ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ୍ ଯାନ କଂପାନି ଟେସ୍‌ଲାର କୌଣସି ଦାବିକୁ ଭାରତ ମାନୁନଥିବାରୁ ଏହା ଭାରତ ଛାଡ଼ି ଇଣ୍ଡୋନେସିଆ ଚାଲିଯିବା ବିଷୟରେ ବିଚାର କରୁଛି। ଇଣ୍ଡୋନେସିଆରେ ପ୍ରଚୁର ପରିମାଣର ନିକେଲ୍ ରହିଛି ଯାହା କଂପାନିକୁ ବେଶ ସୁହାଇବ। ଟେସ୍‌ଲା ପାଇଁ ଭାରତ ସରକାରଙ୍କ ସହ ମୁଲଚାଲ କରୁଥିବା ପ୍ରମୁଖ ଅଧିକାରୀ ଇସ୍ତଫା ଦେବା ପରେ ଭାରତରେ ଇଲେକ୍ଟ୍ରିକ୍ କାର୍ ବିକ୍ରି କରିବା‌ ଯୋଜନାକୁ କଂପାନି ସ୍ଥଗିତ ରଖିଛି।

Advertisment

ଟେସ୍‌ଲାର ନୀତି ଓ ବ୍ୟବସାୟ ବିକାଶ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ମନୁଜ ଖୁରାନା ଏକ ବର୍ଷରୁ ଅଧିକ ସମୟ ଧରି ଭାରତ ସରକାରଙ୍କ ସହ ମୁଲଚାଲ କରିଥିଲେ। ଇଲେକ୍ଟ୍ରିକ୍ ଯାନ ଉପରେ ଲଗାଯାଇଥିବା ୧୦୦% ଆମଦାନି ଶୁଳ୍କକୁ ୪୦% ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ବାରମ୍ବାର ଉଦ୍ୟମ କରିବା ସତ୍ତ୍ବେ ସେ ବିଫଳ ହୋଇଥିଲେ। ଚୀନ୍‌ରୁ କାର୍‌ ଆମଦାନି କରି ‌ତାହାକୁ ଭାରତରେ ବିକ୍ରି କରିବାକୁ ଟେସ୍‌ଲା ଯୋଜନା ରଖିଥିଲା। ଦେଶ ଭିତରେ କାରଖାନା ସ୍ଥାପନ କରିବା ଲାଗି ପ୍ରତିଶ୍ରୁତି ଦେ‌ବା ପରେ ହିଁ ଯାହା କିଛି ସୁବିଧା ଦିଆଯିବା ବିଷୟରେ ବିଚାର କରାଯିବ ବୋଲି ସରକାର ସ୍ପଷ୍ଟ କରିଥିଲେ। ସରକାର ନିଜ ଜିଦ୍‌ରେ ଅଟଳ ରହିବା ପରେ ସୋ’ରୁମ୍‌ ଖୋଲିବା ଲାଗି ଟେସ୍‌ଲା ଜାଗା ଖୋଲିବା ପ୍ରକ୍ରିୟା ବନ୍ଦ କରିଦେଇଛି।

ମେ’ରେ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଭାରତକୁ ଇଙ୍ଗିତ କରି ‌ଟୁଇଟ୍‌ କରିଥିଲେ ଯେ ପ୍ରଥମେ କାର୍‌ ବିକ୍ରି କରିବା ଲାଗି ଯେଉଁଠାରେ ଅନୁମତି ଦିଆନଯିବ କଂପାନି ସେଠାରେ କାରଖାନା ସ୍ଥାପନ କରିବ ନାହିଁ। କଂପାନି ଭାରତ ପ୍ରବେଶ ଯୋଜନାକୁ ସମ୍ପୂର୍ଣ୍ଣ ଟାଳି ଦେଇଥିବା ଆଲୋଚନା ହେଉଛି। ଭାରତରୁ ନିରାଶ ହେବା ପରେ ଟେସ୍‌ଲା ଏବେ ଇଣ୍ଡୋନେସିଆ ବଜାର ଯିବାକୁ ଚାହୁଛି ଓ ଦରକାର ପଡ଼ିଲେ ସେଠାରେ ଏକ କାରଖାନା ମଧ୍ୟ ସ୍ଥାପନ କରିପାରେ। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ଦେଶରେ କାରଖାନା ସ୍ଥାପନ କରିବା ଲାଗି ସରକାର ଟେସ୍‌ଲା, ଫୋର୍ଡ ଓ ଅନ୍ୟ କିଛି କାର୍‌ କଂପାନି ସହ ଆଲୋଚନା କରୁଛନ୍ତି। ଇଲେକ୍ଟ୍ରିକ୍ ଯାନ ତିଆରିରେ ବ୍ୟବହାର ହେଉଥିବା ସମସ୍ତ ପ୍ରମୁଖ କଞ୍ଚାମାଲ ଯତା ତମ୍ବା, ନିକେଲ ଓ ଟିଣ ଇଣ୍ଡୋନେସିଆରେ ରହିଛି। ଏହା ଯେକୌଣସି ଇଲେକ୍ଟ୍ରିକ୍ ଯାନ କଂପାନିକୁ ସମ୍ପୂର୍ଣ୍ଣ ସମାଧାନ ଯୋଗାଇ ଦେବ। ନିଜ ପ୍ରାକୃତିକ ସମ୍ବଳ ଜରିଆରେ ଇଣ୍ଡୋନେସିଆ ବହୁ କାର୍ ନିର୍ମାତାଙ୍କୁ ଆକୃଷ୍ଟ କରିବା ଲାଗି ନୀତି ପ୍ରସ୍ତୁତ କରିଛି।