ଆଦାନି-ହିଣ୍ଡେନ୍‌ବର୍ଗ ମାମଲା: ମୁଦା ଲଫାପାରେ ରିପୋର୍ଟ ଦେଲା କମିଟି, ୧୨ରେ ଶୁଣାଣି

ହିଣ୍ଡେନ୍‌ବର୍ଗ ଅଭିଯୋଗ ଭିତ୍ତିହୀନ: ମରିସସ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବି‌ରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଯେଉଁ କମିଟି ଗଠନ କରିଥିଲେ ତାହା ମୁଦା ଲଫାପାରେ ରିପୋର୍ଟ ଦାଖଲ କରିଛି। ଏହି ମାମଲାର ତଦନ୍ତ ଲାଗି ସୁପ୍ରିମକୋର୍ଟ ୬-ଜଣିଆ କମିଟି ଗଠନ କରିଥିଲେ। କୋର୍ଟ କହିଥିବା ସବୁ ବିଷୟରେ କମିଟି ତଦନ୍ତ କରିଛି ନା ନାହିଁ ଜଣାପଡ଼ିନାହିଁ। କମିଟି ଅଧିକ ସମୟ ଚାହୁଛି କି ନାହିଁ ତାହା ମଧ୍ୟ ଜଣାପଡ଼ିନି। ଏହି ମାମଲାର ଶୁଣାଣି ଚଳିତ ମାସ ୧୨ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ହେବ। ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ ଏମ୍ ସାପ୍ରେଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା।

ସେଥିରେ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଓ ପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ କେ ଭି କାମାଥ, ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ପ୍ରତିଭୂତି ଆଇନଜୀବୀ ସୋମଶେଖର ସୁନ୍ଦରସନ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେ ପି ଦେବଧର ସଦସ୍ୟ ରହିଛନ୍ତି। ଏହି ମାମଲରେ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଦୁଇ ମାସ ଭିତରେ ତଦନ୍ତ ସାରିବାକୁ ସେବିକୁ କୋର୍ଟ କହିଥିଲେ। ତଦନ୍ତ ପାଇଁ ଆଉ ଛଅ ମାସ ସମୟ ଦେବାକୁ ସେବି ଏପ୍ରିଲ୍ ୨୯ରେ କୋର୍ଟଙ୍କୁ ଅନୁରୋଧ କରିଥିଲା। ଅନ୍ୟପକ୍ଷରେ, ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ କରିଥିବା ସମସ୍ତ ଅଭିଯୋଗକୁ ମରିସସର ଆର୍ଥିକ ସେବା ମନ୍ତ୍ରୀ ମାହେନ କୁମାର ସୀରୁଟୁନ ଭିତ୍ତିହୀନ ବୋଲି କହିଛନ୍ତି। ମରିସସ୍‌ରେ ଆଦାନିର ଜାଲ୍ କଂପାନି ଥିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସଂସଦରେ ସେ ଏହି ଉତ୍ତର ଦେଇଛନ୍ତି। ‌ସେ କହିଛନ୍ତି ଯେ ନିୟମ ଅନୁସ‌ାରେ ମରିସସରେ ଜାଲ କଂପାନି ଗଠନ ଲାଗି ଅନୁମତି ନାହିଁ।

ସମ୍ବନ୍ଧିତ ଖବର