ନୂଆଦିଲ୍ଲୀ: ମହାମାରୀ ସମୟରେ ବ୍ୟବସାୟ ପ୍ରସ୍ତାବ ଉପସ୍ଥାପନ କରିବାରେ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛି। ଗତ ଦୁଇଦିନ ଭିତରେ ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କଙ୍କୁ ଭାରତର ରାଜ୍ୟଗୁଡ଼ିକ ଦେଉଥିବା ପ୍ରସ୍ତାବରୁ ଏହା ପ୍ରମାଣିତ ହୋଇଛି। କେନ୍ଦ୍ର ସରକାରଙ୍କ ସହ ଟିକସକୁ ନେଇ ସମସ୍ୟା ଥିବା ବିଷୟରେ ମସ୍କ ଜଣାଇବା ପରେ ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ପକ୍ଷରୁ କଂପାନିକୁ ଆମନ୍ତ୍ରଣ କରାଯାଇଥିଲା। ଆଜି ଆଉ ଦୁଇଟି ରାଜ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ମହାରାଷ୍ଟ୍ର ଓ ପଞ୍ଜାବ।
ଆଜି ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଓ ମହାରାଷ୍ଟ୍ରର ଜଳ ସମ୍ପଦ ମନ୍ତ୍ରୀ ଜୟନ୍ତ ଆର୍ ପାଟିଲ ଟ୍ବିଟର୍ ଜରିଆରେ ଟେସ୍ଲାକୁ ଆମନ୍ତ୍ରଣ କରିଛନ୍ତି। ମସ୍କଙ୍କ ଟୁଇଟ୍ରେ ଉତ୍ତର ଦେଇ ମହାରାଷ୍ଟ୍ରର ମନ୍ତ୍ରୀ ଶ୍ରୀ ପାଟିଲ୍ ଲେଖିଛନ୍ତି ଯେ ମହାରାଷ୍ଟ୍ର ହେଉଛି ଭାରତର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ। ଭାରତରେ ନିଜକୁ ପ୍ରତିଷ୍ଠିତ କରିବା ଲାଗି ଆମେ ତୁମକୁ ସମସ୍ତ ସହାୟତା ପ୍ରଦାନ କରିବୁ। ନିଜର କାରଖାନା ମହାରାଷ୍ଟ୍ରରେ ସ୍ଥାପନ କରିବା ଲାଗି ଆମେ ଆପଣଙ୍କୁ ନିମନ୍ତ୍ରଣ କରୁଛୁ। ସେହିପରି, ପଞ୍ଜାବର କଂଗ୍ରେସ ମୁଖ୍ୟ ସିଦ୍ଧୁ ଲେଖିଛନ୍ତି ଯେ ମୁଁ ଏଲନ୍ ମସ୍କଙ୍କୁ ଆମନ୍ତ୍ରଣ କରୁଛି। ପଞ୍ଜାବ ମଡେଲ୍ରେ ଆମେ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି ଜରିଆରେ ଲୁଧିଆନାକୁ ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ଶିଳ୍ପର ହବ୍ରେ ପରିଣତ କରିବୁ। ଏହା ଜରିଆରେ ପଞ୍ଜାବକୁ ନୂଆ ପ୍ରଯୁକ୍ତି ଆସିବ, ସବୁଜ ନିଯୁକ୍ତି ସୃଷ୍ଟି ହେବ ଓ ଆମେ ପରିବେଶ ସୁରକ୍ଷା ଓ ନିରନ୍ତର ବିକାଶ ଦିଗରେ ଆଗକୁ ବଢ଼ିପାରିବୁ। ଏହା ପୂର୍ବରୁ ତେଲେଙ୍ଗାନାର ଶିଳ୍ପ ମନ୍ତ୍ରୀ ଟି କେ ରାମା ରାଓ ଟ୍ବିଟର୍ ଜରିଆରେ ମସ୍କଙ୍କୁ ଜଣାଇଥିଲେ ଯେ ଏହି ଆହ୍ବାନପୂର୍ଣ୍ଣ ସମୟରେ ଟେସ୍ଲା ସହିତ ସହଯୋଗିତା ସ୍ଥାପନ କରି ଖୁସିର ସହ ତେଲେଙ୍ଗାନା ସରକାର କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।
୨୦୧୯ ପରଠାରୁ ଟେସ୍ଲା ଭାରତ ଆସିବାକୁ ଉଦ୍ୟମ କରୁଛି। କିନ୍ତୁ ଏଠାରେ କାରଖାନା ବସାଇବାକୁ ଚାହୁନାହିଁ। ଗାଡ଼ି ସିଧାସଳଖ ଆମଦାନି କରି ଏଠାରେ ବିକ୍ରି କରିବାକୁ କଂପାନି ଚାହୁଛି। ଭାରତକୁ ଏହି ସଂସ୍ଥା କେବଳ ଏକ ଉପଭୋକ୍ତା ବଜାର ଭାବେ ଦେଖୁଛି। କଂପାନିର ଏହି ଲକ୍ଷ୍ୟ ପୂରଣ ଦିଗରେ ସବୁଠୁ ବଡ଼ କଣ୍ଟା ଭାବେ ଉଭା ହୋଇଛି ଭାରତର ଟିକସ ବ୍ୟବସ୍ଥା। ଗାଡ଼ିଗୁଡ଼ିକର ଆମଦାନି ଉପରେ ଭାରତରେ ୧୦୦% ଭଳି ସୀମା ଶୁଳ୍କ ଲାଗୁ କରାଯାଇଛି। ତାହାକୁ ୪୦% ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ଟେସ୍ଲା ଦାବି କରୁଛି ଯାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏକ ନିର୍ଦିଷ୍ଟ କଂପାନି ଲାଗି ନିଜ ଟିକସ ନିୟମରେ ପରିବର୍ତ୍ତନ କରିବା ଲାଗି ସରକାର ଚାହୁନାହାନ୍ତି। ଟିକସ ହ୍ରାସ ନିଷ୍ପତ୍ତି ନେଲେ ସେହି ସୁବିଧା ଅନ୍ୟ ସବୁ କଂପାନିଙ୍କୁ ଦେବାକୁ ପଡ଼ିବ। ମହାମାରୀ ଭଳି ସଙ୍କଟପୂର୍ଣ୍ଣ ସମୟରେ ରାଜସ୍ବ ଆୟ ସଙ୍କୁଚିତ ହୋଇଥିବା ବେଳେ ଟିକସ ବ୍ୟବସ୍ଥାରେ ସରକାର କୌଣସି ପରିବର୍ତ୍ତନ କରିବାକୁ ଚାହୁନାହାନ୍ତି। ଟେସ୍ଲା ଏହାର କାରଖାନା ଭାରତରେ ସ୍ଥାପନ କରୁ ବୋଲି ସରକାର ଚାହୁଛନ୍ତି। କିନ୍ତୁ ସେଥିପାଇଁ ଟେସ୍ଲା କୌଣସି ପ୍ରତିଶ୍ରୁତି ଦେଉନାହିଁ। ଅଟୋମୋବାଇଲ୍ ଶିଳ୍ପ ଲାଗି ଘୋଷଣା କରାଯାଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍ଆଇ)ରେ କଂପାନି ଅଂଶଗ୍ରହଣ କରି ତାହାର ଲାଭ ଉଠାଇପାରିବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ଏମିତିକି ଟେସ୍ଲା ଏହାର ଉପକରଣଗୁଡ଼ିକୁ ଆମଦାନି କରି ଭାରତରେ ଆସେମ୍ବଲ କରୁ ବୋଲି ମଧ୍ୟ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ, ଟେସ୍ଲା କେବଳ ସୁବିଧା ବାଟ ଖୋଜୁଛି।