ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଦୁଇ ପର୍ଯ୍ୟାୟରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ତାହା ରାଜ୍ୟର କେବଳ ଚିଙ୍ଗୁଡ଼ି ରପ୍ତାନି ନୁହେଁ, ଧାତବ, ଖଣିଜ ପଦାର୍ଥ, ରସାୟନ, କୃଷିଜାତ ସାମଗ୍ରୀ ଓ ସଫ୍ଟୱେର୍ ରପ୍ତାନିକୁ ମଧ୍ୟ ପ୍ରଭାବିତ କରିବ। ଓଡ଼ିଶା ରପ୍ତାନି ନୀତି ୨୦୨୨ ଅନୁସାରେ ରାଜ୍ୟ ପାଇଁ ଆମେରିକା ହେଉଛି ଏକ ପ୍ରମୁଖ ରପ୍ତାନି ବଜାର। ବିଶେଷ କରି ସାମୁଦ୍ରୀକ ଜୀବ, ଖଣିଜ ଓ ଧାତବ ପଦାର୍ଥ ଓ ରାସାୟନିକ ପଦାର୍ଥ ଆମେରିକାକୁ ରପ୍ତାନି କରାଯାଉଛି। ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ୍ରୁ ନଭେମ୍ବର ମଧ୍ୟରେ ୫୪.୪ ହଜାର କୋଟି ଟଙ୍କାର ରପ୍ତାନି କରାଯାଇଥିଲା। ସେଥିରେ ମେଟାଲର୍ଜିକାଲ୍ର ଭାଗ ସର୍ବାଧିକ ୫୨.୩ ପ୍ରତିଶତ, ଇଞ୍ଜିନିୟରିଂ ଓ ରସାୟନର ୮.୭ ପ୍ରତିଶତ, ଖଣିଜର ୨୩.୧ ପ୍ରତିଶତ, ସାମୁଦ୍ରୀକ ୩.୫ ପ୍ରତିଶତ ଏବଂ ସଫ୍ଟୱେର ଓ ଇଲେକ୍ଟ୍ରୋନିକ୍ସର ଭାଗ ୧୧.୬ ପ୍ରତିଶତ ରହିଥିଲା। ଟ୍ରମ୍ପଙ୍କ ଶୁଳ୍କ ଓଡ଼ିଶାର ଆମେରିକାକୁ ପ୍ରତିବର୍ଷ ହେଉଥିବା ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି ପ୍ରତି ବିପଦ ସୃଷ୍ଟି କରିଛି। ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ଓଡ଼ିଶା ଯେଉଁ ମହତ୍ବକାଂକ୍ଷୀ ଲକ୍ଷ୍ୟ ରଖିଛି, ସେଥିପ୍ରତି ମଧ୍ୟ ଏହି ଶୁଳ୍କ ଏକ ବଡ଼ ଆଶଙ୍କା ସୃଷ୍ଟି କରିଛି।
ଓଡ଼ିଶା ମୁଖ୍ୟତଃ ଆଲୁମିନିୟମ, ଆଲୁମିନା, ଲୁହା ଓ ଇସ୍ପାତ, ଲୁହାପଥର, ପ୍ରକ୍ରିୟାକୃତ ଖଣିଜ ପଦାର୍ଥ, ସାମୁଦ୍ରିକ ଜୀବ, ପେଟ୍ରୋଲିୟମ୍ ଉତ୍ପାଦ, ହସ୍ତତନ୍ତ ଓ ବୟନ ସାମଗ୍ରୀ, କାଗଜ, ପଟି, ସେରାମିକ୍, ଚାଉଳ, କପା, ନିର୍ମାଣ ମେସିନ୍, ରାସାୟନିକ ଉତ୍ପାଦ, ପ୍ଲାଷ୍ଟିକ୍ କଞ୍ଚାମାଲ, ଏସି, ରେଫ୍ରିଜରେଟର ମେସିନ୍, ମସଲା, ଗାଡ଼ି ଇଞ୍ଜିନ ଓ ପାର୍ଟସ୍, କ୍ରେନ୍, ଲିଫ୍ଟ, ମେଡିକାଲ୍ ଉପକରଣ, କାଜୁ, ଗ୍ରାନାଇଟ୍ ଓ ପ୍ରାକୃତି ପଥର ଆଦି ରପ୍ତାନି କରୁଛି। ୨୦୨୩-୨୪ରେ ଭାରତରୁ ଆମେରିକାକୁ ୮୯୦ ନିୟୁତ ଡଲାରର ଆଲୁମିନିୟମ୍ ରପ୍ତାନି ହୋଇଥିଲା। ନାଲ୍କୋ, ବେଦାନ୍ତ ଆଲୁମିନିୟମ୍ ଓ ହିଣ୍ଡାଲ୍କୋ ଓଡ଼ିଶାରେ ବିପୁଳ ଆଲୁମିନିୟମ୍ ଉତ୍ପାଦନ କରି ବିକ୍ରି କରୁଛନ୍ତି। ଭାରତର ସର୍ବାଧିକ ଆଲୁମିନିୟମ୍ ଓଡ଼ିଶାରେ ଉତ୍ପାଦନ ହେଉଥିବାରୁ, ଏଠାରୁ ଆମେରିକାକୁ ରପ୍ତାନି ପ୍ରଭାବିତ ହେବା ଆଶଙ୍କା ରହିଛି।
ଓଡ଼ିଶାରୁ ଆମେରିକାକୁ ଯାଉଥିବା ଅନ୍ୟତମ ପ୍ରମୁଖ ଉତ୍ପାଦ ହେଉଛି ପେଟ୍ରୋଲିୟମ୍ ସାମଗ୍ରୀ। ୨୦୨୩-୨୪ରେ ରାଜ୍ୟରୁ ୯୩୯ ନିୟୁତ ଡଲାର ପେଟ୍ରୋଲିୟମ୍ ସାମଗ୍ରୀ ରପ୍ତାନି ହୋଇଥିଲା। ତାହା ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଆମେରିକାକୁ ଇସ୍ପାତ ଓ ଲୁହାପଥର ରପ୍ତାନି ଏତେ ବଡ଼ ଧରଣର ହେଉନଥିବାରୁ ଶୁଳ୍କ ଦ୍ବାରା ଏହି କ୍ଷେତ୍ର ଅଳ୍ପ ପ୍ରଭାବିତ ହେବ।