ବିଜ୍ଞାପନରେ ୮୦ ହଜାର କୋଟି ଖର୍ଚ୍ଚ ହେବ, ଛାପା ଗଣମାଧ୍ୟମ ବିଜ୍ଞାପନ ୨୩% ବଢ଼ିବ

ନୂଆଦିଲ୍ଲୀ: ବିଜ୍ଞାପନ ବଜାର ଦ୍ରୁତ ଗତିରେ ସୁଧାର ପଥକୁ ଫେରିଛି। ନିଜ ଉତ୍ପାଦ ଓ ସେବାର ପ୍ରଚାର ଲାଗି ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବିଜ୍ଞାପନ ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି। ଚଳିତ ବର୍ଷ ବିଜ୍ଞାପନରେ କଂପାନିଗୁଡ଼ିକ ୮୦,୧୨୩ କୋଟି ଟଙ୍କା ବ୍ୟୟ କରିବେ ବୋଲି ଗ୍ରୁପ୍ ଏମ୍‌ ନାମକ ସଂସ୍ଥା ପ୍ରସ୍ତୁତ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୨୦ ତୁଳନାରେ ୨୦୨୧ରେ ବିଜ୍ଞାପନ ବାବଦରେ ୨୩.୨% ଅଧିକ ବ୍ୟୟ ହେବ। କରୋନା ମହାମାରୀ ପାଇଁ ୨୦୨୦ରେ ବିଜ୍ଞାପନରେ ନିବେଶ ୨୧.୫% ହ୍ରାସ ପାଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ୧୫ ହଜାର କୋଟି ଟଙ୍କା ବିଜ୍ଞାପନ ଆସିବ।

ବିଜ୍ଞାପନକୁ ନେଇ ବିଶ୍ବର ଯେଉଁ ୧୦ଟି ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ରହିଛି ସେଥିରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ଏବଂ ବିଶ୍ବ ବଜାରକୁ ଅବଦାନ ଦୃଷ୍ଟିରୁ ଭାରତ ଷଷ୍ଠ ସ୍ଥାନରେ ରହିବ। ୨୦୧୯ରେ ବିଶ୍ବ ବିଜ୍ଞାପନ ବ୍ୟୟ ରୢାଙ୍କରେ ଭାରତ ନବମ ସ୍ଥାନରେ ଥିଲା। ୨୦୨୦ରେ ଗୋଟିଏ ପାହାଚ ତଳକୁ ଖସି ଦଶମ ସ୍ଥାନରେ ପହଞ୍ଚିଯାଇଥିଲା। ୨୦୨୧ରେ ପୁଣି ଥରେ ନବମ ସ୍ଥାନକୁ ଭାରତ ଫେରିବ ବୋଲି ‌ରିପୋର୍ଟରେ ଆକଳନ କରାଯାଇଛି।

କୋଭିଡ୍ ମହାମାରୀ ପ୍ରଭାବରେ ଡିଜିଟାଲ୍ ମିଡିଆର ବିଜ୍ଞାପନ ୨%, ଛାପା ଗଣମାଧ୍ୟମର ୪୩%, ଟିଭି ୧୪%, ଆଉଟ୍‌ଡୋର୍‌ ୭୩% ଓ ସିନେମାରେ ବିଜ୍ଞାପନ ୮୩% ହ୍ରାସ ପାଇଥିଲା। ୨୦୨୧ରେ ଛାପା ଗଣମାଧ୍ୟମ ବିଜ୍ଞାପନରେ ୨୩%, ଟିଭିରେ ୧୮%, ଆଉଟ୍‌ଡୋର୍‌ରେ ୬୯% ଓ ସିନେମାରେ ୧୯୭% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ତେଲ, ସାବୁନ ଭଳି ସାମଗ୍ରୀ ବିକ୍ରି କରୁଥିବା‌ ଏଫ୍ଏମ୍‌ସିଜି କଂପାନି ଓ ଇ-କମର୍ସ ସଂସ୍ଥା ବ୍ୟତୀତ ଅଟୋମୋବାଇଲ୍, ଟେଲିକମ୍, ରିଟେଲ୍‌ ଓ କଞ୍ଜ୍ୟୁମର୍‌ ଡ୍ୟୁରେବଲ୍ ସଂସ୍ଥାଗୁଡ଼ିକ ବିଜ୍ଞାପନ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର