ଝୁନ୍‌ଝୁନ୍‌ୱାଲା ଆରମ୍ଭ କରିବେ ବିମାନ କଂପାନି, ୪ ବର୍ଷରେ ୭୦ଟି ବିମାନ ଯୋଗାଡ଼ କରିବେ

ସୁଲଭ ମୂଲ୍ୟରେ ଯାତ୍ରା ସୁଯୋଗ ମିଳିବ, କଂପାନି ନାମ ରହିବ ‘ଆକାଶ ଏୟାର’

ମୁମ୍ବାଇ: ବିମାନ ଚଳାଚଳ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନାକୁ ହାସଲ କରିବା ଲାଗି ଦେଶର ଚର୍ଚ୍ଚିତ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା ଏକ ନୂଆ ବିମାନ କଂପାନି ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। ଚାରି ବର୍ଷ ଭିତରେ ସେ ନିଜ କଂପାନି ଲାଗି ୭୦ଟି ବିମାନ ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହି କଂପାନିରେ ସେ ୩୫ ନିୟୁତ ଡଲାର ନିବେଶ କରିବେ ଓ ୪୦ ପ୍ରତିଶତ ଅଂଶଧନର ମାଲିକ ହେବେ। ଆସନ୍ତା ୧୫ ଦିନ ଭିତରେ ତାଙ୍କ ଏହି ଯୋଜନାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି। ଝୁନଝୁନ୍‌ୱାଲାଙ୍କୁ ଭାରତର ୱାରେନ୍ ବଫେଟ୍ ବୋଲି କୁହାଯାଏ। ଆମେରିକାର ପ୍ରସିଦ୍ଧ ନିବେଶକ ବଫେଟ୍‌ଙ୍କ ଭଳି ଝୁନ୍‌ଝୁନ୍‌ୱାଲାଙ୍କ ଷ୍ଟକ ବଜାରରେ ସେୟାର ଚୟନ କରିବା କୌଶଳ ବେଶ ଚମତ୍କାର ବୋଲି କୁହାଯାଏ।

ନୂଆ ବିମାନ କଂପାନି ସ୍ଥାପନ କରିବା ବିଷୟରେ ସେ ବ୍ଲୁମ୍‌ବର୍ଗ ଟିଭିକୁ ଦେଇଥିବା ସାକ୍ଷାତକାରରେ ସୂଚନା ଦେଇଛନ୍ତି। ତାଙ୍କ ବିମାନ କଂପାନିର ନାମ ରହିବ ‘ଆକାଶ ଏୟାର’। ସେଥିରେ ଡେଲ୍‌ଟା ଏୟାରଲାଇନ୍ସର ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ୧୮୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରୁଥିବା ଆକାରର ବିମାନ କିଣିବାକୁ ଶ୍ରୀ ଝୁନଝୁନୱାଲା ଲକ୍ଷ୍ୟ ରଖିଛନ୍ତି। ଆକାଶ ଏୟାର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବିମାନରେ ଯାତ୍ରା କରିବାର ସୁଯୋଗ ପ୍ରଦାନ କରିବ।

ଭାରତର ବିମାନ ଶିଳ୍ପ ବେଶ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଥିବା ବେଳେ ଇନ୍ଧନର ଚଢ଼ା ଦାମ୍ ଓ ଉଚ୍ଚ ଟିକସ ହାର ଯୋଗୁଁ ଯେଉଁ ହାତଗଣତି କଂପାନି ଏଠାରେ ରହିଛନ୍ତି ସେମାନେ ଠିକ୍ ଭାବେ ବ୍ୟବସାୟ କରିପାରୁନାହାନ୍ତି। କିଙ୍ଗଫିସର ଏୟାରଲାଇନ୍ସ ଓ ଜେଟ୍‌ ଏୟାରୱେଜ୍ ଭଳି ସଂସ୍ଥା ବନ୍ଦ ହୋଇଯାଇଛି। ସ୍ପାଇସ୍‌ଜେଟ୍ ବନ୍ଦ ଦ୍ବାରଦେଶରୁ ଆସି ଏବେ ଠିକ୍ ଠାକ୍ ଚାଲିଛି। ଇଣ୍ଡିଗୋ, ଭିସ୍ତାରା ଓ ଗୋଏୟାରର ସ୍ଥିତି ଅପେକ୍ଷାକୃତ ଭଲ ରହିଛି। ଏୟାରଏସିଆ ଇଣ୍ଡିଆର ସ୍ଥିତି ମଧ୍ୟ ଭଲ ନାହିଁ। ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ବିଷୟରେ ନକହିବା ଭଲ। ତାହାକୁ ବିକ୍ରି କରିବା ଲାଗି ସରକାର ପ୍ରୟାସ କରୁଥିଲେ ମଧ୍ୟ କୌଣସି ଗ୍ରାହକ ଏହାକୁ କିଣିବାକୁ ଚାହୁନାହାନ୍ତି। ଏଭଳି ଏକ ବଜାରରେ ନୂଆ ବିମାନ କଂପାନି ଆରମ୍ଭ କରିବା ଲାଗି ଯୋଜନା ରଖିବା ନିଶ୍ଚିତ ରୂପେ ଝୁନଝୁନୱାଲାଙ୍କ ଏକ ସାହସିକ ପଦକ୍ଷେପ ବୋଲି କୁହାଯାଇପାରିବ।

ସମ୍ବନ୍ଧିତ ଖବର