆଜିର ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ସ୍ବତନ୍ତ୍ର ସଚିବ, ୟୁକୋ ବ୍ୟାଙ୍କର ସିଏମ୍‌ଡି ଶ୍ରୀ ଗୋୟଲ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ, ନାବାର୍ଡ ଓ ଏସ୍‌ବିଆଇର ସିଜିଏମ୍, ୟୁକୋ ବ୍ୟାଙ୍କର ଏମ୍‌ଡି ସଞ୍ଜୟ କୁମାର ଓ ୧୦ ଜଣ ଲିଡ୍‌ ବ୍ୟାଙ୍କ ମ୍ୟ‌ାନେଜର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର