ଭାରତର ନିୟମ ମାନିଲେ ହିଁ ଏଲନ ମସ୍କ ଓ  ଟେସଲାକୁ ସ୍ବାଗତ କରାଯିବ : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକୀୟ ଶିଳ୍ପପତି ଏଲନ ମସ୍କଙ୍କ କାର କମ୍ପାନି ଟେସଲାକୁ ଭାରତକୁ ସ୍ବାଗତ । କିନ୍ତୁ କମ୍ପାନିକୁ ଭାରତର ନିୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ସାଧାରଣ ଉଦ୍ୟୋଗ ଓ ଭାରି ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ।

ସେ କହିଛନ୍ତି ଟେସଲା ଯଦି ଭାରତରେ ବ୍ୟବସାୟ କରିବାକୁ ଚାହୁଁଛି, ତେବେ ତାକୁ ଭାରତରେ ନିଜର କାରଖାନା ସ୍ଥାପନ କରିବାକୁ ହେବ । କାରଣ ସରକାର ଆତ୍ମନିର୍ଭର ଭାରତ ଯୋଜନାକୁ ନେଇ କୌଣସି ସାଲିସ କରିବାକୁ ଚାହୁଁନାହାନ୍ତି ।

ଟିଭି-୯ ଗ୍ଲୋବାଲ ସମିଟରେ ଯୋଗ ଦେଇ ସେ କହିଛନ୍ତି ଯେ ମୋଦୀ ସରକାର ଆତ୍ମନିର୍ଭର ଭାରତ ଯୋଜନାକୁ ନେଇ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି ଓ ଶିଳ୍ପଜଗତରୁ ଏହାକୁ ଭଲ ସମର୍ଥନ ମିଳିଛି । ଏଣୁ ସରକାର ଏହାକୁ ନେଇ କୌଣସି ସାଲିସ କରିବାକୁ ଚାହୁଁନାହାନ୍ତି ।

ଗତ ମାସରେ ଏଲନ ମସ୍କ କହିଥିଲେ ଯେ, ତାଙ୍କ କମ୍ପାନିକୁ ଭାରତରେ କାର ବିକ୍ରି ଓ ସର୍ଭିସିଂ ପାଇଁ ପ୍ରଥମେ ଅନୁମତି ଦିଆଯାଉ ଓ ତାପରେ ଉତ୍ପାଦନ କେନ୍ଦ୍ର ସ୍ଥାପନ ବିଷୟରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, ଚୀନରେ ଟେସଲାର ଉତ୍ପାଦନ କେନ୍ଦ୍ର ରହିଛି । ଚୀନରେ ନିର୍ମିତ କାର ଭାରତରେ ବିକିବାକୁ ଚାହୁଁଛି ଟେସଲା । ଏଥିପାଇଁ ଆମଦାନୀ ଟିକସରେ ବି ରିହାତି ଚାହୁଁଛି ଏହି କମ୍ପାନି । କିନ୍ତୁ ଭାରତ ସରକାର ଏଥିପାଇଁ ରାଜି ହେଉନାହାନ୍ତି ।

 

ସମ୍ବନ୍ଧିତ ଖବର