ଦାନ୍ତେଓ୍ଵାଡ଼ା (ଛତିଶଗଡ଼): ‘କଡକ୍‌ନାଥ’ ନାମରେ ଏକ ବିରଳ ପ୍ରଜାତିର କଳା କୁକୁଡ଼ା ଏବେ ଛତିଶଗଡ଼ର ନକ୍ସଲ ଅଧ୍ୟୁଷିତ ଦାନ୍ତେଓ୍ଵାଡ଼ର ଆଦିବାସୀ ମହିଳାମାନଙ୍କ ପାଇଁ ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି। ବିରଳ ପ୍ରଜାତିର କଳା କୁକୁଡ଼ା କଡ଼କଣ୍ଠ ଚାଷ କରି ଏଥିରୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିବାରେ ସମର୍ଥ ହୋଇ ପାରିଛନ୍ତି।

Advertisment

ଏହି ବିରଳ ପ୍ରଜାତିର କଳା କୁକୁଡ଼ା କଡକ୍‌ନାଥର ମାଂସ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ନିଆରା। ସେଥିପାଇଁ ଏହି କୁକୁଡ଼ାର ଚାହିଦା ଦେଶ ଭିତରେ ତଥା ଦେଶ ବାହାରେ ବହୁଳ ଭାବେ ରହିଛି। ସେଥିପାଇଁ ଜୀବନ୍ତ ଅବସ୍ଥାରେ ଏହି କୁକୁଡ଼ାକୁ କିଲୋପ୍ରତି ୮୦୦ରୁ ୯୦୦ ଦରରେ ବିିକ୍ରୟ କରୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା। ତେବେ, ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ବିରଳ ପ୍ରଜାତିର କଳା କୁକୁଡ଼ା କଡକ୍‌ନାଥ କେବଳ ମାତ୍ର ଛତିଶଗଡ଼ ଦାନ୍ତେଓ୍ଵାଡ଼ାର ପାଣିପାଗ ଓ ପରିବେଶରେ ବଢ଼ିବା ପାଇଁ ସମର୍ଥ ହେଉଛନ୍ତି।

publive-image

ପ୍ରାଥମିକ ସ୍ତରରେ ଏହି କଳା କୁକୁଡ଼ାକୁ ଘରୋଇ ଭାବେ ଚାଷ କରିବା ସହ ଏହାକୁ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିବା ପରେ ଏହାକୁ ଏବେ ବ୍ୟବସାୟିକ ଭାବେ ଚାଷ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି, ଦାନ୍ତେଓ୍ଵାଡ଼ାର ଆଦିବାସୀ ମହିଳାମାନେ। ଏଥିପାଇଁ ସେମାନେ ଇନ୍ଦ୍ରାବତୀ ସୋସାଇଟି ନାମରେ ଏକ ସମବାୟ ସମିତି ମଧ୍ୟ ଗଠନ କରିଛନ୍ତି। ଏବଂ ଏହାରି ଜରିଆରେ ଏକତ୍ରିତ ହୋଇ ମିଳିତ ଭାବେ କଳା କୁକୁଡ଼ା ଚାଷ କରିବା ସହ ଏହାର ବ୍ୟବସାୟ କରୁଛନ୍ତି। ଗତ ୨୦୧୭ ମେ’ ମାସରେ ଏହି ସମିତି ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ସମିତିର ଜନୈକା ସଦସ୍ୟା ଅସମତି ଆର୍ଯ୍ୟ। ସେହିପରି ସମିତ ଗଠିତ ହେବାପରେ ଆଜି ପର୍ଯ୍ୟନ୍ତ ସମିତି ଜରିଆରେ ୩୦୦ କଡକ୍‌ନାଥ କଳା କୁକୁଡ଼ା ବିକ୍ରୟ କରି ସମିତିର ସଦସ୍ୟାମାନେ ଆୟ କରିଛନ୍ତି ୩ ଲକ୍ଷ ଟଙ୍କା ବୋଲି ସୂଚନା ଦେଇଛନ୍ତି ଅନ୍ୟତମ ସଦସ୍ୟା ଚମ୍ପା କୁମାରୀ।

ବିଦେଶକୁ ପ୍ରକ୍ରି୍ରୟାକରଣ କରି କୁକଡ଼ା ମାଂସ ରପ୍ତାନି କରୁଥିବା ହାଇଦ୍ରାବାଦର ଏକ କମ୍ପାନିକୁ ଏହି ସମବାୟ ସମିତିର ସଦସ୍ୟାମାନେ କିଲୋପ୍ରତି ୭୫୦ ଟଙ୍କା ଦରରେ ୧.୫ କ୍ୱିଣ୍ଟାଲ କଡକ୍‌ନାଥ କଳା କୁକୁଡ଼ା ବିକ୍ରୟ କରିଥିବା ଜାଣିବାକୁ ମିଳିଛି। ତେବେ, ବର୍ତ୍ତମାନ ସୁଦ୍ଧା ଏହି ଆଦିବାସୀ ମହିଳାମାନଙ୍କୁ ଏ ଦିଗରେ ବା ଏଥିପାଇଁ କୌଣସି ପ୍ରକାରର ସାହାଯ୍ୟ, ସହଯୋଗ, ସମର୍ଥନ ବା ପ୍ରୋତ୍ସାହନ ସରକାରୀ ସ୍ତରରୁ ମିଳିପରି ନାହିଁ।