ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ଧନୀ ଏଲନ୍‌ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସ୍‌ଲା ଭାରତ ଆସିବା ଆଶା ମଉଳିଯାଇଛି। ସରକାରଙ୍କ ସହ କମ୍ପାନି ଅଧିକାରୀମାନେ ଆଉ ଯୋଗାଯୋଗରେ ନାହାନ୍ତି। ଗତ ଏପ୍ରିଲ୍‌ରେ ମସ୍କ ଭାରତ ଆସିବାର ଥିଲା। ସେହି ଗସ୍ତ ବାତିଲ ହେବା ପରଠାରୁ ଟେସ୍‌ଲା ସମ୍ପର୍କରେ ସରକାରଙ୍କ ସହ ତାଙ୍କ ଟିମ୍‌ କୌଣସି ଆଲୋଚନା କରିନାହିଁ। ସରକାର ଭାବୁଛନ୍ତି ଯେ ଟେସ୍‌ଲା ପୁଞ୍ଜି ସମସ୍ୟା ଦେଇ ଗତି କରୁଥିବାରୁ ଭାରତରେ ନିବେଶ କରିବା ନେଇ ନିଷ୍ପତ୍ତି ନେଇପାରୁନାହିଁ। ବିଶ୍ବସ୍ତରରେ ଟେସ୍‌ଲା କାର୍‌ ବିକ୍ରି ହ୍ରାସ ପାଉଥିବା ବେଳେ ଚୀନ୍‌ରେ କମ୍ପାନିକୁ କଡ଼ା ପ୍ରତିଦ୍ବନ୍ଦ୍ବିତା ସାମ୍ନା କରିବାକୁ ପଡ଼ୁଛି। ବ୍ୟବସାୟ ପ୍ରଭାବିତ ହେବା ପରେ ଗତ ଏପ୍ରିଲ୍‌ରେ କମ୍ପାନି କର୍ମଚାରୀ ଛଟେଇ କରିଥିଲା।

Advertisment

ଏହା ଆଣିଥିବା ନୂଆ ଉତ୍ପାଦ ସାଇବରଟ୍ରକ୍‌ ମଧ୍ୟ ବିଶେଷ ଗ୍ରହଣୀୟ ହୋଇପାରିନାହିଁ। ମେକ୍ସିକୋରେ କମ୍ପାନି ସ୍ଥାପନ କରୁଥିବା କାରଖାନା କାର୍ଯ୍ୟ ମଧ୍ୟ ବିଳମ୍ବିତ ହୋଇଛି। ଭାରତରେ ୪୧୫୦ କୋଟି ଟଙ୍କା ନିବେଶ କରି ଏକ କାରଖାନା ସ୍ଥାପନ କରିବା ଏବଂ ୨୦ ଲକ୍ଷ ଟଙ୍କା ମୂଲ୍ୟର ଇଲେକ୍ଟ୍ରିକ୍ କାର୍‌ ଉତ୍ପାଦନ କରି ବିକ୍ରି କରିବାକୁ ଟେସ୍‌ଲା ଯୋଜନା ରଖିଥିଲା। ତିନି ବର୍ଷ ଭିତରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଥିଲା। କାରଖାନା ଲାଗି କମ୍ପାନିର ଅଧିକାରୀମାନେ ଜମି ସନ୍ଧାନରେ ମଧ୍ୟ ବାହାରିଥିଲେ। ସେହି ସବୁ ପ୍ରକ୍ରିୟା ହଠାତ୍‌ ବନ୍ଦ ହୋଇଯାଇଛି।