ଦୋହଲିଗଲା ଆଦାନି ସାମ୍ରାଜ୍ୟ, ଘଣ୍ଟାକରେ ଉଡ଼ିଗଲା ୭୩ ହଜାର କୋଟି, ପ୍ରତି ଘଣ୍ଟାରେ ଯୋଡ଼ୁଥିଲେ ୭୫ କୋଟି

ଗୌତମ ଆଦାନି କିଏ?

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ବଡ଼ ଧନୀ ତଥା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଆଜି ଦିନଟିକୁ କେବେ ଭୁଲି ପାରିବେନି। ନିଜ ବ୍ୟବସାୟୀ ଜୀବନରେ ଆଜି ପର୍ଯ୍ୟନ୍ତର ସବୁଠୁ ବଡ଼ କ୍ଷତି ସେ ଆଜି ସହିଛନ୍ତି। ତାଙ୍କ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବାରୁ ଏକ ଘଣ୍ଟାକ ଭିତରେ ସେ ୭୩ ହଜାର ୨୫୦ କୋଟି ଟଙ୍କା ହରାଇଛନ୍ତି। ଗତ ଶୁକ୍ରବାର ସୁଦ୍ଧା ଆଦାନିଙ୍କ ବ୍ୟକ୍ତିଗତ ସମ୍ପତ୍ତି ପରିମାଣ ୫ ଲକ୍ଷ ୬୪ ହଜାର କୋଟି ଟଙ୍କା ଥିଲା। ଆଜି ସେଥିରୁ ସେ ୭୩ ହଜାର କୋଟି ଟଙ୍କା ହରାଇବା ପରେ ତାଙ୍କ ଧନୀ ମୁକୁଟ ପ୍ରତି ବିପଦ ସୃଷ୍ଟି ହୋଇଛି।

ଆଜି ସକାଳେ ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍‌ (ଏନ୍ଏସ୍‌ଡିଏଲ୍‌) ପକ୍ଷରୁ ତିନି ବୈଦେଶିକ ସଂସ୍ଥାଗତ ନିବେଶକଙ୍କ (ଏଫ୍‌ପିଆଇ) ଖାତାକୁ ଜବତ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ସେଥିରେ ୪୩,୫୦୦ କୋଟି ଟଙ୍କା ରହିଛି। ଏହି ତିନି ଏଫ୍‌ପିଆଇ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥା ଯଥା ଆଦାନି ଏଣ୍ଟରପ୍ରାଇଜେସ୍‌, ଆଦାନି ଗ୍ରିନ୍ ଏନର୍ଜି, ଆଦାନି ଟ୍ରାନ୍ସମିସନ ଓ ଆଦାନି ଟୋଟାଲ୍‌ ଗ୍ୟାସ୍‌ରେ ନିବେଶ କରିଥିଲେ। ଏନ୍‌ଏସ୍‌ଡିଏଲ୍‌ ପକ୍ଷରୁ ଆଲବୁଲା ଇନଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌, କ୍ରେଷ୍ଟା ଫଣ୍ଡ୍‌ ଓ ଏପିଏମ୍‌ଏସ୍‌ ଇନଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌ର ଖାତାକୁ ଜବତ କରାଯାଇଛି। ଜବତ ହୋଇଥିବା ଖାତା ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ସେୟାର ବଜାରରେ ନିବେଶକମାନେ ଆଦାନି କଂପାନିଗୁଡ଼ିକର ‌ସେୟାର ବିକିବା ଆରମ୍ଭ କରିିଥିଲେ। କିଛି କ୍ଷଣ ଭିତରେ ସେହି କଂପାନିଗୁଡ଼ିକର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଆଗକୁ ବଡ଼ ବିପଦ ଆସୁଥିବା ଆଶଙ୍କା କରି ନିବେଶକମାନେ କମ୍ ଦାମ୍‌ରେ ଆଦାନି କଂପାନିଗୁଡ଼ିକର ସେୟାର ବିକିଥିଲେ। ସେୟାର ମୂଲ୍ୟରେ ହ୍ରାସ ହେବା ପରେ ଆପେ ଆଦାନିଙ୍କ ବ୍ୟକ୍ତିଗତ ସମ୍ପତ୍ତି ଖସିଆସିଥିଲା।

