ବେଜିଂ/ଫ୍ରାଙ୍କଫର୍ଟ: ଆମେରିକା ପରେ ବିଶ୍ବର ଅନ୍ୟ ପ୍ରମୁଖ ବଜାରରେ ଟେସ୍ଲା ଏହାର କେତେକ ମଡେଲ୍ କାର୍ ମୂଲ୍ୟ ହ୍ରାସ କରିଛି। ଏହି ବଜାର ମଧ୍ୟରେ ଚୀନ ଓ ଜର୍ମାନୀ ରହିଛି। କମ୍ପାନି ଏହାର ପରିବର୍ତ୍ତିତ ମଡେଲ୍ ୩ର ମୂଲ୍ୟ ଚୀନ୍ରେ ୧୪ ହଜାର ୟୁଆନ(୧୯୩୦ ଡଲାର)ରୁ ୨,୩୧,୯୦୦ ୟୁଆନ (୩୨,୦୦୦ ଡଲାର) ପର୍ଯ୍ୟନ୍ତ ହ୍ରାସ କରିଛି। ଜର୍ମାନୀରେ କମ୍ପାନି ମଡେଲ ୩ ରିଅର ହ୍ବିଲ ଡ୍ରାଇଭ କାରର ମୂଲ୍ୟ ୪୦,୯୯୦ ୟୁରୋରୁ ୪୨,୯୯୦ ୟୁରୋ ପର୍ଯ୍ୟନ୍ତ କମାଇଛି। ଏଥିସହିତ ୟୁରୋପର ଅନ୍ୟ କେତେକ ଦେଶ ସମେତ ମଧ୍ୟ ପ୍ରାଚ୍ୟ ଏବଂ ଆଫ୍ରିକାରେ ମଧ୍ୟ କମ୍ପାନି କାର୍ ମୂଲ୍ୟ ହ୍ରାସ କରିଛି ବୋଲି ଟେସ୍ଲାର ପ୍ରବକ୍ତା କହିଛନ୍ତି।
ଉଲ୍ଲେଖଯୋଗ୍ୟ, କମ୍ପାନି ଆମେରିକାରେ ମଡେଲ ୱାଇ, ମଡେଲ ଏକ୍ସ ଏବଂ ମଡେଲ ଏସ୍ର ମୂଲ୍ୟ ଶୁକ୍ରବାର ୨୦୦୦ ଡଲାର କମାଇଥିଲା। ଶନିବାର କମ୍ପାନି ଏହାର ଫୁଲ୍ ସେଲ୍ଫ-ଡ୍ରାଇଭିଂ ଡ୍ରାଇଭର ଆସିଷ୍ଟାଣ୍ଟ୍ ସଫ୍ଟୱେର ମୂଲ୍ୟ ୧୨ ହଜାର ଡଲାରରୁ ୮ ହଜାର ଡଲାରକୁ ହ୍ରାସ କରିଥିଲା। ବିଶ୍ବରେ ଟେସ୍ଲାର କାର୍ ବିକ୍ରି ହ୍ରାସ ପାଇବା ଏବଂ ଅନ୍ୟ ବିଦ୍ୟୁତ୍ ଯାନ ନିର୍ମାତାଙ୍କ ଠାରୁ ପ୍ରବଳ ପ୍ରତିଯୋଗିତାର ସାମ୍ନା ଟେସ୍ଲା କରୁଛି। ପ୍ରାୟ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଟେସଲାର କାର୍ ବିକ୍ରି ବିଶ୍ବ ବଜାରରେ ହ୍ରାସ ପାଇଛି।
ଟେସ୍ଲା କମ୍ପାନି ସିଇଓ ଏଲନ ମସ୍କ ଗତକାଲି ତାଙ୍କ ଭାରତ ଗସ୍ତକୁ ଘୁଞ୍ଚାଇଛନ୍ତି। ଟେସ୍ଲାରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ସେ ଭାରତ ଗସ୍ତରେ ଏବେ ଆସି ପାରି ନଥିବା କହିଛନ୍ତି। ଭାରତ ଗସ୍ତରେ ଆସି ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହିତ ଭାରତରେ ବଡ଼ ଧରଣର ନିବେଶ ଘୋଷଣା କରିବା ନେଇ ଆଶା କରାଯାଉଥିଲା। କାର୍ ବିକ୍ରି ହ୍ରାସ ପାଇଥିବାରୁ ବିଶ୍ବରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ ନେଇ ପୂର୍ବରୁ କମ୍ପାନି ଘୋଷଣା କରିସାରିଛି।