ନୂଆଦିଲ୍ଲୀ: ଫୋର୍ବସ ମାଗାଜିନ ପକ୍ଷରୁ ନିକଟରେ ଧନୀ ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟରୁ ଜଣାଯାଇଛି ଯେ ବିଶ୍ବର ୨୫ ଜଣ ଶୀର୍ଷ ଯୁବ ବିଲିୟନେୟାର (୧ ବିଲିଅନ ଡଲାରରୁ ଅଧିକ ସଂପତ୍ତି)ଙ୍କ ବୟସ ୩୩ ବର୍ଷ କିମ୍ବା ତା ଠାରୁ କମ୍‌। ସେମାନଙ୍କ ମୋଟ ସଂପତ୍ତି ୧୧୦ ବିଲିଅନ ଡଲାର। ତେବେ ଏହି ସମସ୍ତ ଯୁବ ଧନୀ ବ୍ୟକ୍ତି ନି‌ଜେ ଏସବୁ ସଂପତ୍ତି ସୃଷ୍ଟି କରିନାହାନ୍ତି କରିନାହାନ୍ତି ବରଂ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି।

Advertisment

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏହି ତାଲିକାରେ ଥିବା ୩୦ ବର୍ଷରୁ କମ୍‌ ବୟସର ଧନୀ ବିଲିୟନେୟାରଙ୍କ ମଧ୍ୟରେ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତଃ ସାଇରସ ମିସ୍ତ୍ରିଙ୍କ ଦୁଇ ପୁଅ ଜାହାନ ଓ ଫିରୋଜ ଶୀର୍ଷରେ ରହିଛନ୍ତି। ଦୁଇ ଭାଇଙ୍କର ମୋଟ ସଂପତ୍ତି ୯.୮ ବିଲିଅନ ଡଲାର। ଅର୍ଥାତ୍‌ ଜଣଙ୍କର ସଂପତ୍ତି ୪.୯ ବିଲିଅନ ଡଲାର। ୨୦୨୨ ମସିହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରିଙ୍କ ମୃତ୍ୟପରେ ଜାହାନ ଓ ଫିରୋଜ ଉତ୍ତରାଧିକାରୀ ସୂତ୍ରରେ ଧନୀ ହୋଇଛନ୍ତି। ବାପାଙ୍କ ମୃତ୍ୟୁପରେ ଟାଟା ସନ୍ସରେ ତାଙ୍କ ପରିବାରର ଥିବା ୧୮.୪ ପ୍ରତିଶତ ଅଂଶଧନ ମଧ୍ୟରୁ କିଛି ଅଂଶ ଦୁଇ ଭାଇ ପାଇଛନ୍ତି। ଜାହାନ ମିସ୍ତ୍ରିଙ୍କ ବୟସ ଏବେ ୨୫ ବର୍ଷ। ସେ ୟେଲ୍ ବିଶ୍ବବିଦ୍ୟାଳ‌ୟରେ ପାଠ ପଢ଼ିଛନ୍ତି। ସାପୁରଜୀ ପାଲୋଞ୍ଜି ଗ୍ରୁପରେ ତାଙ୍କର ୨୫ ପ୍ରତିଶତ ଅଂଶଧନ ରହିଛି। ସେ ଆୟର୍ଲ୍ୟାଣ୍ଡର ନାଗରିକ ହୋଇଥିଲେ ମଧ୍ୟ ସଂପ୍ରତି ମୁମ୍ବାଇରେ ବାସ କରୁଛନ୍ତି। ବଡ଼ ଭାଇ ଫିରୋଜ ମିସ୍ତ୍ରିଙ୍କ ବୟସ ୨୭ ବର୍ଷ।

ସେହିଭଳି ସାପୁରଜୀ ପାଲୋଞ୍ଜି ଗ୍ରୁପରେ ମଧ୍ୟ ୨୫ ପ୍ରତିଶତ ଅଂଶଧନ ପାଇଛନ୍ତି। ୱାରୱିକ୍ ବିଶ୍ବବିଦ୍ୟାଳୟରେ ଫିରୋଜ ପାଠ ପଢ଼ିଛନ୍ତି। ଆୟର୍ଲ୍ୟାଣ୍ଡ୍‌ର ନାଗରିକତା ଥିଲେ ମଧ୍ୟ ସେ ମୁମ୍ବାଇରେ ରହୁଛନ୍ତି। ତାଙ୍କ ପରିବାରର ଅଧିକାଂଶ ବ୍ୟବସାୟ ମୁମ୍ବାଇରୁ ହିଁ ପରିଚାଳିତ ହେଉଛି। ୧୮ ମାସରୁ ଅଧିକ ସମୟ ଧରି ଏହି ଦୁଇ ଭାଇ ପରିବାରର ବିଭିନ୍ନ ବ୍ୟବସାୟରେ କାର୍ଯ୍ୟ କରିବା ପରେ ୨୦୨୨ ଡିସେମ୍ବରରୁ କାର୍ଯ୍ୟନିର୍ବାହୀ ଭୂମିକା ନିର୍ବାହ କରୁଛନ୍ତି।