ମୁଦ୍ରା ଋଣ ହ୍ରାସ ନେଇ ଚିନ୍ତା: ୯ଟି ଜିଲ୍ଲାରେ ଋଣ ଜମା ଅନୁପାତ ୪୦%ରୁ କମ୍‌

ଭୁବନେଶ୍ୱର: ମୁଦ୍ରା ଋଣ ଆବଣ୍ଟନରେ ବଡ଼ ଧରଣର ଋଣର ଭାଗ କମିବାରେ ଲାଗିଛି। ବିଶେଷ କରି କିଶୋର ଓ ତରୁଣ ମୁଦ୍ରା ଋଣର ଆବଣ୍ଟନ କମ ହେଉଥିବା ନେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଚିନ୍ତା ପ୍ରକଟ କରିଛନ୍ତି। ଏଠାରେ ଆୟୋଜିତ ୧୪୯ତମ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ (ଏସଏଲ୍‌ବିସି)ରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଅଦିନିଆ ବର୍ଷ, ପୋକ ଆକ୍ରମଣ ଓ ମରୁଡ଼ି ଆଦି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀକୂଳ କ୍ଷତିଗ୍ରସ୍ତ ହୋଇଛି। ଏହା ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀମାନଙ୍କ ଋଣକୁ ପୁନର୍ଗଠିତ କରି ତାହା ପରିଶୋଧ କରିବା ନିମନ୍ତେ ଲୋକମାନଙ୍କୁ ଅଧିକ ସମୟ ପ୍ରଦାନ କରିବା ଏବଂ ସେମାନଙ୍କୁ ରବି ଋତୁ ପାଇଁ ନୂଆ ଋଣ ଯୋଗାଇ ଦେବା ଉପରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଗୁରୁତ୍ୱ ପ୍ରଦାନ କରିବା ଦରକାର ବୋଲି ସେ କହିଛନ୍ତି। ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଉପରେ କୃଷି ବିଭାଗ କାମ କରୁଛି। ନାବାର୍ଡ ପକ୍ଷରୁ ସମବାୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଅନୁରୂପ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି।

ଋଣ ଅଭାବରୁ ଚାଷୀ ସମାଜ ଭୋଗୁଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କେତେକ ସୁପାରିସ କରିଛି। ଏହି ସବୁ ସୁପାରିସଗୁଡ଼ିକୁ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବ୍ୟାଙ୍କ ନଥିବା ସବୁ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବର୍ତମାନ ସୁଦ୍ଧା ୮୧୮ଟି ବ୍ୟଙ୍କ ଶାଖା ଖୋଲାଯାଇସାରିଲାଣି। ବଳକା ୬୫୬ଟି ଗ୍ରାମ ପଞ୍ଚାୟତରେ ଏ ଦିଗରେ କାମ ଜାରି ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ଋଣ ଜମା ଅନୁପାତ ହାର ୪୦%ରୁ କମ୍‌ ରହିବା ଚିନ୍ତାଜନକ ବୋଲି ଶ୍ରୀ ବେହେରା କହିଛନ୍ତି। ଏଥିରେ କିଭଳି ଉନ୍ନତି ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବାକୁ ସେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କହିଛନ୍ତି।

ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି ଯେ ଉଜ୍ଜୀବନ ଏବଂ ସୂର୍ଯ୍ୟୋଦୟ ଭଳି କ୍ଷୁଦ୍ର ବ୍ୟାଙ୍କ ରାଜ୍ୟରେ ଶାଖା ସ୍ଥାପନ କରିବାର ଖୁସିର ବିଷୟ। ଏହି ବୈଠକରେ କୃଷି ସଚିବ ସୌରଭ ଗର୍ଗ, ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ୟୁକୋ ବ୍ୟାଙ୍କର ଅଧ୍ୟକ୍ଷ ଜି ଏସ୍‌ ଆୟାର ଓ ବ୍ୟାଙ୍କର୍ସ କମିଟିର ଆବାହକ ଅନୀଲ କୁମାରଙ୍କ ସମେତ ନାବାର୍ଡ, ଏସ୍‌ବିଆଇ ଆଦିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର