ୱାସିଂଟନ: ବିଶ୍ବର ୧ ନମ୍ବର ଧନୀବ୍ୟକ୍ତି ଏଲନ ମସ୍କ ତାଙ୍କ ବିଦ୍ୟୁତ୍ କାର୍ କମ୍ପାନି ଟେସ୍ଲା ପାଇଁ ଭାରତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେତେକ ପଦବି ପୂରଣ ପାଇଁ ବିଜ୍ଞାପନ ଦେଇଛନ୍ତି। ଫଳରେ ଆଗାମୀ ଦିନରେ ଭାରତରେ ଟେସ୍ଲାର କାରଖାନା ସ୍ଥାପନ ହେବ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ଭାରତରେ ଟେସ୍ଲାର କାରଖାନା ସ୍ଥାପନକୁ ପ୍ରଭାବିତ କରିପାରେ।
ଭାରତର ଉଚ୍ଚ ଶୁଳ୍କକୁ ଏଡ଼ାଇବା ପାଇଁ ବିଦ୍ୟୁତ୍ ଯାନ ନିର୍ମାତା ସେଠାରେ କାରଖାନା ସ୍ଥାପନ କରିବା ଆମେରିକା ପାଇଁ ଅତ୍ୟନ୍ତ ଅନ୍ୟାୟ ହେବ। ଫକ୍ସ ନ୍ୟୁଜ୍ର ସିଆନ୍ ହ୍ୟାନିଟିଙ୍କୁ ଟ୍ରମ୍ପ ଏବଂ ମସ୍କ ମିଳିତଭାବେ ଦେଇଥିବା ସାକ୍ଷାତକାର ସମୟରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯଦି ମସ୍କ ଭାରତରେ କାରଖାନା ସ୍ଥାପନ କରନ୍ତି ତାହେଲେ ତାହା କରିପାରନ୍ତି କିନ୍ତୁ ଆମ ପାଇଁ ଏହା ଅତ୍ୟନ୍ତ ଅନ୍ୟାୟ ହେବ।