କେଉଁ କାରଣ ଲାଗି ଏଫ୍‌ପିଆଇଗୁଡ଼ିକର ଖାତା ଜବତ କରାଯାଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ଏହା ସତ ଯେ ଜବତ ‌ହୋଇଥିବା ଖାତାରେ ଥିବା କୌଣସି ସେୟାରକୁ ବିକ୍ରି କରାଯାଇପାରିବ ନାହିଁ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ। ତେବେ ଷ୍ଟକ ବଜାର କାରବାର ଉପରେ ଜ୍ଞାନ ରଖିଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ମନି ଲଣ୍ଡରିଂ ନିରୋଧ ନିୟମ ଆଧାରରେ କେତେକ ସୂଚନା ଦେବାରେ ହେଳା କରିଥିବାରୁ ଏହି ବୈଦେଶିକ ସଂସ୍ଥାଗତ ନିବେଶକମାନଙ୍କ ଖାତାକୁ ଏନ୍‌ଏସ୍‌ଡିଏଲ୍‌ ଜବତ କରିଛି। ‌‌‌ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଆଦାନି ଗ୍ରୁପ୍ ତରଫରୁ ଖଣ୍ଡନ କରାଯାଇଛି। ରିପୋର୍ଟ ସମ୍ପୂର୍ଣ୍ଣ ଭୁଲ ଓ ନିବେଶକ ସମ୍ପ୍ରଦାୟକୁ ବିଭ୍ରାନ୍ତ କରିବା ଏହାର ଉଦ୍ଦେଶ୍ୟ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହି ଖବର କଂପାନି ଓ ଏହାର ନିବେଶକମାନଙ୍କ ଅପୂରଣୀୟ କ୍ଷତି ଘଟାଇଛି।

ଆଦାନି ନିବେଶକଙ୍କ ଖାତା ଜବତ ହୋଇନଥିବା ଏନ୍‌ଏସ୍‌ଡିଏଲ୍ ପକ୍ଷରୁ ମଧ୍ୟ କୁହାଯାଇଛି। ଦ୍ରୁତ ଗତିରେ ନିଜ ସମ୍ପତ୍ତି ବଢ଼ାଇ ଗୌତମ ଆଦାନି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ କଂପାନିଗୁଡ଼ିକର ସେୟାର ଦାମ୍ ବଢ଼ୁଥିବାରୁ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ବଢ଼ୁଛି। କାରଣ ଅଧିକାଂଶ କଂପାନିରେ ତାଙ୍କର ସିଂହ ଭାଗ ଅଂଶଧନ ରହିଛି। ୨୦୨୧ରେ ବର୍ତ୍ତମାନ ସୁଦ୍ଧା ସେ ପ୍ରତି ଘଣ୍ଟାରେ ନିଜ ସମ୍ପତ୍ତିରେ ୭୫ କୋଟି ଟଙ୍କା ଯୋଡ଼ୁଥିଲେ। ଆଜି ହଠାତ୍‌ ସେହି ଧାରାରେ ବ୍ରେକ୍ ଲାଗିଛି। କରୋନା ମହାମାରୀ ଦେଖାଦେବା ପରଠାରୁ ଆଦାନିଙ୍କ ସମ୍ପତ୍ତି ହୁ ହୁ ହୋଇ ବଢ଼ୁଥିଲା। ଆଦାନି ଗ୍ରୁପ୍‌ର ସେୟାର ମୂଲ୍ୟ ୩୩୫% ବୃଦ୍ଧି ପାଇ ୧୬୨୫.୮ ଟଙ୍କା ହୋଇଛି। ୨୦୨୧ ଜାନୁଆରିରେ ଏହି ଦାମ୍ ମାତ୍ର ୩୭୪.୯ ଟଙ୍କା ଥିଲା। କେବଳ ଚଳିତ ବର୍ଷରେ ‌ଗୌତମ ଆଦାନି ନିଜ ସମ୍ପତ୍ତି ପରିମାଣ ୪୩୦୦ କୋଟି ଡଲାର ବଢ଼ାଇଛନ୍ତି।

ଗୌତମ ଆଦାନି କିଏ?
ଦେଶର ଦ୍ବିତୀୟ ବଡ଼ ଧନୀ ବ୍ୟକ୍ତି ହେଉଛନ୍ତି ଗୌତମ ଆଦାନି। ସମ୍ପତ୍ତି ଅନୁସାରେ ମୁକେଶ ଅମ୍ବାନିଙ୍କଠାରୁ ସେ ମାତ୍ର କିଛି ଦୂର ପଛରେ ରହିଛନ୍ତି। ଯେଉଁ ହାରରେ ତାଙ୍କ ସମ୍ପତ୍ତି ବଢ଼ୁଛି, ସେ ଖୁବ୍‌ଶୀଘ୍ର ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ଭାବେ ଉଭା ହେବେ ବୋଲି ପୂର୍ବାନୁମାନ କରାଯାଇଛି। ୧୯୮୦ରେ ଜଣେ ହୀରା ବ୍ୟବସାୟୀ ଭାବେ ସେ ନିଜର ପେସା ଆରମ୍ଭ କରିଥିଲେ। କିିିଛି ଦିନ ପରେ ନିଜ ରାଜ୍ୟ ଗୁଜରାଟକୁ ଫେରି ସେଠାରେ ନିଜ ଭାଇଙ୍କ ପ୍ଲାଷ୍ଟିକ୍ କାରବାରର ଦେଖାଶୁଣା କରିିଥିଲେ। କିଛି ଦିନ ପରେ ସେ ନିଜ ସଂସ୍ଥା ଆଦାନି ଏଣ୍ଟରପ୍ରାଇଜେସ୍‌ ସ୍ଥାପନ କରିଥିଲେ। ୧୯୯୫ରେ ତାଙ୍କ କଂପାନିକୁ ମୁନ୍ଦ୍ରା ବନ୍ଦର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଏବେ ତାଙ୍କ ଅଧୀନରେ ଦେଶର ଅଧିକାଂଶ ବନ୍ଦର ରହିଛି। ଖୁବ୍ କମ୍‌ ସମୟ ଭିତରେ ନିଜ କାରବାରକୁ ସେ ବନ୍ଦର, ବିମାନ ବନ୍ଦର, ଶକ୍ତି, ସମ୍ବଳ, ଲଜିଷ୍ଟିକ୍ସ, ଏଗ୍ରି ବିଜନେସ୍, ରିଅଲ ଇଷ୍ଟେଟ୍‌, ଆର୍ଥିକ ସେବା, ଗ୍ୟାସ୍‌ ବିତରଣ ଓ ପ୍ରତିରକ୍ଷା କ୍ଷେତ୍ରକୁ ସମ୍ପ୍ରସାରିତ କରିଛନ୍ତି। ଦେଶର ଅଧିକାଂଶ ବିମାନବନ୍ଦର ପରିଚାଳନା ଏବେ ଆଦାନି ଗ୍ରୁପ୍ ହାତରେ ରହିଛି।
ପ୍ରତି ଘଣ୍ଟାରେ ଯୋଡ଼ୁଥିଲେ ୭୫ କୋଟି
ଚୀନ୍‌ର ଧନୀ ବ୍ୟକ୍ତିଙ୍କୁ ପଛରେ ପକାଇ ଏସିଆର ଦ୍ବିତୀୟ ବଡ଼ ଧନୀ ଭାବେ ଉଭା ‌ହୋଇଥିବା ଗୌତମ ଆଦାନି ୨୦୨୧ରେ ପ୍ରତି ଘଣ୍ଟାରେ ନିଜ ସମ୍ପତ୍ତିରେ ୭୫ କୋଟି ଟଙ୍କା ଯୋଡ଼ୁଥିଲେ। ଚଳିତ ବର୍ଷର ୧୪୨ ଦିନ ଭିତରେ ତାଙ୍କ ସମ୍ପତ୍ତିରେ ସେ ୨.୫୬ ଲକ୍ଷ କୋଟି ଟଙ୍କା ଯୋଡ଼ିଛନ୍ତି। ଭାରତର ୧୯ ଜଣ ବଡ଼ ଧନୀଙ୍କ ମୋଟ ସମ୍ପତ୍ତି ଯେତିକି ତା’ଠାରୁ ଅଧିକ ପରିମାଣର ସମ୍ପତ୍ତି ଆଦାନି ଯୋଡ଼ିବାରେ ସଫଳ ହୋଇଛନ୍ତି। ଗତ ଏକ ବର୍ଷ ଭିତରେ ଆଦାନି ଟୋଟାଲ୍ ଗ୍ୟାସ୍‌ର ସେୟାର ମୂଲ୍ୟ ୧୧୪୫% ବଢ଼ିଥିବା ବେଳେ ଆଦାନି ଏଣ୍ଟରପ୍ରାଇଜେସ୍‌ର ୮୨୭%, ଆଦାନି ଟ୍ରାନ୍ସମିସନର ୬୧୭%, ଆଦାନି ଗ୍ରିନ୍ ଏନର୍ଜିର ୪୩୩% ଓ ଆଦାନି ପାୱାରର ୧୮୯% ବଢ଼ିଛି।

ସମ୍ବନ୍ଧିତ ଖବର