ବ୍ରିଟେନ ଅଦାଲତରେ ଏୟାର ଇଣ୍ଡିଆକୁ ସାମୟିକ ଆଶ୍ବସ୍ତି

ଲଣ୍ଡନ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ ବ୍ରିଟେନର ଏକ ଅଦାଲତରୁ ଗୋଟିଏ ମାମଲାରେ ସାମୟିକ ଆଶ୍ବସ୍ତି ମିଳିଛି। ଏୟାରକ୍ରାଫ୍ଟ ଲିଜ୍‌ ବାବଦରେ ଏୟାର ଇଣ୍ଡିଆ ଠାରୁ ୧୭.୬ ନିୟୁତ ଡଲାର ବାକି ଥିବା ରାଶିକୁ ଆଦାୟ କରିବା ପାଇଁ ଚୀନ ଏୟାରକ୍ରାଫ୍ଟ ଲିଜିଂ କମ୍ପାନି ମାମଲା କରିଥିଲା। ତେବେ ଏହି ବକେୟା ରାଶିକୁ ପଇଠ କରିବା ପାଇଁ ଏୟାର ଇଣ୍ଡିଆକୁ ବ୍ରିଟେନର ଏକ ଅଦାଲତ ଆସନ୍ତାବର୍ଷ ଜାନୁଆରି ୧୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କରୋନା ମହମାରୀ ଯୋଗୁଁ ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଖରାପ ରହିଛି। ଏହାକୁ ବିଚାରକୁ ନେଇ ବିଚାରପତି ସାଇମନ ସା‌ଲଜେଦୋ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏୟାର ଇଣ୍ଡିଆ ଡିସେମ୍ବର ମାସରେ ୫ ନିୟୁତ ଡଲାର ଅର୍ଥ ପଇଠ କରିବ ବୋଲି ସର୍ତ ରହିଛି। ଚୀନ କମ୍ପାନିର ଆଇନଜୀବୀ ତୁରନ୍ତ ଅର୍ଥ ପଇଠ ପାଇଁ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏୟାର ଇଣ୍ଡିଆ ଜାନୁଆରି ୨୯ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା। ଏସବୁକୁ ବିଚାରକୁ ନେଇ ବିଚାରପତି ଜାନୁଆରି ୧୧ ସୁଦ୍ଧା ବକେୟା ରାଶି ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର