ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ ଯାନ (ଇଭି) କମ୍ପାନି ଟେସଲା ଭାରତରେ ପ୍ରବେଶ କରିଛି। ଏହା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଥମ ସୋ’ରୁମ୍‌ ଖୋଲିଛି। ତାହାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ ଉଦ୍‌ଘାଟନ କରିଛନ୍ତି। ଭବିଷ୍ୟତରେ ଭାରତରେ ଗବେଷଣା ଓ ବିକାଶ ଏବଂ ନିର୍ମାଣ ବିଷୟରେ ଟେସ୍‌ଲା ବିଚାର କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଭାରତରେ ଇଭି ବଜାର ଆଗକୁ ବଢ଼ିବା ଆରମ୍ଭ ହେଉଛି। ଦେଶର ବିକ୍ରି ହେଉଥିବା ମାତ୍ର ୨ ପ୍ରତିଶତ କାର୍‌ ହେଉଛି ଇଭି। ତେଣୁ ଏଠାରେ ବଜାର ବଢ଼ାଇବାର ବ୍ୟାପକ ସୁଯୋଗ ରହିଛି।

Advertisment

ଅନ୍ୟପଟେ ମସ୍କ ରାଜନୀତିରେ ମାତିବା ପରେ ଚଳିତ ବର୍ଷ ଏପ୍ରିଲ-ଜୁନ୍ ମଧ୍ୟରେ ଟେସ୍‌ଲାର ବିକ୍ରି ଗୁରୁତର ପ୍ରଭାବିତ ହୋଇଛି। ତେଣୁ ଭାରତୀୟ ବଜାର ଏହା ପାଇଁ ଜରୁରୀ ହୋଇପଡ଼ିଛି। ମଡେଲ୍‌ ୱାଇ ସହ ଟେସ୍‌ଲା ଭାରତରେ ଏହାର ଯାତ୍ରା ଆରମ୍ଭ କରିଛି ଯାହାର ମୂଲ୍ୟ ହେଉଛି ୬୦ ଲକ୍ଷ ଟଙ୍କାରୁ ଅଧିକ। ୪୦୦୦ ବର୍ଗଫୁଟରେ ଖୋଲାଯାଇଥିବା ‌ଟେସ୍‌ଲା ସୋ’ରୁମ୍‌ରେ ୨ଟି ୱାଇ ମଡେଲ୍‌ ପ୍ରଦର୍ଶିତ କରାଯାଇଛି। କମ୍ପାନି ଭାରତରେ ବିଏମ୍‌ଡବ୍ଲ୍ୟ ଓ ମର୍ସିଡିସ୍ ଭଳି ବ୍ରାଣ୍ଡ୍ ସହ ପ୍ରତିଦ୍ବନ୍ଦ୍ବିତା କରିବ। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଓ ଟାଟା ମୋଟର୍ସ ସହ ଏହାର ସିଧାସଳଖ ଲଢ଼େଇ ହେବ ନାହିଁ।