ନୂଆଦିଲ୍ଲୀ: ଅଣ ବାସମତି ଧଳା ଚାଉଳ ଉପରେ ଭାରତ ସରକାର କଟକଣା ଲଗାଇବା ପରେ ସାରା ବିଶ୍ବରେ ଚାଉଳ ମହଙ୍ଗା ହୋଇଛି। ଥାଇଲ୍ୟାଣ୍ଡ୍ ଓ ଭିଏତ୍ନାମ୍ ବିକ୍ରି କରୁଥିବା ଚାଉଳ ଦାମ୍ ବଢ଼ାଇ ଦେଇଛନ୍ତି। ଫଳରେ ଆମଦାନି ଜରିଆରେ ଆବଶ୍ୟକତା ପୂରଣ କରୁଥିବା ଦେଶଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଚାଉଳକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିଥିବା ପ୍ରବାସୀ ଭାରତୀୟମାନେ ବିଭିନ୍ନ ଦେଶରେ ବସ୍ତା ବସ୍ତା ଚାଉଳ କିଣି ଘରେ ମହଜୁଦ ରଖିବା ଆରମ୍ଭ କରିଛନ୍ତି। ଜଳବାୟୁରେ ଏଲ୍-ନିନୋ ପ୍ରଭାବର ଆଶଙ୍କା ଥିବାରୁ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି।
ଯଦି ସେଭଳି ହେବ ତେବେ ଚାଉଳ ସଙ୍କଟ ଦେଖାଦେବ। ସମ୍ଭାବ୍ୟ ସଙ୍କଟକୁ ଦୂର କରିବା ଏବଂ ଦେଶ ଭିତରେ ଚାଉଳ ମୂଲ୍ୟରେ ହେଉଥିବା ବୃଦ୍ଧିକୁ ରୋକିବା ଲାଗି ଭାରତ ସରକାର ଅଣ ବାସମତି ଚାଉଳ ରପ୍ତାନି ବନ୍ଦ କରିଛନ୍ତି। ଏହାର ପ୍ରଭାବରେ ଭିଏତ୍ନାମ୍ ଓ ଥାଇଲ୍ୟାଣ୍ଡ୍ରେ ଚାଉଳ ଦାମ୍ ୧୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶେଷ ଥର ଲାଗି ସେଠାରେ ୨୦୧୧ରେ ଚାଉଳ ଦାମ୍ ଏଭଳି ଉଚ୍ଚ ସ୍ତରରେ ଥିଲା। ବିଶ୍ବବ୍ୟାପୀ ଚାଉଳ ଦାମ୍ରେ ବୃଦ୍ଧି ଏସିଆରେ ବସବାସ କରୁଥିବା ଲୋକମାନଙ୍କୁ ସର୍ବାଧିକ ପ୍ରଭାବିତ କରିବ। ଚୀନ୍ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବ। ଆଗାମୀ ଦିନରେ ଚାଉଳ ମହଜୁଦ୍ ରଖିବାକୁ ନେଇ ଦେଶ ଦେଶ ଭିତରେ ପ୍ରତିଦ୍ବନ୍ଦ୍ବିତା ହେବାର ଆଶଙ୍କା ସୃଷ୍ଟି ହୋଇଛି।