କୋଭିଡ୍ ମୁକାବିଲାରେ ଷ୍ଟେଟ୍‌ ବ୍ୟାଙ୍କର ସକ୍ରିୟ ଭୂମିକା

ଭୁବନେଶ୍ବର: କୋଭିଡ୍ ମହାମାରୀ ମୁକାବିଲା ଲାଗି ଲଢ଼େଇରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସକ୍ରିୟ ଭୂମିକା ଗ୍ରହଣ କରିଛି। ଜରୁରୀକାଳୀନ ମେଡିକାଲ୍ ଉପକରଣ ଯୋଗାଣ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ବ୍ୟାଙ୍କିଙ୍ଗ୍‌ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାଙ୍କ ନିରନ୍ତର ଉଦ୍ୟମ ଜାରି ରଖିଛି। ଏ ସମ୍ପର୍କରେ ‘ସମ୍ବାଦ’ ସହ ସ୍ବତନ୍ତ୍ର ଆଲୋଚନା କରି ଭାରତୀୟ ‌ଷ୍ଟେଟ୍‌ ବ୍ୟାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ’ କହିଛନ୍ତି ଯେ ପ୍ରଥମ ଲହର ଠାରୁ ଆମେ ମହାମାରୀ ମୁକାବିଲା ଲାଗି ପ୍ରସ୍ତୁତ ହୋଇଥିଲୁ। ଦ୍ବିତୀୟ ଲହରରେ ମଧ୍ୟ ଆମର ସେହି କାର୍ଯ୍ୟ ଜାରି ରହିଛି। ମହାମାରୀ ବିରୋଧ ଲଢ଼େଇରେ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା ଲାଗି ବ୍ୟାଙ୍କ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପାଣ୍ଠିର ବ୍ୟବସ୍ଥା କରିଛି। ପ୍ରାୟ ୪୫ ଲକ୍ଷ ଟଙ୍କା ବ୍ୟବହାର କରାଯାଇଥିବା ବେ‌ଳେ ଆଉ ୫ ଲକ୍ଷ ଟଙ୍କା ଏଦିଗରେ ବ୍ୟୟ କରାଯିବ। ବ୍ୟାଙ୍କ ତରଫରୁ ଅକ୍ସିଜେନ୍ ସିଲିଣ୍ଡର, ଅକ୍ସିଜେନ୍ କନ‌ସେଣ୍ଟ୍ରେଟର, ମାସ୍କ, ସାନିଟାଇଜର ଓ ଟେଷ୍ଟିଂ କିଟ୍ ଆଦି ଯୋଗାଇ ଦିଆଯାଉଛି। ଜିଲ୍ଲାପାଳମାନଙ୍କ ସହ ସମନ୍ବୟ ରକ୍ଷା କରି ବ୍ୟାଙ୍କର ଟିମ୍ ଏଥିପାଇଁ କାର୍ଯ୍ୟ କରୁଛି।

ସମାଜର କଲ୍ୟାଣ ସହିତ ନିଜ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଷ୍ଟେଟ୍‌ ବ୍ୟାଙ୍କ ଯତ୍ନବାନ ରହିଛି। ରାଜ୍ୟରେ ଥିବା ବ୍ୟାଙ୍କର ପ୍ରାୟ ୮୭୦୦ କର୍ମଚାରୀମାନଙ୍କ ମଧ୍ୟରୁ ୯୦% କର୍ମଚାରୀଙ୍କ ଟିକାକରଣ କରାଯାଇସାରିଲାଣି। ଏହା ବ୍ୟତୀତ ପ୍ରତି କର୍ମଚାରୀଙ୍କୁ ଦୁଇଟି ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ମହାମାରୀ ସମୟରେ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ ରାଜ୍ୟରେ ଥିବା ବ୍ୟାଙ୍କର ୮୭୮ଟି ଶାଖା ଦିନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଶାଖା ଭିତରେ ଭିଡ଼ କମ୍ କରିବା ଲାଗି ଗ୍ରାହକମାନଙ୍କ ପ୍ରତିକ୍ଷା ପାଇଁ ଶାଖା ବାହାରେ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ଦେ’ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କର ୫୫୦୦ ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌ (ବିସି) ଗ୍ରାମୀଣ ଓ ଅପହଞ୍ଚ ଅଞ୍ଚଳରେ ନିରନ୍ତର ଭାବେ ବ୍ୟାଙ୍କ ସେବା ପ୍ରଦାନ କରୁଛନ୍ତି। ପିଏମ୍ କିସାନ ଯୋଜନା ଓ କାଳିଆ ଯୋଜନା ଟଙ୍କାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ବ୍ୟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହା ବ୍ୟତୀତ ସାମୁଦ୍ରିକ ବାତ୍ୟା ୟାସ୍‌ର ମୁକାବିଲା ଲାଗି ବ୍ୟାଙ୍କ ପକ୍ଷରୁ ପ୍ରଭବିତ ହେବାକୁ ଥିବା ପ୍ରତି ଜିଲ୍ଲାରେ ‌ଯଥେଷ୍ଟ ପରିମାଣର ନଗଦ ରାଶି ରଖାଯାଇଥିଲା। ଭ୍ରାମ୍ୟମାଣ ଏଟିଏମ୍‌ର ବ୍ୟବସ୍ଥା କରାଯାଇଥିଲା। ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ୩-୪ ଘଣ୍ଟା ଭିତରେ ବ୍ୟାଙ୍କ ସେବା ସ୍ବାଭାବିକ ହୋଇଥିଲା ବୋଲି ସେ କହିଛନ୍ତି।

ମହାମାରୀ ସମୟରେ ଏଟିଏମ୍ ବ୍ୟବହାର ବଢ଼ିଥିବା ଶ୍ରୀମତୀ ଦେ’ କହିଛନ୍ତି। ଡିଜିଟାଇଜେସନ୍ ସମ୍ପର୍କରେ ସେ କହିଛନ୍ତି ଯେ ବଲାଙ୍ଗୀରରେ ୧୦୦% ଡିଜିଟାଇଜେସନ୍ ହୋଇପାରିଛି। କଟକ ଜିଲ୍ଲା ମଧ୍ୟ ୧୦୦% ଡିଜିଟାଇଜେସନ୍ ପାଇଁ ଯୋଗ୍ୟତା ହାସଲ କରିଛି। ୟୁନୋ ଆପ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍‌କୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଷ୍ଟେଟ୍‌ ବ୍ୟାଙ୍କ ଉଦ୍ୟମ କରୁଛି। ସରକାର ଘୋଷଣା କରିଥିବା ସ୍କିମ୍‌ର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଲାଗି ବ୍ୟାଙ୍କ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର