ଟେସ୍‌ଲା ଚୀନ୍‌ରୁ ଗାଡ଼ି ଆଣି ଭାରତରେ ବିକିପାରିବନି: ଗଡ଼କରୀ

ନୂଆଦିଲ୍ଲୀ: ବିଦେଶରୁ ଆମଦାନି କରି ଭାରତରେ ବିଦ୍ୟୁତ୍ କାର ବିକ୍ରି ସଂପର୍କରେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ। ଆମେରିକା ଭିତ୍ତିକ ବିଦ୍ୟୁତ୍ ଯାନ ନିର୍ମାତା ଟେସ୍‌ଲାକୁ ଏହି ମର୍ମରେ ମନ୍ତ୍ରୀ କହିଛନ୍ତି ଭାରତରେ ଏହି କମ୍ପାନିକୁ କାରଖାନା ସ୍ଥାପନ ନିମନ୍ତେ ସ୍ବାଗତ କରାଯିବ। ଟେସ୍‌ଲା ଭାରତରେ କାର୍‌ ଉତ୍ପାଦନ କରି ସେଗୁଡ଼ିକୁ ବିଦେଶକୁ ରପ୍ତାନି କରିପାରିବ। କିନ୍ତୁ ଚୀନରେ କାର୍‌ ନିର୍ମାଣ କରି ଭାରତରେ ବିକ୍ରି କରିବା ଏକ ଉତ୍ତମ ପ୍ରସ୍ତାବ ନୁହେଁ। ଟେସ୍‌ଲା ଚୀନ୍‌ରୁ ଗାଡ଼ି ଆଣି ଭାରତରେ ବିକ୍ରି କରିପାରିବନି ବୋଲି ଗଡ଼କରୀ କହିଛନ୍ତି।

କାର୍‌ ଆମଦାନି କରି ଭାରତରେ ବିକ୍ରି କରିବା ଲାଗି ଟେସ୍‌ଲା ବ୍ୟଗ୍ର ରହିଛି। କମ୍ପାନି ଏଥିପାଇଁ ବିଦ୍ୟୁତ୍ ଯାନ ଉପରେ ଭାରତ ଲଗାଉଥିବା ଉଚ୍ଚ ଆମଦାନି ଶୁଳ୍କ ହ୍ରାସ ପାଇଁ ଅଧିକାରୀମାନଙ୍କ ଉପରେ ଗତ କିଛିମାସ ହେଲା ଚାପ ସୃଷ୍ଟି କରିଆସୁଛି। ଟେସ୍‌ଲାର ମୁଖ୍ୟ ଏଲନ ମସ୍କଙ୍କ କହିବାନୁଯାୟୀ, ଭାରତ ବିଦ୍ୟୁତ୍ ଯାନ ଆମଦାନି ଉପରେ ସବୁଠୁ ଅଧିକ ଟିକସ ଆଦାୟ କରୁଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେକ୍‌ ଇନ୍ ଇଣ୍ଡିଆ ଉପରେ ଗୁରୁତ୍ବ ଦେଉଛନ୍ତି। ଏହାଦ୍ବାରା ଭାରତରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ଏବଂ ଏବଂ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର