ଟେଣ୍ଟ୍‌ ହାଉସ୍‌ରେ ଆୟକର ଚଢ଼ଉ:୧୦୦ କୋଟିର କଳାଟଙ୍କା ଠାବ

• ୧.୨ କୋଟିର ନଗଦ ଜବତ• ୨.୪ କୋଟିର ଗହଣା• ନଜରରେ ହାଇପ୍ରୋଫାଇଲ୍‌ ଗ୍ରାହକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଅଞ୍ଚଳର କେତୋଟି ପ୍ରମୁଖ କ୍ୟାଟରିଂ ଓ ଟେଣ୍ଟ ହାଉସ୍‌ରେ ଆୟକର ବିଭାଗ ନିକଟରେ ବଡ଼ ଧରଣର ଚଢ଼ଉ କରିଛି। ଚଢ଼ଉବେଳେ ୧୦୦ କୋଟି ଟଙ୍କାରୂ ଊର୍ଧ୍ୱ ରାଶିର କଳାଟଙ୍କା ଓ ଅଘୋଷିତ ଆୟ ଆୟକର ବିଭାଗ ଠାବ କରିଛି।

ଆୟକର ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ୩ଟି ପ୍ରମୁଖ କ୍ୟାଟରିଂ, ଟେଣ୍ଟ୍‌ ଏବଂ ପେଣ୍ଡାଲ ଅପରେଟରଙ୍କର ୪୩ଟି ସ୍ଥାନରେ ମେ ୩ ତାରିଖରୁ ଚଢ଼ଉ ( ଅନୁସନ୍ଧାନ ଓ ସର୍ଭେ) କରାଯାଇଛି। ଦିଲ୍ଲୀ ଆୟକର କାର୍ଯ୍ୟାଳୟର ତଦନ୍ତ ବିଭାଗ ଅଧିକାରୀମାନେ ଏହି ଚଢ଼ଉ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାରୀମାନେ ୧ କୋଟି ୮୨ ଲକ୍ଷ ଟଙ୍କାର ନଗଦ ଅର୍ଥ, ୨ କୋଟି ୪୦ ଲକ୍ଷ ଟଙ୍କାର ଗହଣା ଜବତ କରିଛନ୍ତି। ବଡ଼ ବଡ଼ ବିବାହ ଓ ଅନ୍ୟାନ୍ୟ ପାରିବାରିକ ଉତ୍ସବ ଆାୟୋଜନ କରୁଥିବା ଏହି ଅପରେଟରମାନେ ସାଧାରଣତଃ ନଗଦ ଅର୍ଥରେ ବ୍ୟବସାୟ କରୁଥିବା ଜଣାଯାଇଛି। ଏସବୁ ଅପରେଟରଙ୍କ ପେଣ୍ଡାଲରେ ବିବାହ ଆଦି ଉତ୍ସବ କରିଥିବା ହାଇ ପ୍ରୋଫାଇଲ୍‌ ଗ୍ରାହକମାନେ ଏବେ ଆୟକର ବିଭାଗର ନଜରରେ ଅଛନ୍ତି।

ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆୟକର ବିଭାଗର ଅଧିକାରୀମାନେ ଅପରେଟରଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରିଛନ୍ତି। ମୋବାଇଲ ଫୋନ୍‌ରେ ଥିବା ମେସେଜ୍‌ ଓ ହ୍ଵାଟ୍‌ସଆପ୍‌ ଚାଟ୍‌ରେ ଗ୍ରାହକଙ୍କ ସହିତ ଟଙ୍କା କାରବାର ସମ୍ପର୍କିତ ତଥ୍ୟ ରହିଛି। ଅପରେଟରମାନେ ଟିକସ ଫାଙ୍କିବା ଲାଗି ଦୀର୍ଘବର୍ଷ ହେଲା ସେମାନଙ୍କ ବିକ୍ରି ଓ ସେବା ସମ୍ପର୍କିତ କାରବାରକୁ କମ୍‌ ଦର୍ଶାଇ ଆସୁଛନ୍ତି ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଅପରେଟରମାନଙ୍କର ୧୫ଟି ବ୍ୟାଙ୍କ ଲକରକୁ ଅଚଳ କରି ଦିଆଯାଇଛି। ଏସବୁ ମାମଲାରେ କଳାଟଙ୍କା ବା ଅଘୋଷିତ ଆୟ ରାଶି ଶହେ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି। ଏପରିକି ଜାଲ୍‌ କମ୍ପାନିଙ୍କ ଠାରୁ ସାମଗ୍ରୀ କିଣି ସେମାନଙ୍କୁ ଅର୍ଥ ପଇଠ କରିଥିବା ବିଷୟ ଆୟକର ବିଭାଗ ଜାଣିବାକୁ ପାଇଛି। କେତେକ କ୍ଷେତ୍ରରେ ଆୟକର ଠକେଇ ରାଶି ମୋଟ ଆୟର ଶହେ ପ୍ରତିଶତ ବୋଲି ଆୟକର ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର